୧୫ ବର୍ଷ ଭିତରେ ଆକାଶ ଛୁଆଁ ହେଲାଣି ବଜାର ଦର, ହେଲେ ବଢୁନି ଭତ୍ତା । ଦିନକୁ ୧୬ ଟଙ୍କାରେ ଚଳିବୁ କେମିତି? ପ୍ରଶ୍ନ କଲେ ହିତାଧିକାରୀ

1,085

କନକ ବ୍ୟୁରୋ: ଆପଣଙ୍କ ମାସିକ ଖର୍ଚ୍ଚ କେତେ? ଦରଦାମ ହୁ ହୁ ହୋଇ ବଢ଼ୁଥିବା ବେଳେ ମାସିକ ଖର୍ଚ୍ଚ ବି ସେହିମାତ୍ରାରେ ବଢ଼ିଛି । ହେଲେ ସରକାରଙ୍କ ତରଫରୁ ବାର୍ଦ୍ଧକ୍ୟ ଭତ୍ତା ଏବେ ବି ମାସକୁ ୫ ଶହ ଟଙ୍କା ଦିଆଯାଉଛି । ୨୦୦୭ରୁ ୨୦୨୩ ହୋଇଗଲା, ହେଲେ ଭତ୍ତା ଟଙ୍କା ବଢୁନାହିଁ । ହେଲେ ଏହି ସମୟରେ ଅନ୍ୟ ରାଜ୍ୟରେ ଭତ୍ତା ଟଙ୍କା ଓଡ଼ିଶାଠାରୁ ଢେର ଅଧିକ । ତେଣୁ ଦିନକୁ ୧୫ ଟଙ୍କା ହିସାବରେ ଜଣେ ବୟସ୍କ ବ୍ୟକ୍ତି କେମିତି ଚଳିବ, ତାକୁ ନେଇ ପ୍ରଶ୍ନ ଉଠିଛି ।

  • ମାସକୁ ଭତ୍ତା ୫୦୦ ଟଙ୍କା
  • ଦିନକୁ ୧୬ ଟଙ୍କାରେ ଚଳିବେ କେମିତି?

ନିରାଶ୍ରୟ ବୃଦ୍ଧ ବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ମାସିକ ଭତ୍ତା ପ୍ରଦାନ କରୁଛନ୍ତି । ୨୦୦୮ ମସିହାରୁ ଏଥିପାଇଁ ମଧୁବାବୁ ପେନସନ ଯୋଜନା କାର୍ଯ୍ୟକାରୀ ହେଉଛି । ୧୫ ବର୍ଷ ଭିତରେ ଭତ୍ତା ଟଙ୍କା ୩୦୦ରୁ ବଢି ୫୦୦ ହୋଇଛି । ଅର୍ଥାତ ଦିନକୁ ୧୬ ଟଙ୍କା ୬୭ ପଇସା । ଦିନ ମଜୁରିଆଙ୍କ ସର୍ବନିମ୍ନ ପାରିଶ୍ରମିକ ଦିନକୁ ୩୪୫ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ଭତ୍ତା ଟଙ୍କା ପାଉଥିବା ବ୍ୟକ୍ତି ଦିନକୁ ୧୬ ଟଙ୍କାରେ ଚଳିବ କେମିତି ତାକୁ ନେଇ ପ୍ରଶ୍ନ ଉଠିଛି ।

ଗତ ୧୫ ବର୍ଷ ଭିତରେ ବଜାର ଦର ୪ ଗୁଣା ବଢିଗଲାଣି । ସବୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମହଙ୍ଗା । ଏହା ଭିତରେ ସରକାରୀ ଚାକିରିଆଙ୍କ ଦରମା ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଇଛି । ପ୍ରତିବର୍ଷ ମୁଦ୍ରାସ୍ଫୀତିକୁ ଦେଖି ମହଙ୍ଗା ଭତ୍ତା ବି ବୃଦ୍ଧି ହେଉଛି । କିନ୍ତୁ ସରକାରଙ୍କ ଭତ୍ତା ଟଙ୍କା ଉପରେ ସଂପୂର୍ଣ୍ଣ ନିର୍ଭର କରୁଥିବା ବୟସ୍କଙ୍କୁ ଆର୍ଥିକ ସହାୟତାରେ କୌଣସି ବୃଦ୍ଧି ହୋଇନାହିଁ ।

‘ଭତ୍ତା ଟଙ୍କାରେ ଚଳିବୁ କେମିତି?’

  • ସରକାରଙ୍କ ପକ୍ଷରୁ ୧ ଟଙ୍କାରେ ଚାଉଳ ଦିଆଯାଉଛି
  • ହେଲେ ଡାଲି କିଲୋଗ୍ରାମ୍ ୧୫୦ ଟଙ୍କା ଉପରେ ରହିଛି
  • ଟମାଟୋ କିଲୋଗ୍ରାମ୍ ୧୨୦ରୁ ୧୫୦ ଟଙ୍କା ଯାଏଁ ହେଲାଣି
  • ଆଳୁ କେଉଁଠି ୨୦ ତ ଆଉ କେଉଁଠି ୨୫ ଟଙ୍କା କିଲୋ
  • ଅନ୍ୟାନ୍ୟ ପନିପରିବା ଦର ମଧ୍ୟ ୬୦ ଟଙ୍କା ତଳେ ନାହିଁ
  • ତେଲ ଓ ମସଲା ଦର ଶୁଣିଲେ ସାଧାରଣ ଲୋକଙ୍କ ହୋସ ଉଡ଼ିଯାଉଛି

ଏମିତି ମହଙ୍ଗା ବଜାର ଦରକୁ ନେଇ ମାତ୍ର ୫୦୦ ଟଙ୍କା ଭତ୍ତାରେ କେମିତି ମାସେ ଚଳିବେ, ସେହି ଚିନ୍ତାରେ ହିତାଧିକାରୀ । ରାଜ୍ୟ ସରକାର ମଧୁବାବୁ ପେନସନ୍ ଯୋଜନାରେ…

  • ୬୦ରୁ ୭୯ ବର୍ଷ ଯାଏଁ ନିରାଶ୍ରୟ ବୃଦ୍ଧ, ବୃଦ୍ଧା ଓ ବଧବାଙ୍କୁ ୫୦୦ ଟଙ୍କା ଭତ୍ତା
  • ୮୦ କିମ୍ବା ତାଠାରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ମାସିକ ୭୦୦ ଟଙ୍କା ପେନସନ୍
  • ୬୦ ପ୍ରତିଶତରୁ ଉର୍ଦ୍ଧ୍ୱ ଦିବ୍ୟାଙ୍ଗଙ୍କୁ ମାସିକ ୯୦୦ ଟଙ୍କାର ଆର୍ଥିକ ସହାୟତା

ଅନ୍ୟାନ୍ୟ ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନାରେ ଦିଆଯାଉଥିବା ଆର୍ଥିକ ସହାୟତା ଉପରେ ନଜର ପକାନ୍ତୁ…

  • ଓଡିଶା – ୫୦୦ରୁ ୯୦୦ ଟଙ୍କା
  • ଆନ୍ଧ୍ରପ୍ରଦେଶ- ୨,୭୫୦ ଟଙ୍କା
  • ହରିଆଣା- ୨,୭୫୦ ଟଙ୍କା
  • ଦିଲ୍ଲୀ- ୨,୦୦୦ରୁ ୨,୫୦୦
  • ତେଲେଙ୍ଗାନା- ୨,୦୦୦
  • ପଞ୍ଜାବ- ୧,୫୦୦

ରାଜସ୍ଥାନ ସରକାର ମଧ୍ୟ ଭତ୍ତା ଟଙ୍କା ମାସକୁ ୧ ହଜାରକୁ ବୃଦ୍ଧି କରିଥିବାବେଳେ ଏଣିକି ପ୍ରତିବର୍ଷ ୧୫ ପ୍ରତିଶତ ବଢାଇବାକୁ ଘୋଷଣା କରିଛନ୍ତି । ସବୁଠାରୁ ଚିନ୍ତାର ବିଷୟ ହେଲା ଆମ ରାଜ୍ୟରେ କମ୍ ଭତ୍ତା ଥିବାରୁ ଅଧିକ ଭତ୍ତାର ଲୋଭ ଦେଖାଇ ପଡୋଶୀ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଅନୁପ୍ରବେଶ ଚଳାଇଛି ।