ଅମିତ ଶାହଙ୍କ ଲିଖିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ରାଜନୀତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ରଖିଲେ ମତ।

301

କନକ ବ୍ୟୁରୋ: ଭାରତୀୟ ରାଜନୀତିର ଚାଣକ୍ୟ କୁହାଯାଉଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜୀବନୀ ଉପରେ ଲିଖିତ ‘ଅମିତ୍ ଶାହା ଓ ବିଜେପିର ଯାତ୍ରା’ ପୁସ୍ତକର ଉନ୍ମୋଚନ, ଓଡିଶା ରାଜନୀତିର ଭବିଷ୍ୟତ ଆଲୋଚନା ପାଇଁ ଏକ ସୁଯୋଗ ସୃଷ୍ଟି କରିଥିଲା । ଯେଉଁଠି ଥିଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ବରିଷ୍ଠ ସାମ୍ବାଦିକ ସ୍ୱପନ ଦାସଗୁପ୍ତାଙ୍କ ଭଳି ଅନୁଭବି ବ୍ୟକ୍ତି । ଆଉ ମଝିରେ ବସିଥିଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

ଅମିତଙ୍କ ଶାହାଙ୍କ ସଫଳତାର କାହାଣୀ ବଖାଣୁ ବଖାଣୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓଡିଶାରେ ବିଜେପିର ସ୍ଥିତିକୁ ନେଇ ଭବିଷ୍ୟବାଣୀ କରିଥିଲେ । ଆଉ କହିଥିଲେ ବିଜେପିକୁ ରାଜ୍ୟରେ ଏକ ନମ୍ବର ଦଳ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି । ଗୋଟିଏ ସମୟରେ ରାଜ୍ୟରେ ବିଜେପି ସପକ୍ଷରେ ୧୨ରୁ ୧୪ ପ୍ରତିଶତ ଭୋଟ ପଡୁଥିଲା, ଏବେ ୩୦ରୁ ୩୮ ପ୍ରତିଶତ ଭୋଟ ପାଉଛି ଦଳ । ସେପଟେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ରାଜନୈତିକ ଦଳ ଯିଏ ବି କରିଛି, ଦୁଇ ନମ୍ବରରୁ ଏକ ନମ୍ବର ହେବା ପାଇଁ ଚାହିଁବ, ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ।

କ୍ଷମତାରେ ରହିବା ପାଇଁ ଜାତି, ଧର୍ମ, ନାଁରେ ଆଗରୁ ଭୋଟ ପଡୁଥିଲା । ହେଲେ ଏବେ ସବୁ ରାଜନୈତିକ ଦଳ ବିଭିନ୍ନ ବର୍ଗକୁ ନିଜ ଆଡକୁ ଆଣିବା ପାଇଁ ଲାଭାର୍ଥି ବା ହିତାଧିକାରୀ ବର୍ଗ ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି ସୌମ୍ୟରଞ୍ଜନ । ଧର୍ମେନ୍ଦ୍ର କହିଥିଲେ, ମୋଦି ଓ ଅମିତ ଶାହାଙ୍କ ଲାଭାର୍ଥିର ସଂଜ୍ଞା ହେଲା ଗରିବ ଲୋକଙ୍କୁ ଘର, ଜଳ, ଉଜ୍ୱଳା ଗ୍ୟାସ ପହଞ୍ଚାଇବା ।

ଅମିତ୍ ଶାହ କେମିତି ଜଣେ ବୁଥସ୍ତରର କର୍ମକତାରୁ ବିଶ୍ୱର ସବୁଠାରୁ ବଡ ରାଜନୈତିକ ଦଳର ସଭାପତି ହେଲେ, ଅମିତ ଶାହା ଓ ବିଜେପିର ଯାତ୍ରା ପୁସ୍ତକରେ ରହିଛି ସେହି ସଫଳତାର କାହାଣୀ ।