କୋଟିଆକୁ ନେଇ ତେଜିଲା ରାଜନୀତି । ପ୍ରମିଳା କହିଲେ, କେନ୍ଦ୍ର ମଧ୍ୟସ୍ଥତା କରି ତୁଟାଉ ବିବାଦ । ଧର୍ମେନ୍ଦ୍ରଙ୍କ ଜବାବ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଚାଲନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇବା ।

219

କନକ ବ୍ୟୁରୋ : କୋଟିଆ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ବିଜେଡି-ବିଜେପି । କୋଟିଆ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ସମାଲୋଚନା କରିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି, ଧର୍ମେନ୍ଦ୍ର ତ ଗୋ ବ୍ୟାକ୍ ଆନ୍ଧ୍ରର ନାରା ଦେଲେ, ତାହେଲେ ଆନ୍ଧ୍ର ଆସିଲା କେଉଁଠୁ? ପ୍ରଚାର ପ୍ରସାର ପାଇଁ କେବଳ ଆନ୍ଧ୍ର ଗୋ ବ୍ୟାକ ନାରା ଥିଲା । ଯଦି ନାରା ଶୁଣି ଯେଉଁମାନେ ଆନ୍ଧ୍ରରୁ ଆସିଛନ୍ତି ସେମାନେ ପଳାଇ ଯାଉଥାନ୍ତେ ତେବେ ସୁପ୍ରିମକୋର୍ଟରେ ଏହି ମାମଲା କାହିଁକି ଲମ୍ବି ଚାଲିଛି । ଏହାର ସମାଧାନ ପାଇଁ ସୁପ୍ରିମକୋର୍ଟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ କେନ୍ଦ୍ର ସରକାର ମଧ୍ୟସ୍ଥତା କରି ଏହି ବିବାଦ ତୁଟାଇ ଦେଉନାହାନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କୋଟିଆ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । ସେଠାରେ ପଞ୍ଚାୟତ ନିର୍ବାଚନ ହୋଇଛି, ସ୍କୁଲ, ଅଙ୍ଗନବାଡି ଓ ରାସ୍ତା ନିର୍ମାଣ ସରିଛି । ତେଣୁ ରାଜ୍ୟ ସରକାରଙ୍କ ଆଡକୁ ଟେକା ପକାନ୍ତୁନି ବିଜେପି ନେତା ।

ଅନ୍ୟପଟେ ପ୍ରମିଳାଙ୍କ ଏହି ପ୍ରତିକ୍ରିୟାକୁ ନେଇ କାଉଣ୍ଟର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ଗୋ ବ୍ୟାକ କେବଳ ସାଙ୍କେତିକ ନାରା । ପୂର୍ବରୁ ବନ୍ଦେ ମାତରମ କହିଦେଲେ ଇଂରେଜ ମାନେ ଦେଶ ଛାଡି ଚାଲି ଯାଇନଥିଲେ । ଜଣେ ସ୍ୱାଭିମାନୀ ଓଡ଼ିଆ ଭାବେ କେହି ଆମ ମାଟିକୁ ନିଜର ବୋଲି କହିବ ସେତେବେଳେ ମୁଁ ଥରେ ନୁହେଁ ବାରମ୍ବାର ଓଡ଼ିଶା ବିରୋଧୀ ଶକ୍ତିଙ୍କୁ ଗୋ ବ୍ୟାକ୍ ବୋଲି କହିବି ।

ଧର୍ମେନ୍ଦ୍ର କହିଛନ୍ତି, କୋଟିଆ ଗସ୍ତରେ ଭିନ୍ନ ଚିତ୍ର ଦେଖିଥିଲି । କୋଟିଆ ପାଖାପାଖି ଅଞ୍ଚଳରେ ତେଲୁଗୁ ଭାଷାଭାଷୀ ବୋର୍ଡ ଲାଗିଲାଣି । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପ୍ରସାରର ପୋଷ୍ଟର ଲାଗିଲାଣି । ଏହି ବୋର୍ଡ କାହିଁକି ଲାଗିଛି ବୋଲି ପଚାରିବାରୁ ଆମ ସରକାରୀ ଅଧିକାରୀ ନିରୁତ୍ତର ରହିଥିଲେ । ଯଦି ମୋତେ ଗାଳି ଦେଲେ ସେମାନଙ୍କର ଦଳରେ ନମ୍ବର ବଢୁଛି ତେବେ ମୋତେ ଗାଳି ଦିଅନ୍ତୁ । କିନ୍ତୁ ମନ୍ତ୍ରୀଙ୍କ ବିଭାଗର ଯାହା କାମ ତାହା ଆଗ ଠିକ୍ ଢଙ୍ଗରେ ତୁଲାନ୍ତୁ ।

କେନ୍ଦ୍ରମନ୍ତ୍ରୀ ଏହାମଧ୍ୟ କହିଛନ୍ତି ଯେ, ମୁଁ ଓଡ଼ିଶା ଓ ଆନ୍ଧ୍ରର ମୁଖ୍ୟମନ୍ତ୍ରୀଙ୍କୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଅନୁରୋଧ କରି ଆସୁଛି । ଏଥିପାଇଁ ଓଡ଼ିଶାରେ ଏକମତ ହେବାକୁ ପଡିବ । ଅନ୍ୟ ରାଜ୍ୟଗୁଡିକ ନିଜ ରାଜ୍ୟର ସୁରକ୍ଷା ଓ ସ୍ୱାର୍ଥ ପାଇଁ ଦଳମତ ଭୁଲି ଦିଲ୍ଲୀରେ ଏକାଠି ହେଉଛନ୍ତି । ଓଡ଼ିଶାରେ କାହିଁକି ହେବନି । ରାଜ୍ୟ ସରକାର କେନ୍ଦ୍ର ଉପରେ ଦୋଷ ଲଦି ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା, ଆମ ରାଜ୍ୟର ଦାବି ଜଣାଇବା । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଆହ୍ୱାନ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ରାଜ୍ୟ ପ୍ରସଙ୍ଗରେ ସବୁ ଦଳ ଏକ ହୋଇ ଲଢିବା ଆବଶ୍ୟକ ବୋଲି କହିଛନ୍ତି ଧର୍ମେନ୍ଦ୍ର ।