ଦିଲ୍ଲୀ ପରେ ଏବେ ଅହମ୍ମଦାବାଦରେ ପୋଷ୍ଟର ବିବାଦ, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟର ଲଗାଇଥିବା ଅଭିଯୋଗରେ ୮ଗିରଫ

182

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟର ଲଗାଇବା ଏବେ ମହଙ୍ଗା ପଡିଛି । ଦିଲ୍ଲୀରେ ଏଭଳି ପୋଷ୍ଟର ଲଗାଇ ୬ଜଣ ଗିରଫ ହୋଇଥିବା ବେଳେ ଏବେ ଗୁଜରାଟରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଗୁଜରାଟର ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟର ଲଗାଇଥିବା ଅଭିଯୋଗରେ ଆମ୍ ଆଦମୀ ପାର୍ଟିର ୮ଜଣ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଗିରଫ କରିଛି ।

ସମାଚାର ଏଜେନ୍ସି ଏଏନଆଇ ମୁତାବକ ଅହମ୍ମଦାବାଦର ଅନେକ ଅଞ୍ଚଳରେ ‘ମୋଦୀ ହଟାଅ ଦେଶ ବଞ୍ଚାଅ’ ପୋଷ୍ଟର ଲଗାଯାଇଛି । ଏଭଳି ପୋଷ୍ଟର ଲଗାଉଥିବା ଅଭିଯୋଗରେ ପୋଲିସ ୮ଜଣ ଆପ୍ କାର୍ଯ୍ୟକର୍ତ୍ତାଙ୍କୁ ଅହମ୍ମଦାବାଦରୁ ଗିରଫ କରିଛି ।

ସେପଟେ ଏଭଳି ଗିରଫକୁ ବିରୋଧ କରିଛି ଆମ୍ ଆଦମୀ ପାର୍ଟିର ଗୁଜରାଟ କମିଟି । ଦଳ ତରଫରୁ ଟ୍ୱିଟ୍ କରି ଗୁଜରାଟ ପୋଲିସର ଏଭଳି ପଦକ୍ଷେପ ଲୋକତନ୍ତ୍ର ପାଇଁ ବିପଦ ବୋଲି ଲେଖାଯାଇଛି । ଗୁଜରାଟ ପୋଲିସର ଅପରାଧ ଶାଖା ଏକ ପ୍ରେସ ରିଲିଜ କରି କହିଛି କି, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟର ଲଗାଇଥିବା ଅଭିଯୋଗରେ ମଣିନଗର, ବଟବା, ନାରୋଲ ଓ ବଡଜ ଭଳି ଅଞ୍ଚଳରୁ ମୋଦୀ ହଟାଅ ଦେଶ ବଞ୍ଚାଅ ପୋଷ୍ଟର ଲଗାଇ ଜାତୀୟ ସମ୍ପତ୍ତିକୁ ନଷ୍ଟ କରୁଥିବା ଅଭିଯୋଗରେ ୮ଜଣଙ୍କୁ ଗିରଫ କରାଯାଇଛି ।

ଆମ୍ ଆଦମୀ ପାର୍ଟିର ଗୁଜରାଟ ଉପାଧ୍ୟକ୍ଷ ସାଗର ଶବାରୀ କହିଛନ୍ତି ଦଳ ତରଫରୁ ଗୁରୁବାର ଠାରୁ ଭିନ୍ନ ଭିନ୍ନ ରାଜ୍ୟରେ ଏହି ପୋଷ୍ଟର ଲଗାଯାଉଛି । ହେଲେ କେବଳ ଗୁଜରାଟ ପୋଲିସ ଆପ୍ ର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାମଲା ରୁଜୁ କରୁଛି ।