ଧାରା ୩୭୦ର ଉଚ୍ଛେଦକୁ ସେତେବେଳେ ସଂସଦରେ କଣ କହିଥିଲେ ସୁଷମା? ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ସୁଷମାଙ୍କ ସେହି ସମୟର ଭାଷଣର ଭିଡ଼ିଓ ।

519

କନକ ବ୍ୟୁରୋ : ପୂର୍ବତନ ବୈଦଶିକ ମନ୍ତ୍ରୀ ତଥା ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତ ପରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି । ସୋସିଆଲ ମିଡ଼ିଆରେ ମଧ୍ୟ ସାଧାରଣ ଲୋକ ଶୋକ ବ୍ୟକ୍ତ କରିଛନ୍ତି । ସୁଷମାଙ୍କ ପୁରୁଣା ଦିନର ସ୍ମୃତିକୁ ମନେ ପକାଇ ସୋସିଆଲ ମିଡ଼ିଆରେ ମଧ୍ୟ ଅନେକ ଭିଡ଼ିଓ ସେୟାର କରାଯାଉଛି । ଯେଉଁଥିରେ ସଂସଦରେ ଧାରା ୩୭୦ ଉଚ୍ଛେଦ ନେଇ ସୁଷମା ଦେଇଥିବା ଭାଷଣର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି । ଏହି ଭିଡ଼ିଓରେ ଧାରା ୩୭୦କୁ ନେଇ ବିରୋଧୀଙ୍କ ଉପରେ ବର୍ଷୁଥିବାର ଦେଖିବାକୁ ମିଳିଛି । ଏପରିକି ଜମ୍ମୁ-କାଶ୍ମୀରରେ ଧାରା ୩୭୦ ହଟିବା ଦରକାର ବୋଲି ଜୋରଦାର ଦାବି କରୁଛନ୍ତି ।

ଏହି ଭିଡ଼ିଓରେ ସୁଷମା ସ୍ୱରାଜ କହିଛନ୍ତି, ଅନେକ ହିଂସାରେ ସାମିଲ ଥିବା ଦଳ ନିଜକୁ ଧର୍ମନିରପେକ୍ଷ ବୋଲି କହୁଛନ୍ତି । ଆଉ ଆମେ ନିଜକୁ ହିନ୍ଦୁ ବୋଲି ଗର୍ବ କରୁଥିବାରୁ ସାଂପ୍ରଦାୟିକ ବୋଲି କୁହାଯାଉଛି । ଦେଶରେ ଏମିତି ଅନେକ ଦଳ ଅଛନ୍ତି ଯେଉଁମାନେ ହିନ୍ଦୁଙ୍କୁ ଗାଳି ଦେବା ସହ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିଥାନ୍ତି । ଏହା ଏମାନଙ୍କର ଧର୍ମନିରପେକ୍ଷତା ।

ଏସବୁ ଭିତରେ ସୁଷମାଙ୍କ ଦେହାନ୍ତ ପୂର୍ବରୁ କାଶ୍ମୀରରୁ ଧାରା ୩୭୦ ହଟିଛି । ତେବେ ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ନିଜର ଶେଷ ଟ୍ୱିଟରେ ଧାରା ୩୭୦ ଉଚ୍ଛେଦ ପାଇଁ ମୋଦି ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସୁଷମା । ଏହାସହ ଶେଷ ଟ୍ୱିଟରେ ସୁଷମା ଲେଖିଛନ୍ତି, ଜୀବନରେ ଏହି ଦିନକୁ ମୁଁ ପ୍ରତୀକ୍ଷା କରି ରହିଥିଲି । ଆଉ ଏହି ଟ୍ୱିଟ୍ ସାମ୍ନାକୁ ଆସିବା ପରେ ସୋସିଆଲ ମିଡ଼ିଆରେ ମଧ୍ୟ ୟୁଜର୍ସ ସୁଷମାଙ୍କ ପୁରୁଣା ଭିଡ଼ିଓ ସେୟାର କରିଛନ୍ତି । ଆଦିତ୍ୟ ରାଠୋର ନାମକ ୟୁଜର୍ସ ଭିଡ଼ିଓ ସେୟାର କରିବା ସହ ଲେଖିଛନ୍ତି, ମା’ ଏମିତି କେମିତି ଆରପାରିକୁ ଚାଲିଗଲ ।