ପିଏନବି ମହାଦୁର୍ନୀତିର ମାଷ୍ଟରମାଇଣ୍ଡ ନିରବ ମୋଦିଙ୍କ ସଂପତି ସିଜ୍ : ଏକକାଳୀନ ୨୩ଟି ସ୍ଥାନରେ ଚଢାଉ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ୫ ହଜାର ୧୦୦ କୋଟି ଜବତ୍

38

କନକ ବ୍ୟୁରୋ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଦୁର୍ନୀତିର ମାଷ୍ଟରମାଇଣ୍ଡ ନିରବ ମୋଦିଙ୍କ ୫ହଜାର ଶହେ କୋଟି ଟଙ୍କାର ସଂପତି ସିଜ୍ । ହୀରା ବ୍ୟବସାୟୀ ନିରବ ମୋଦି ଓ ତାଙ୍କ ସହଯୋଗୀ ମେହୁଲ ଚୋକସିଙ୍କ ୨୩ଟି ବିଭିନ୍ନ ସ୍ଥାନରେ ଏକକାଳୀନ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମୁମ୍ବାଇ, ଦିଲ୍ଲୀ, ସୁରଟ, ହାଇଦ୍ରାବାଦରେ ଓ ଜୟପୁରରେ ଗୁରୁବାର ଚଢାଉ କରିଛି ଇଡି । ଏଥିସହ ନିରବଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଂଟରେ ଥିବା ୩ କୋଟି ଚଙ୍କା ମଧ୍ୟ ଜବତ ହୋଇଛି । ନିରବଙ୍କ କମ୍ପାନିର ବିଭିନ୍ନ ଗହଣା ଷ୍ଟୋର ଉପରେ ଚଢାଉ କରି ହୀରା ଗହଣା ଓ ମୂଲ୍ୟବାନ ପଥର ସହ ମୋତି, ସୁନା ଓ ରୁପା ଆଦି ଜବତ କରାଯାଇଛି ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଜାଲ ଗ୍ୟାରେଂଟି ହାସଲ କରି ଅନ୍ୟ ଭାରତୀୟ ବ୍ୟାଙ୍କର ବିଦେଶୀ ଶାଖାରୁ ୧୧ହଜାର ୩ଶହ କୋଟି ଟଙ୍କା ଚୁନା ଲଗାଇଛନ୍ତି ଏହି ପ୍ରଖ୍ୟାତ ହୀରା ବ୍ୟବସାୟୀ ନିରବ ମୋଦି । ବୁଧବାର ଏହି ମହାଦୁର୍ନୀତି ସାମ୍ନାକୁ ଆସିବା ପରେ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି । ଏହି ଦୁର୍ନୀତି ଜଣାପଡିବା ପରେ ଜାନୁଆରୀ ୩୧ ତାରିଖରେ ସିବିଆଇ ଲୁକ ଆଉଟ ସର୍କୁଲାର ଜାରି କରିଥିଲା । ହେଲେ ଏହା ପୂର୍ବରୁ ଭାରତରୁ ଫେରାର ହୋଇଯାଇଛନ୍ତି ଧୂର୍ତ୍ତ ନିରବ ମୋଦି ।

ଦେଶର ଦ୍ୱିତୀୟ ସର୍ବବୃହତ ରାଷ୍ଟ୍ରାୟତ ବ୍ୟାଙ୍କ, ପଂଜାବ ନ୍ୟାସନାଲ୍ ବ୍ୟାଙ୍କକୁ ୧୧ ହଜାର କୋଟିରୁ ଅଧିକ ଟଙ୍କାର ଚୂନା ଲଗାଇଛନ୍ତି ବିଶିଷ୍ଟ ହୀରା ବ୍ୟବସାୟୀ ନିରଭ ମୋଦି । ବ୍ୟାଙ୍କ ଠକେଇରେ ମଦ ଟାଇକୁନ୍ ବିଜୟ ମାଲ୍ୟାକୁ ବି ଟପି ଯାଇଛନ୍ତି ନିରଭ । ତେବେ ଏହି ସ୍କାମର ପର୍ଦ୍ଦାଫାସ ହେବା ପୂର୍ବରୁ ସେ ପରିବାର ସହ ବିଦେଶକୁ ଖସି ପଳାଇଛନ୍ତି । ହେଉଥିବା ଚର୍ଚ୍ଚା ଅନୁସାରେ ସ୍ୱିଜରଲାଣ୍ଡରେ ଅଛନ୍ତି ପିଏନବି ମହାଦୁର୍ନୀତିର ମାଷ୍ଟରମାଇଣ୍ଡ ନିରବ ମୋଦି ଲଳିତ ମୋଦି ଓ ବିଜୟ ମାଲ୍ୟାଙ୍କ ଭଳି ଅତ୍ୟନ୍ତ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ନିବର ଫେରାର ହୋଇଯାଇଥିବାରୁ ଏହା ପଛରେ ସରକାରଙ୍କ ହାତଥିବା ଅଭିଯୋଗ ଆଣି ମୋଦି ସରକାରଙ୍କୁ କାଠଗଡାରେ ଛିଡା କରାଇଛନ୍ତି ବିରୋଧୀ ଦଳଗୁଡିକ । ନିରବଙ୍କ ପତ୍ନୀ ଜଣେ ଆମେରିକୀୟ ନାଗରିକ ହୋଇଥିବାବେଳେ ତାଙ୍କ ସଂପର୍କୀୟ ମେହୁଲ ଚୋକସି ଜାନୁଆରୀ ୪ ତାରିଖରେ ଭାରତ ଛାଡିଥିବା ଜଣାପଡିଛି । ନିରବ ମୋଦିଙ୍କ ଭାଇ ମଧ୍ୟ ବେଲଜିୟମ ନାଗରିକ ଓ ସେ ଜାନୁଆରୀ ପହିଲାରେ ଭାରତ ଛାଡି ଚାଲିଯାଇଥିବା ସୂଚନା ମିଲିଛି । ସିବିଆଇର ମାମଲା ଆଧାରରେ ପ୍ରବର୍ତନ ନିର୍ଦ୍ଦେଶାଳୟ ନିରବଙ୍କ ବିରୋଧରେ ଅର୍ଥ ହଡପ ଅଭିଯୋଗରେ ଛାନଭିନକୁ ଜୋରଦାର କରିଛି ।