ପ୍ରଦୂଷଣରେ ଛଟପଟ ହେଉଛନ୍ତି ଯାଜପୁରବାସୀ ! ଗଲାଣି ଅନେକ ଜୀବନ, ସିମେଣ୍ଟ କମ୍ପାନୀଙ୍କ କବଜାରେ ଇସ୍ପାତ ରାଜଧାନୀ ।
ପ୍ରଦୂଷଣ ପାଇଁ ସାରା ଦେଶ ଏବେ ଚିନ୍ତାରେ ଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ଯାଜପୁରବାସୀ । ଇସ୍ପାତ ରାଜଧାନୀ କଳିଙ୍ଗନଗର ଶିଳ୍ପାଞ୍ଚଳର ହଜାର ହଜାର ଭୂମିପୁତ୍ର ପ୍ରଦୂଷଣ ଯନ୍ତାରେ ଛଟପଟ ହେଉଛନ୍ତି। ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକକାଳୀନ ଚାରି ଚାରିଟି ସିମେଣ୍ଟ କାରଖାନାର ସ୍ଥାପନ ସ୍ଥାନୀୟ ଲୋକଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ସଦୃଶ ହୋଇଛି। ସ୍ଥାନୀୟ ଜନସାଧାରଣଙ୍କ ଜୀବନ ଜୀବିକା ପ୍ରତି ସଂପର୍ଣ୍ଣ ଆଖି ବୁଜି ଦେଇ ପ୍ରଦୂଷଣ ଭିତ୍ତିକ ସିମେଣ୍ଟ କାରଖାନାଗୁଡ଼ିକୁ ଅନୁମତି ଦେବା ପାଇଁ ପ୍ରଶାସନ ଲାଗିପଡ଼ିଛି।
Kanak News is now on WhatsApp
Join and get latest news updates delivered to you via WhatsApp
କଳିଙ୍ଗନଗରରେ ଇସ୍ପାତ କାରଖାନାର ପ୍ରଦୂଷଣକୁ ରୋକିବାରେ ପ୍ରଶାସନ ବିଫଳ ହୋଇଥିବା ଯୋଗୁଁ ଶିଳ୍ପାଞ୍ଚଳର ଏକାଧିକ ଗାଁ ଗୁଡ଼ିକୁ ଯକ୍ଷ୍ମା, କିଡନି ଓ ଅନ୍ୟାନ୍ୟ ପ୍ରଦୂଷଣ ଜନିତ ରୋଗ କବଳିତ କରିବାରେ ଲାଗିଛି। ଏହି ଭୟଙ୍କର ସ୍ଥିତିରେ ମାତ୍ର ୧ କିମି ବ୍ୟାସାର୍ଦ୍ଧ ମଧ୍ୟରେ ୪ଟି ସିମେଣ୍ଟ କାରଖାନା ବସାଇବାକୁ ପ୍ରଶାସନ ସବୁଜ ସଙ୍କେତ ଦେବାକୁ ନେଇ ପରିବେଶବିତ୍ ଓ ବୁଦ୍ଧିଜୀବୀ ଚିନ୍ତା ପ୍ରକାଟ କରିଛନ୍ତି।
ଇମାମି ସିମେଣ୍ଟ କାରଖାନା ଉତ୍ପାଦନ ଆରମ୍ଭ କରିବାକୁ ଯାଉଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଜେଏସଡବ୍ଲୁ ନିର୍ମାଣ ଜାରି ରଖିଛି। ଆସନ୍ତା ୨୬ ତାରିଖରେ ଯାଜପୁର ସିମେଣ୍ଟ ସ୍ଥାପନ ପାଇଁ ଜନଶୁଣାଣି କରୁଛି ପ୍ରଶାସନ। ଏହାବ୍ୟତୀତ ଚେଟ୍ ନଟ୍ କମ୍ପାନି ମଧ୍ୟ ସିମେଣ୍ଟ କାରଖାନା ବସାଇବାକୁ ପ୍ରଶାସନ ନିକଟରେ ଲାଇନ୍ ଲଗାଇଛି। ଶିଳ୍ପାୟନ ନାମରେ ପ୍ରଶାସନ ଏବେ ହଜାର ହଜାର ଲୋକଙ୍କ ଜୀବନକୁ ବନ୍ଧା ପକାଇ ଦେଇଛି।
ଅନ୍ୟପକ୍ଷରେ, ପ୍ରଦୂଷଣ ଯନ୍ତାରେ ପଡୁଥିବା ଗ୍ରାମଗୁଡ଼ିକ ମଧ୍ୟରେ ମାନପୁର ସାଇଡ଼ିଂ ନିକଟ ସୁଆଲୋ ଓ ମାନଗୋବିନ୍ଦପୁର ଗାଁର ୮୪ଜଣ ଲୋକ ବିଭିନ୍ନ ପ୍ରଦୂଷଣ ଜନିତ ରୋଗରେ ପୀଡ଼ିତ ହୋଇ ଅକାଳରେ ଜୀବନ ହରାଇଲେଣି। ରୋହିତ ଫେରୋଟେକ୍ ଓ ୟାଜଦାନୀ କାରଖାନା ମଧ୍ୟ ସ୍ଥଳରେ ପ୍ରସ୍ତାବିତ ଯାଜପୁର ସିମେଣ୍ଟ କାରଖାନାକୁ ଲାଗି ରହିଥିବା ଚାନ୍ଦିଆ ପଞ୍ଚାୟତର ଟାଙ୍ଗର ସାହିର ଆଦିବାସୀ ବସ୍ତିର ୬୦ଘର ମଧ୍ୟରୁ ମାତ୍ର ୨ବର୍ଷରେ ୧୫ରୁ ଊର୍ଦ୍ଧ୍ବ ଯୁବକ ଓ ପରିବାର ମୁଖିଆଙ୍କର ଅକାଳରେ ମୃତ୍ୟୁ ଘଟିଛି। ସେହିପରି କିମ୍ଭୀରିଗାଡ଼ିଆ ପଞ୍ଚାୟତର ମାରୁଟିକର ଗାଁର ୫୦ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଅଦିନରେ ଯାଇଛି।
ପଙ୍କପାଳ ପଞ୍ଚାୟତର ଜଟରାପାଳ ଗାଁ ଝୁମ୍ପୁରିସାହିର ଅନେକ ଲୋକ ମରିଥିବା ବେଳେ ବହୁ ଯୁବକ ଏବେ ରୋଗରେ ଆକ୍ରାନ୍ତ ହୋଇ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି। ମାନତୀରା ପଞ୍ଚାୟତର ଗୁଳିଆ ସାହି ଓ ଦଶମାଣିଆର ଗ୍ରାମବାସୀ ମାରାତ୍ମକ ଯକ୍ଷ୍ମା ଓ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ୧୦ଜଣଙ୍କର ଅକଳା ମୃତ୍ୟୁ ଘଟିଥିବା ବେଳେ ଅନେକ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଟାଟା କାରଖାନାକୁ ଲାଗିଥିବା ବାରଗାଡ଼ିଆ ହରିଜନ ସାହିର ୧୧ଜଣ ଲୋକଙ୍କର ଅଦିନରେ ମୃତ୍ୟୁ ହୋଇଯାଇଛି । ପ୍ରଦୂଷଣ ଯନ୍ତାରେ ଆନେକ ଗାଁର ନାମ ଯୋଡ଼ି ହେବାରେ ଲାଗିଛି। ଗୋଟିଏ ପଟେ ପରିବେଶ ନଷ୍ଟ ହୋଇ ଚାଲିଥିବାବେଳେ ସିମେଣ୍ଟ କମ୍ପାନି ନାଁରେ ବିକାଶ କାହା ସ୍ବାର୍ଥରେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।