ବାତ୍ୟା ପାଇଁ ଅନୁକୂଳ ରହିଛି ପାଗ । ପାଣିପାଗ ବିଭାଗର ଆକଳନ, ୬ ତାରିଖରେ ଲଘୁଚାପ ହେବାପରେ ଅଧିକ ଘନୀଭୂତ ହୋଇ ନେଇପାରେ ଝଡର ରୂପ ।

341

କନକ ବ୍ୟୁରୋ: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ମେ ମାସରେ କେତେକ ବାତ୍ୟା ବେଶ ଭୟଙ୍କର ରୂପରେ ଉପକୂଳରେ ମାଡ ହୋଇଛି । ତେବେ ଆସନ୍ତା ୬ରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହି ବାତ୍ୟା ସେତେ ତୀବ୍ର ନହେଲେ ବି ଅଧିକ ଘନୀଭୂତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ଘନିଭୂତ ହେବା ପାଇଁ ପାଗ ବେଶ ଅନୁକୂଳ ରହିଛି ।

ସବୁଠାରୁ ବଡ କଥା ହେଉଛି ପାଣିପାଗ ସଂସ୍ଥା ଗୁଡିକ ପୂର୍ବାନୁମାନ କରୁଛନ୍ତି ଲଘୁଚାପ ସୃଷ୍ଟି ହେବ ଓ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବ । କିନ୍ତୁ ଏହାର ଆକାର କେମିତି ରହିବ ଓ ଗତିପଥ କେମିତି ରହିବ, ତା ଉପରେ କିଛି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ । ତେବେ ମେ ମାସରେ ବାତ୍ୟା ଅନେକ ସମୟରେ ଚିନ୍ତାର କାରଣ ପାଲଟିଯାଏ । କାରଣ ଅତ୍ୟଧିକ ତାପମାତ୍ରା ପାଇଁ ବାତ୍ୟା ଅନୁକୂଳ ପରିବେଶ ସୃଷ୍ଟି ହୁଏ । ଏଥର ବି ଦକ୍ଷିଣ ଆଣ୍ଡାମାନ ସାଗରରେ ଏହିଭଳି ପରିବେଶ ସୃଷ୍ଟି ହୋଇଛି । ଅର୍ଥାତ ବାତ୍ୟା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେଉଛି ।

ଦକ୍ଷିଣ ଆଣ୍ଡାମାନ ସାଗରରେ ବାତ୍ୟାକୁ ନେଇ ଅନୁକୂଳ ପରିବେଶ ରହିଛି । ପାଣିପାଗ ବିଶେଷଜ୍ଞଙ୍କ ମତ ଅନୁସାରେ…

  • ସମୁଦ୍ର ପତ୍ତନର ତାପମାତ୍ରା ୩୧ ଡିଗ୍ରୀ ସେଲସିୟସ ରହିଛି
  • ଅତ୍ୟଧିକ ତାପମାତ୍ରା ଯୋଗୁଁ ଜଳୀୟ ବାଷ୍ପର ପରିମାଣ ବଢିଛି
  • ବାୟୁର ଆର୍ଦ୍ରତା ବାତ୍ୟା ପାଇଁ ଅନୁକୂଳ ରହିଛି
  • ଗରମ ବାୟୁର ଚଳନ ସମୁଦ୍ର ଉପରେ କମ ରହିଛି
  • ଉତ୍ତର ପଶ୍ଚିମ ଦିଗରୁ ଉତ୍ତପ୍ତବାୟୁ ପ୍ରବାହ ଧିରେ ଧିରେ କମୁଛି
  • ଏହି ସବୁ ପରିସ୍ଥିତି ପାଇଁ ବାତ୍ୟା ଅଧିକ ଘନିଭୂତ ହେବାର ସମ୍ଭାବନା ରହିଛି

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଦକ୍ଷିଣ ଆଣ୍ଡାମାନ ସାଗରର ଉପଗ୍ରହ ଚିତ୍ରରେ ଆସନ୍ତା ୪ ତାରିଖ ଦିନ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି କୁହାଯାଇଛି, ପରେ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୬ ତାରିଖରେ ସୃଷ୍ଟି ହେବ ଲଘୁଚାପ । ତେବେ ପରବର୍ତ୍ତୀ ୨୪ ଘଣ୍ଟା ଭିତରେ ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ଝଡର ରୂପ ନେଇପାରେ । ପରବର୍ତ୍ତୀ ରୂପରେଖ ନେଇ ଏପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ଆକଳନ କରାଯାଇନାହିଁ । ଦିନେ ଦୁଇ ଦିନ ଭିତରେ ଏହା ସ୍ପଷ୍ଟ ହେବ ।

ସୂଚନାଯୋଗ୍ୟ ଯେ, ଲଗାତାର ତିନିବର୍ଷ ଧରି ମେ ମାସରେ ଓଡିଶା ତିନୋଟି ବାତ୍ୟାକୁ ସାମ୍ନା କରିଛି । ୨୦୧୯ ମେ ମାସରେ ଫନି, ଯାହାକି ପୁରୀରେ ଲ୍ୟାଣ୍ଡଫଲ କରିଥିଲା । ୨୦୨୦, ମେ ମାସରେ ଅମ୍ପାନ ବାତ୍ୟା, ଯାହାର ପ୍ରଭାବ ଓଡିଶାରେ ପଡିଥିଲା । ୨୦୨୧ ମେ ରେ ୟସ୍ ବାତ୍ୟା, ଯାହାକି ଉତ୍ତର ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା ।