ଯୁଦ୍ଧ ବଢ଼ାଇଲା ଖାଇବା ତେଲର ସଙ୍କଟ । ତେଲ ଆମଦାନୀ କମାଇଦେଲେ ଭାରତ ସମେତ, ଗ୍ରୀସ୍, ସ୍ପେନ୍, ତୁର୍କୀ ଓ ବେଲଜିୟମ ଭଳି ଦେଶର ସୁପର ମାର୍କେଟ୍ ।

ଓଡିଶା ବଜାରରେ ଏଯାଏଁ ଦେଖା ଦେଇନି ଅଭାବ, କିନ୍ତୁ ବଢି ଚାଲିଛି ଦର

411

କନକ ବ୍ୟୁରୋ: ୟୁକ୍ରେନ-ରୁଷିଆ ଯୁଦ୍ଧର ପ୍ରଭାବ ଏବେ ସିଧାସଳଖ ଅନୁଭୂତ ହେଲାଣି । ବଜାରରେ ସୂର୍ଯ୍ୟମୁଖୀ ତେଲ ଅଭାବ ହୋଇ ଯାଇଛି । ବଡ ବଡ ମଲରେ ମଧ୍ୟ ଏହି ତେଲ ଏବେ ମିଳିପାରୁନି । ତେବେ ବିଶ୍ୱର ବଡ ବଡ ସୁପରମାର୍କେଟ ଚେନଗୁଡିକ, କମ୍ ତେଲ ଖାଇବା ପାଇଁ ପରାମର୍ଶ ଦେଉଛନ୍ତି । ଗୋଟିଏ ପଟେ ତେଲର ଅଭାବ ରହିଛି ଏବଂ ଅନ୍ୟପଟେ ତେଲ ସ୍ୱାସ୍ଥ୍ୟ ପକ୍ଷେ ବି କ୍ଷତିକାରକ । ତେଣୁ ଏଭଳି ପରାମର୍ଶ ଦେଇଛନ୍ତି ସୁପରମାର୍କେଟର ଚେନ୍ ।

  • ଯୁଦ୍ଧ ବଢ଼ାଇଲା ଖାଇବା ତେଲର ସଙ୍କଟ
  • ବ୍ୟବହାର କମାଇବା ପାଇଁ ସୁପରମାର୍କେଟର ପରାମର୍ଶ

ୟୁକ୍ରେନ-ରୁଷିଆ ଯୁଦ୍ଧ ଲାଗି ରହିଥିବା ବେଳେ ବିଶ୍ୱ ବଜାରରେ ଖାଇବା ତେଲର ବଡ଼ ସଙ୍କଟ ସୃଷ୍ଟି ହୋଇଛି । ଧୀରେ ଧୀରେ ବିଶ୍ୱ ବଜାରରୁ ଉଭାନ ହେବାକୁ ବସିଛି ସୂର୍ଯ୍ୟମୁଖୀ ତେଲ । କାରଣ ସୂର୍ଯ୍ୟମୁଖୀ ତେଲର ସବୁଠୁ ବଡ଼ ଉତ୍ପାଦନକାରୀ ଦେଶ ହେଉଛି ୟୁକ୍ରେନ୍ । ଏପଟେ ପାମ୍ ତେଲ ରପ୍ତାନୀ ଉପରେ ସାମୟିକ ପ୍ରତିବନ୍ଧ ଲଗାଇଛି ଇଣ୍ଡୋନେସିଆ । ଖାଇବା ତେଲର ଅଭାବକୁ ଦୃଷ୍ଟିରେ ରଖି ବ୍ୟବହାରକୁ କମାଇବା ପାଇଁ ପରାମର୍ଶ ଦେଇଛନ୍ତି ବିଶ୍ୱର ସୁପର ମାର୍କେଟ ଚେନ୍ ।

ଖାଇବା ତେଲର ସଙ୍କଟ ସୃଷ୍ଟି ହେବା ପରେ ଏହାର ବଡ଼ ପ୍ରଭାବ ପଡ଼ିଛି ଭାରତ ଉପରେ । କାରଣ ଭାରତ ହେଉଛି ବିଶ୍ୱର ସର୍ବବୃହତ ଖାଇବା ତେଲ ବ୍ୟବହାରକାରୀ ଓ ଆମଦାନୀ କରୁଥିବା ଦେଶ । କ୍ରୁଡ୍ ଅଏଲ, ସୁନା ପରେ ଭାରତର ତୃତୀୟ ସର୍ବାଧିକ ଆମଦାନୀ ସାମଗ୍ରୀ ହେଉଛି ଖାଇବା ତେଲ । ଭାରତରେ ବାର୍ଷିକ ଯେତିକି ଖାଇବା ତେଲ ବ୍ୟବହାର ହୁଏ, ଏହାର ୫୬ ପ୍ରତିଶତ ବିଦେଶରୁ ଆମଦାନୀ ହୋଇଥାଏ । ଆମଦାନୀ ହେଉଥିବା ଖାଇବା ତେଲ ମଧ୍ୟରେ ରହିଛି…

  • ୬୦ ପ୍ରତିଶତ ପାମ୍ ଅଏଲ୍
  • ୨୫ ପ୍ରତିଶତ ସୋୟାବିନ୍ ତେଲ
  • ୧୨ ପ୍ରତିଶତ ସୂର୍ଯ୍ୟମୁଖୀ ତେଲ

ପାମ୍ ଅଏଲ ରପ୍ତାନୀ ଉପରେ ସାମୟିକ ପ୍ରତିବନ୍ଧ ଲଗାଇଛି ବିଶ୍ୱର ବୃହତମ ଉତ୍ପାଦନକାରୀ ଦେଶ ଇଣ୍ଡୋନେସିଆ । ୭୫ ପ୍ରତିଶତ ସୂର୍ଯ୍ୟମୁଖୀ ତେଲ ୟୁକ୍ରେନ ଓ ରୁଷିଆ ଉତ୍ପାଦନ କରିଥାନ୍ତି । ଏବେ ଯୁଦ୍ଧ ଯୋଗୁଁ ଚାଷ, ଅମଳ ଓ କାରବାର ସବୁକିଛି ସ୍ଥାଣୁ ହୋଇଯାଇଛି । ଆମେରିକାରୁ ସୂର୍ଯ୍ୟମୁଖୀ ତେଲ ଆମଦାନୀ ଯୋଗୁଁ ପରିବହନ ଖର୍ଚ୍ଚ ବଢ଼ିଯାଉଛି । ଏହାର ପ୍ରଭାବ ଭାରତୀୟ ବଜାର ଉପରେ ପଡୁଛି ।

ଯଦିଓ ଓଡ଼ିଶା ବଜାରରେ ଖାଇବା ତେଲର ଅଭାବ ଏବେ ଦେଖାଯାଇନାହିଁ । ତେବେ ତେଲ ଦର ବଢ଼ି ବଢ଼ି ଚାଲିଛି । ଯାହା ଗ୍ରାହକଙ୍କୁ ବାଧୁଛି । ଆଗକୁ ସ୍ଥିତି ଅଧିକ ଖରାପ ହେବା ସମ୍ଭାବନା ରହିଛି । ତେବେ କେବଳ ଭାରତ ନୁହେଁ ଗ୍ରୀସ୍, ସ୍ପେନ୍, ତୁର୍କୀ ଓ ବେଲଜିୟମ ଭଳି ଦେଶର ସୁପର ମାର୍କେଟ୍ ତେଲ ଆମଦାନୀ କମାଇ ଦେଇଛନ୍ତି । ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅନ୍ୟ ଖାଦ୍ୟ ପଦାର୍ଥର ମଧ୍ୟ ସଙ୍କଟ ସୃଷ୍ଟି ହେବାରେ ଲାଗିଛି ।