ନବ ଦାସଙ୍କ ଗୋଳମାଳିଆ ବୟାନ ! ଏବେ କଂଗ୍ରେସରେ, ଭବିଷ୍ୟତ କ’ଣ ?

ନବଙ୍କ ଭବିଷ୍ୟତ ରେଖାରେ କେଉଁ ନୂଆ ମୋଡ଼ ଆସିବ ନା ଖୋଦ୍ ନବ ଦାସ ଆସନ୍ତା ନିର୍ବାଚନ ପାଇଁ ତାଙ୍କ ଭାଗ୍ୟରେଖାକୁ ବଦଳାଇ ଦେବେ ତାହାକୁ ନେଇ ଏବେ ବି ଝାରସୁଗୁଡ଼ାରୁ ଭୁବନେଶ୍ୱର ଚା’ ଖଟିରେ ସସପେନ୍ସ ବଢ଼ିବାରେ ଲାଗିଛି ।

435

କନକ ବ୍ୟୁରୋ: କଂଗ୍ରେସର ହେଭିୱେଟ ନେତା ତଥା ପିସିସି କାର୍ଯ୍ୟକାରୀ ସଭାପତି ନବ ଦାସଙ୍କୁ ନେଇ ଚର୍ଚ୍ଚା ଥମିବାର ନା ନେଉନାହିଁ । କାରଣ ବିଜେଡ଼ି ମୋହରେ କୁଆଡ଼େ ମତୁଆଲା ହୋଇଛନ୍ତି ପଶ୍ଚିମ ଓଡ଼ିଶା କଂଗ୍ରେସର ଏହି ଟାଣୁଆ ନେତା । ହେଲେ ଗତ କିଛି ଦିନ ତଳେ ଖୋଦ୍ ନବ ଦାସ କଂଗ୍ରେସ ନଛାଡ଼ିବା ନେଇ ଏକ ପ୍ରେସ୍ ରିଲିଜ୍ ଜରିଆରେ ସ୍ପଷ୍ଟୀକରଣ ରଖିଥିଲେ । କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ ନବ ଦାସ ହାତ ଛାଡ଼ି ଶଙ୍ଖ ଧରିବାକୁ ମନବଳାଉଥିବା ଚର୍ଚ୍ଚା ପୁଣି ଜୋର ଧରିଛି । ଏହାର ପଛର ଗୁମର ହେଉଛି ନବ ଦାସଙ୍କ ଗୋଳମାଳିଆ ବୟାନ । ପଶ୍ଚିମ ଓଡ଼ିଶା କଂଗ୍ରେସର ଟାଣୁଆ ନେତା ନବ ଦାସ ବର୍ତ୍ତମାନ କଂଗ୍ରେସରେ ଅଛନ୍ତି କିନ୍ତୁ ଭବିଷ୍ୟତ କଥା ସେ ଜାଣି ନାହାନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ପୁଣି ଉଷ୍ମତା ଦେଖାଦେଇଛି ।

ନବଙ୍କ ଭବିଷ୍ୟତ ରେଖାରେ କେଉଁ ନୂଆ ମୋଡ଼ ଆସିବ ନା ଖୋଦ୍ ନବ ଦାସ ଆସନ୍ତା ନିର୍ବାଚନ ପାଇଁ ତାଙ୍କ ଭାଗ୍ୟରେଖାକୁ ବଦଳାଇ ଦେବେ ତାହାକୁ ନେଇ ଏବେ ବି ଝାରସୁଗୁଡ଼ାରୁ ଭୁବନେଶ୍ୱର ଚା’ ଖଟିରେ ସସପେନ୍ସ ବଢ଼ିବାରେ ଲାଗିଛି । ଏପରିକି ନବ ଦାସ ପୁରୁଣା ପାଠର ପୁନରାବୃତି କରିଲା ଭଳି କହିଛନ୍ତି ଯେ, ମୁଁ ଅନ୍ୟ କେଉଁ ଦଳରେ ସାମିଲ ହେବି ସେ ନିଷ୍ପତି ମୁଁ ନେବି ନାହିଁ କିନ୍ତୁ ମୋ ସମର୍ଥକମାନେ ଯେଉଁ ନିଷ୍ପତି ନେବେ ମୁଁ ତାହା ହିଁ କରିବି । ଅନ୍ୟପଟେ ବିଜେଡି ସହ ସମ୍ପର୍କକୁ ନେଇ ନବ କହିଛନ୍ତି ଯେ, ବିଜେଡି କଥା ମୁଁ ଜାଣି ନାହିଁ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଜଣେ ଭଲ ଲୋକ ପଶ୍ଚିମ ଓଡ଼ିଶା ପାଇଁ ନବୀନ ବାବୁ ଅନେକ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ କରିଛନ୍ତି । ଏବେ କଂଗ୍ରେସରେ ଅଛି ଭବିଷ୍ୟତ କଥା କିଏ ଜାଣିଛି ବୋଲି କହି ଅଗାମୀ ନିର୍ବାଚନ ପୂର୍ବରୁ ରାଜନୈତିକ ଖୋରାକ ଦେଇଛନ୍ତି ନବ ଦାସ ।

ଅନ୍ୟପଟେ ନିର୍ବାଚନୀ ବର୍ଷ ଆରମ୍ଭ ହେବାମାତ୍ରେ ଦଳ ଦଦଳ ହେବ ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଗତ ଡିସେମ୍ବର ୧୧ ତାରିଖର ୫ଟି ରାଜ୍ୟର ବିଧାନସଭା ନିର୍ବାଚନୀ ଫଳାଫଳ କଂଗ୍ରେସକୁ ଏକ ନୂଆ ବିଶ୍ୱାସ ଦେଇଛି । ଆଉ ଏହାରି ମଧ୍ୟରେ ଓଡ଼ିଶାରେ ମଧ୍ୟ କଂଗ୍ରେସ ତା’ର ପୂର୍ବ ସ୍ଥିତିକୁ ଖୋଜୁଛି । ହେଲେ ନବ ଦାସଙ୍କୁ ଏବେ ବିଜେଡ଼ି ମାନିଆ ଘାରିଛି ବୋଲି ରାଜନୀତି କରିଡ଼ରର ହଟ୍ ଟପିକ୍ ପାଲଟିଛି । ତେବେ ନୂଆ ବର୍ଷରେ ଆଗକୁ କିଛି ନୂଆ ରାଜନୀତି ସମୀକରଣ ଦେଖିବ କି ଓଡ଼ିଶା ରାଜନୀତି ? କେଉଁ ଦଳର ନେତା କାହା ହାତ ଧରିବେ ଆଉ କାହାକୁ ବାଛିବେ ତାହାକୁ ନେଇ ଏବେଠୁ ସସପେନ୍ସ ରହିଛି ।