ପିଏମ-ଶ୍ରୀ ଯୋଜନାକୁ ନେଇ ରାଜନୀତି: ବିଜେଡି କହିଲା ଫାଇଭ୍-ଟି ସ୍କୁଲର କପି, ବିଜେପିର ଜବାବ ରଙ୍ଗ ବୋଳି ନେଉଛନ୍ତିି ବାଃବାଃ

131

କନକ ବ୍ୟୁରୋ: ଦେଶର ସରକାରୀ ସ୍କୁଲରେ ବୈପ୍ଳବିକ ପରିବର୍ତନ ଆଣିବାପାଇଁ ପ୍ରୟାସ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଗତ ଗୁରୁ ଦିବସରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିବା ପରେ, ବୁଧବାର ପିଏମ-ଶ୍ରୀ ଅର୍ଥାତ ପ୍ରଧାନମନ୍ତ୍ରୀ ସ୍କୁଲ ଫର ରାଇଜିଂ ଇଣ୍ଡିଆ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ନିଦ୍ଧାରିତ ସର୍ତ ପୂରଣ କରୁଥିବା ଦେଶର ୧୪,୫୯୭ ସରକାରୀ ବିଦ୍ୟାଳୟକୁ ବିକଶିତ ଓ ଉନ୍ନତ କରାଯାଇ ପିଏମ-ଶ୍ରୀ ସ୍କୁଲରେ ପରିଣତ କରାଯିବ । ରାଜ୍ୟ ସରକାରଙ୍କ ସହଭାଗିତାରେ ଏହି ସ୍କୁଲଗୁଡିକର ଚୟନ କରାଯାଇ ବିକଶିତ କରାଯିବ । ୨୦୨୨ରୁ ୨୦୨୭ ଭିତରେ ଦେଶରେ ପାଇଲଟ ପ୍ରକଳ୍ପ ଭାବେ କାମ କରିବ ଏବଂ ଏଥିରେ ଦେଶର ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ।

ପିଏମ-ଶ୍ରୀ ଯୋଜନାରେ ସାମିଲ ହେବା ପାଇଁ ସ୍କୁଲ ଗୁଡିକୁ
– ଅନଲାଇନରେ ଆବେଦନ କରିବାକୁ ପଡିବ
– ୨ବର୍ଷ ପାଇଁ ପ୍ରତି ତିନିମାସରେ ଏହି ପୋର୍ଟାଲ ଖୋଲିବ
– ଆବେଦନ କରିଥିବା ସ୍କୁଲ ଜାତୀୟ ଶିକ୍ଷାନୀତି ଅନୁସାରେ କାର୍ଯ୍ୟ କରିବାକୁ ବୁଝାମଣା ସ୍ୱାକ୍ଷର ହେବ
– ଗୋଟିଏ ବ୍ଲକରୁ ସର୍ବାଧିକ ଗୋଟିଏ ପ୍ରାଥମିକ ଓ ଆଉ ଗୋଟିଏ ମାଧ୍ୟମିକ ସ୍କୁଲ ଚୟନ ହୋଇପାରିବ

ଏହି ମଡେଲ ସ୍କୁଲରେ ଜାତୀୟ ଶିକ୍ଷାନୀତିର ମୂଳ ବିଚାରକୁ ପୂରଣ କରିବ । ପିଏମ-ଶ୍ରୀ ସ୍କୁଲ ଅତ୍ୟାଧୁନିକ, ରୁପାନ୍ତରଣ, ସାମଗ୍ରିକ ପଦ୍ଧତିରେ ଶିକ୍ଷାଦାନ ପ୍ରଦାନ କରାଯିବ । ଆବିଷ୍କାର ଆଧାରିତ, ଶିକ୍ଷଣ କେନ୍ଦ୍ରିକ ପଦ୍ଧତିରେ ଶିକ୍ଷାଦାନ , ନୂତନ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ କ୍ଲାସରୁମ୍ ଏବଂ କ୍ରୀଡା ସହ ଅନ୍ୟାନ୍ୟ ଦିଗକୁ ଗୁରୁତ୍ୱ ଦିଆଯିବ । ତେବେ ଏହି ଯୋଜନାକୁ କପି ପେଷ୍ଟ ବୋଲି କହି ସମାଲୋଚନା କରିଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ । ରାଜ୍ୟରେ ଫାଇଭି-ଟି ରୁପାନ୍ତରିକରଣ ଜରିଆରେ ସ୍କୁଲଗୁଡିକୁ ରୁପାନ୍ତରଣ କରାଯାଉଛି । ଏହି ଯୋଜନାକୁୁ କେନ୍ଦ୍ର କପି କରୁଛି ବୋଲି ଅଭିଯୋଗ କରିଛନ୍ତି ମନ୍ତ୍ରୀ । ଏପଟେ ରାଜ୍ୟ ସରକାର ଦଳୀୟ ପ୍ରଚାର ଲାଗି ସ୍କୁଲକୁ ବ୍ୟବହାର କରୁ ଥିବା ପାଲଟା ଅଭିଯୋଗ କରିଛି ବିଜେପି ।

ପାଂଚବର୍ଷ ମଧ୍ୟରେ ଏହି ପାଇଲଟ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ ଏବଂ ଏଥିପାଇଁ ୨୭୬୩୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି , ଏଥିରେ ୧୮,୧୨୮ କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ଏକବିଂଶ ଶତାଦ୍ଧୀର କୌଶଳ, ମାନବବାଦୀ ଦୃଷ୍ଟିକୋଣ, ବ୍ୟକ୍ତିତ୍ୱ ଗଠନ କରିବାରେ ସହାୟକ ହେବ ପିଏମ-ଶ୍ରୀ ଯୋଜନା ।