ଜ୍ୟୋତି ବସୁଙ୍କୁ ପଛରେ ପକାଇଲେ ନବୀନ । ସ୍ଥାପନ କଲେ ନୂଆ ରେକର୍ଡ । ଏପଟେ ତେଜିଲା ରାଜନୀତି

145

କନକ ବ୍ୟୁରୋ: ପୁଣି ନବୀନଙ୍କ ନୂଆ ରେକର୍ଡ । ରାଜ୍ୟ ରାଜନୀତିର ବ୍ରାଣ୍ଡ କୁହାଯାଉଥିବା ନବୀନ ମୁଖ୍ୟମନ୍ତ୍ରୀ ଭାବେ ୨୩ ବର୍ଷ ୧୩୯ ଦିନ ପୂରଣ କରିଛନ୍ତି । ଏହାସହ ସେ ପଶ୍ଚିବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କୁ ପଛରେ ପକାଇ ଦେଇଛନ୍ତି । ତେବେ ଏହି ରେକର୍ଡକୁ କିନ୍ତୁ ସମାଲୋଚନା କରିଛନ୍ତି ବିରୋଧୀ । ୨୩ ବର୍ଷରେ ଓଡ଼ିଶା କେତେ ଆଗକୁ ଯାଇଛି ବୋଲି କଂଗ୍ରେସ ପ୍ରଶ୍ନ କରିଥିବା ବେଳେ ବିଜେପି କହିଛି ୨୩ ବର୍ଷର ଶାସନ ଧୂଆଁବାଣ ।

  • ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ବିରଳ ରେକର୍ଡ
  • ଜ୍ୟୋତି ବସୁଙ୍କୁ ପଛରେ ପକାଇଲେ ନବୀନ

ଦୀର୍ଘକାଳ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଉଠି ଭାରତୀୟ ରାଜନୀତିରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ନବୀନ ପଟ୍ଟନାୟକ । ତାଙ୍କ ଆଗରେ ଅର୍ଥାତ ପ୍ରଥମ ସ୍ଥାନରେ ଅଛନ୍ତି ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଙ୍ଗ୍ । ସାରା ଦେଶରେ ନବୀନଙ୍କ ଏହି ରାଜନୈତିକ ସଫଳତାକୁ ନେଇ ଚର୍ଚ୍ଚା ହେଉଛି । ଯେଉଁ ସମୟରେ ଦ୍ୱିତୀୟ ଥର କ୍ଷମତାକୁ ଆସିବା ପାଇଁ ଦଳ ଓ ନେତାଙ୍କ ପାଇଁ କାଠିକର ପାଠ ହୋଇଯାଉଛି, ସେହି ସମୟରେ କ୍ରମାଗତ ପାଞ୍ଚ-ପାଞ୍ଚ ଥର ସରକାର ଗଢ଼ିବା, ଏକ ବିରଳ କୃତିତ୍ୱ । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପୃଷ୍ଠଭୂମି, ରାଜନୈତିକ ଶୈଳୀ ସଂପୂର୍ଣ୍ଣ ଅଲଗା । ନଜର ପକାନ୍ତୁ ଏକ ତୁଳନାତ୍ମକ ଚିତ୍ର ଉପରେ …

ଜ୍ୟୋତି ବସୁ

ସାମ୍ୟବାଦ ଆନ୍ଦୋଳନ ଭିତରୁ ଜ୍ୟୋତି ବସୁଙ୍କ ନେତୃତ୍ୱ ଆଗକୁ ଆସିଥିଲା               

ନବୀନ ପଟ୍ଟନାୟକ

ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ରାଜନୀତିକୁ ଆସିଥିଲେ ନବୀନ

ଜ୍ୟୋତି ବସୁ

ଟ୍ରେଡ ୟୁନିୟନ ଆନ୍ଦୋଳନ ଓ ଅନେକ ସଂଘର୍ଷ ପରେ ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ ଜ୍ୟୋତି ବସୁ               

ନବୀନ ପଟ୍ଟନାୟକ

ଆଞ୍ଚଳିକ ଦଳ ଗଢ଼ି ବିଜେପି ସହଯୋଗରେ ପ୍ରଥମ ଥର କ୍ଷମତାକୁ ଆସିଥିଲେ ନବୀନ

ଜ୍ୟୋତି ବସୁ

ଜ୍ୟୋତି ବସୁଙ୍କ ୭୦ ବର୍ଷର ରାଜନୈତିକ କ୍ୟାରିୟରରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ 

ନବୀନ ପଟ୍ଟନାୟକ

ନବୀନଙ୍କ ମାତ୍ର ୨୬ ବର୍ଷର ରାଜନୈତିକ ଜୀବନ, ୨୩ ବର୍ଷ ୧୩୯ ଦିନ ମୁଖ୍ୟମନ୍ତ୍ରୀ

ଜ୍ୟୋତି ବସୁ

ସିପିଏମ୍ ଦଳର ଲୋକପ୍ରିୟତା ଯୋଗୁଁ ମୁଖ୍ୟମନ୍ତ୍ରୀ ହୋଇ ଆସୁଥିଲେ ଜ୍ୟୋତି ବସୁ

ନବୀନ ପଟ୍ଟନାୟକ

ନବୀନ ନିଜେ ଏକ ବ୍ରାଣ୍ଡ, ତାଙ୍କ ପାଇଁ କ୍ଷମତାକୁ କ୍ରମାଗତ ଭାବେ ଆସୁଛି ବିଜେଡି

ଗୋଟିଏ ପଟେ ଭାରତୀୟ ରାଜନୀତିରେ ନବୀନଙ୍କ ନୂଆ ରେକର୍ଡ, ଏପଟେ ଏହାକୁ ନେଇ ତେଜିଲା ରାଜନୀତି । ନବୀନଙ୍କ ଏହି ସଫଳତାକୁ କଟାକ୍ଷ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି, ୨୩ ବର୍ଷର ଶାସନ କାଳରେ ଓଡ଼ିଶା ଯେଉଁ ସ୍ଥାନରେ ପହଞ୍ଚିବା କଥା, ପହଞ୍ଚି ପାରିଛି କି? ସେହିପରି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି,  ପ୍ରତିଶ୍ରୁତି ପାଳନ ନକରିବାରେ ମଧ୍ୟ ରେକର୍ଡ କରିଛନ୍ତି ନବୀନ ସରକାର  । ଆଉ ଏହାର ଜବାବ ଦେଇ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ଏଭଳି ସମାଲୋଚନା କରି ଲୋକମତକୁ ନ୍ୟୁନ କରିବାକୁ ଚାହୁଁଛନ୍ତି ବିରୋଧୀ