ରାଷ୍ଟ୍ରପତି ନିର୍ବାଚନରେ ବିଜେଡିର କ’ଣ ରହିବ ଆଭିମୁଖ୍ୟ?  ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ବିରୋଧୀଙ୍କ ସହ ନୁହେଁ ବରଂ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିପାରନ୍ତି ନବୀନ ।

169

କନକ ବ୍ୟୁରୋ : ଆସନ୍ତା ଜୁଲାଇରେ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଆଭିମୁଖ୍ୟକୁ ନେଇ ଜାତୀୟ ଗଣାମଧ୍ୟମରେ ଖବର ପ୍ରକାଶ ପାଉଛି । ରିପୋର୍ଟ ଅନୁସାରେ ପୂର୍ବଥର ଭଳି ବିଜେଡି ବିରୋଧୀ ଶିବିରରେ ରହିବ ନାହିଁ । ଶାସକ ଦଳର ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିପାରେ ବୋଲି ବିରୋଧୀ ଶିବିରର ନେତାମାନେ ବି ମତ ଦେଇଥିବା ଜାତୀୟ ଗଣମାଧ୍ୟମ ଗୁଡିକରେ ପ୍ରକାଶ ପାଇଛି ।

୫ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିସାରିଛନ୍ତି ଯେ, ପ୍ରାର୍ଥୀଙ୍କୁ ଦେଖି ରାଷ୍ଟ୍ରପତି ନିର୍ବାଚନରେ ଆଭିମୁଖ୍ୟ ସ୍ପଷ୍ଟ କରିବ ବିଜୁ ଜନତା ଦଳ । ଅର୍ଥାତ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ କିମ୍ବା ବିରୋଧୀ ମେଂଟ ମଧ୍ୟରୁ କାହାକୁ ସମର୍ଥନ କରିବ ବିଜେଡି, ସେହି ନିଷ୍ପତିକୁ ଝୁଲାଇ ରଖିଛନ୍ତି ବିଜେଡି ସୁପ୍ରିମୋ । ହେଲେ ଜାତୀୟ ଗଣମାଧ୍ୟମ ଗୁଡିକରେ ହେଉଥିବା ଚର୍ଚ୍ଚା ଅନୁସାରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । କାହିଁକି, ବୁଝିବା ପାଇଁ ପ୍ରଥମେ ରାଷ୍ଟ୍ରପତି ନିର୍ବାଚନ ଗଣିତ ଉପରେ ନଜର ପକାନ୍ତୁ ।

ରାଷ୍ଟ୍ରପତି ନିର୍ବାଚନୀ ଗଣିତ

– ଇଲକ୍ଟୋରାଲ କଲେଜ ଦ୍ୱାରା ନିର୍ବାଚିତ ହୁଅନ୍ତି ଦେଶର ରାଷ୍ଟ୍ରପତି

– ୭୭୬ ସାଂସଦ ଓ ୪, ୧୨୦ ବିଧାୟକ ଇଲକ୍ଟୋରାଲ କଲେଜର ସଦସ୍ୟ

– ଲୋକସଭା ଓ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କ ଭୋଟ୍ ମୂଲ୍ୟ ୭୦୮

– ରାଜ୍ୟର ଜନସଂଖ୍ୟା ଓ ବିଧାନସଭା ଆସନକୁ ନେଇ ସ୍ଥିର ହୁଏ ବିଧାୟକଙ୍କ ଭୋଟ ମୂଲ୍ୟ

– ବର୍ତ୍ତମାନ ସ୍ଥିତିରେ ଏନଡିଏ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ୧.୨% ଭୋଟ୍ ନିଅଂଟ ରହିଛି

– ୨୧ ସାଂସଦ ଓ ୧୧୩ ବିଧାୟକ ସହ ବିଜେଡିର ଭୋଟ୍ ସଂଖ୍ୟା ୩.୨୨%

– ତେଣୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡିର ଭୋଟ ମିଳିଗଲେ ଜିତିବା ସୁନିଶ୍ଚିତ

୨୦୧୨ରେ ୟୁପିଏର ରାଷ୍ଟ୍ରପତି ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କ ବିରୋଧରେ ପିଏ ସାଙ୍ଗମାଙ୍କ ନାଁକୁ ପ୍ରଥମେ ପ୍ରସ୍ତାବ ଦେଇଥିଲେ ନବୀନ । ସେହିପରି ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋନ ପାଇବା ପରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଜଣାଇଥିଲେ ।

ଜାତୀୟ ରାଜନୀତିରେ ସବୁବେଳେ ବିଜେପି କିମ୍ବା କଂଗ୍ରେସ ନେତୃତ୍ୱାଧୀନ ମେଂଟଠାରୁ ସମଦୂରତା କଥା କହିଆସିଛନ୍ତି ନବୀନ । କିନ୍ତୁ ଗତ ନିର୍ବାଚନରେ ମୋଦୀଙ୍କ ଫୋନ ପାଇ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଥିଲେ । ୨୦୧୯ ପରଠାରୁ ମଧ୍ୟ ବିଜେପି ବିରୋଧୀ ଆଭମୁଖ୍ୟରେ ପରିବର୍ତନ ଆଣିଛନ୍ତି । ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ପଠାଇବା କିମ୍ବା ସଂସଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲକୁ ଆଖିବୁଜି ସମର୍ଥନ କରିବା ଏହାର ଗୋଟିଏ ଗୋଟିଏ ଉଦାହରଣ । ତେଣୁ ଏଥର ମଧ୍ୟ ନବନୀ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିପାରନ୍ତି ବୋଲି ରାଜନୀତି ବିଶେଷଜ୍ଞଙ୍କ ମତ ।

ନବୀନଙ୍କ ବାରମ୍ବାର ନିର୍ବାଚନୀ ସଫଳତା ଜାତୀୟ ରାଜନୀତିରେ ତାଙ୍କ ପତିଆରାକୁ ବଢାଇ ଦେଇଛି । ଗୋଟିଏ ମାସରେ ଦୁଇ ଦୁଇଥର ଦିଲ୍ଲୀ ଗସ୍ତ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ନେଇ ତାଙ୍କ ଗୁରୁତ୍ୱକୁ ବଢାଇଛି । ହେଲେ ଆଗୁଆ କୌଣସି ସୂଚନା ନଦେଇ ପୁଣିଥରେ ଦିଲ୍ଲୀ ଦରବାରରେ ତାଙ୍କର ରହସ୍ୟମୟ ପ୍ରଭାବକୁ ଜାହିର କରିଛନ୍ତି ବିଜେଡି ସୁପ୍ରିମୋ ।