୩ ଥର ବିଧାୟିକ. ୭ ଥର ସାଂସଦ । ୨୫ ବର୍ଷ ବୟସରେ ସର୍ବକନିଷ୍ଠ କ୍ୟାବିନେଟ ମନ୍ତ୍ରୀ, ଏମିତି ଥିଲା ସୁଷମାଙ୍କ ରାଜନୈତିକ କ୍ୟାରିୟର ।

359

କନକ ବ୍ୟୁରୋ : ପୂର୍ବ ବୈଦଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସୁଷମା ସ୍ୱରାଜଙ୍କ ଦେହାନ୍ତ । ଗତ କିଛି ମାସ ଧରି ଗୁରୁତର ଅସୁସ୍ଥ ଥିବା ସୁଷମା ସ୍ୱରାଜ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୬୭ ବର୍ଷ ବୟସରେ ଦିଲ୍ଲୀର ଏମ୍ସରେ ଆଖି ବୁଜିଛନ୍ତି ସୁଷମା । ନିଜ କାର୍ଯ୍ୟଦକ୍ଷତା ବଳରେ ପୂରା ଦେଶବାସୀଙ୍କ ମନ ଜିଣିଥିବା ସୁଷମା ଅତି କମ ବୟସରୁ ହିଁ ରାଜନୀତିରେ ଏଣ୍ଟ୍ରି କରିଥିଲେ । ହରିୟାଣାରୁ ରାଜନୀତି କ୍ୟାରିୟର ଆରମ୍ଭ କରିଥିବା ସୁଷମା ପରବର୍ତ୍ତୀ ସମୟରେ ଜାତୀୟ ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିବାରେ ସକ୍ଷମ ହୋଇଥିଲେ ।

ସୁଷମା ସ୍ୱରାଜ ନିଜର ରାଜନୈତିକ କ୍ୟାରିୟରରେ ଅନେକ ମାଇଲଖୁଣ୍ଟ ହାସଲ କରିଛନ୍ତି । ପଞ୍ଜାବର ଅମ୍ବଲା ଏବେ (ହରିୟାଣା)ରେ ଜନ୍ମଗ୍ରହଣ କରିଥିବା ସୁଷମା ୧୯୭୭ରେ ମାତ୍ର ୨୫ ବର୍ଷ ବୟସରେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେତେବେଳେ ଦେଶର ସର୍ବକନିଷ୍ଠ କ୍ୟାବିନେଟ ମନ୍ତ୍ରୀ ଭାବେ ରେକର୍ଡ କରିଥିଲେ ସୁଷମା ।୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ୮ଟି ବିଭାଗର ମନ୍ତ୍ରୀ ରହିଥିଲେ ସୁଷମା । ପରେ ୨୭ ବର୍ଷ ବୟସରେ ୧୯୭୯ରେ ହରିୟାଣା ରାଜ୍ୟର ଜନତା ଦଳର ଅଧ୍ୟକ୍ଷ ହୋଇଥିଲେ ସୁଷମା ।

୩ ଥର ବିଧାୟିକା ଓ ୭ ଥର ସାଂସଦ ଥିବା ସୁଷମା ୧୯୯୮ରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ସେହିଭଳି ଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ପ୍ରଥମ ମହିଳା କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଓ ପ୍ରଥମ ମହିଳା ବିରୋଧୀ ଦଳ ନେତା ହେବାର ରେକର୍ଡ ନିଜ ନାଁରେ କରିଥିଲେ ସୁଷମା । ଏହାଛଡା ଇନ୍ଦିରା ଗାନ୍ଧୀଙ୍କ ପରେ ଦେଶର ଦ୍ୱିତୀୟ ମହିଳା ବୈଦଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ସୁଷମା । ବିଗତ ୪ ଦଶନ୍ଧିରେ ୧୧ ଥର ନିର୍ବାଚନ ଲଢିଥିବା ସୁଷମା ଅସୁସ୍ଥତା କାରଣରୁ ଚଳିତ ନିର୍ବାଚନ ଲଢିନଥିଲେ ।