ଖୋଲୁଛି ପାରଳା ଷଡଯନ୍ତ୍ରର ଗୁମର : ସାମ୍ନାକୁ ଆସିଲା ଗୁପ୍ତ ଆଲୋଚନାର ଫଟୋ

31

କନକ ବ୍ୟୁରୋ : ପାରଳା ଗଣଆତ୍ମହତ୍ୟାର ରହସ୍ୟ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି । ରାଜା ନଜରବନ୍ଦୀ ଅଛନ୍ତି ବୋଲି ଖବର ପ୍ରସାରଣ କରି ଷଡଯନ୍ତ୍ରର ନକ୍ସା ତିଆରି କରାଯାଇଥିଲା । ଧିରେ ଧିରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ଫଟୋରେ କୌଣସି ଏକ ବନ୍ଦ କୋଠରୀ ଭିତରେ ଚାଲିଛି ଗୁପ୍ତ ମନ୍ତ୍ରଣା । ଏହି ଫଟୋରେ ଅଛନ୍ତି ପାରଳା ରାଜା ଗୋପିନାଥ ଗଜପତିଙ୍କ ଭାଇ ଜଗନ୍ନାଥ ଗଜପତି ଓ ଭାଇ ବୋହୂ ଶୈଳଜା ଦେବୀ । ପାଖରେ ଅଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ.ସୂର୍ଯ୍ୟା ରାଓ । ବୈଠକରେ ଆଉ ଦୁଇ ଜଣ ମଧ୍ୟ ଉପସ୍ଥିତ ଅଛନ୍ତି । ସେମାନଙ୍କର ପରିଚୟ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସେମାନେ ସାମ୍ବାଦିକ ବୋଲି ଅନୁମାନ କରାଯାଉଛି । ମିଳିଥିବା ସୂଚନା ଅନୁସାରେ ରାଜା ନଜରବନ୍ଦୀ ବୋଲି ଖବର ପ୍ରସାରଣ ପୂର୍ବରୁ ଏହି ବୈଠକ ବସିଥିଲା ।

ଏହି ତଥ୍ୟ ମଧ୍ୟ ସମସ୍ତେ ଜାଣନ୍ତି ଯେ ସମ୍ପତି ବିବାଦକୁ ନେଇ ପାରଳା ରାଜା ଗୋପୀନାଥ ଗଜପତି ଓ ତାଙ୍କ ଭାଇ ଓ ଭାଇବୋହୁଙ୍କ ସହ ଅନେକ ବର୍ଷ ଧରି ବିବାଦ ରହିଛି । ଏ ସଂକ୍ରାନ୍ତରେ ରାଜାଙ୍କ ଆଇନ ପରାମର୍ଶଦାତା ମଧ୍ୟ ସୂଚନା ଦେଇଛନ୍ତି । ପ୍ରଶ୍ନ ଉଠୁଛି ରାଜା ଓ ତାଙ୍କ ଭାଇଙ୍କ ମଧ୍ୟରେ ସମ୍ପତିକୁ ନେଇ କୋର୍ଟରେ ମାମଲା ଚାଲିଥିବା ବେଳେ ଏହି ଗୁପ୍ତ ବୈଠକରେ ରାଜାଙ୍କ ଭାଇ ଓ ଭାଇବୋହୂଙ୍କ ସହ ବିଧାୟକ କ’ଣ ଆଲୋଚନା କରୁଛନ୍ତି? ଏହି ବୈଠକର କିଛି ଦିନ ପରେ ରାଜା ନଜରବନ୍ଦୀ ବୋଲି ପ୍ରଚାର କରାଯାଇଥିଲା । ଏବଂ ପାରଳା ରାଜପ୍ରାସାଦ ଆଗରେ ବହୁ ସଂଖ୍ୟାରେ ଲୋକଙ୍କୁ ଏକାଠି କରାଯାଇ ରାଜାଙ୍କ ଦେହ ଅତି ଖରାପ ବୋଲି ପ୍ରଚାର କରାଗଲା ।

ଏକ ନ୍ୟୁଜ୍ ଚ୍ୟାନେଲ ଏହାର ମୁଖ୍ୟ ସୁତ୍ରଧର ପାଲଟିଲା । ଏବଂ ସମସ୍ତେ ଭାବିନେଲେ ଯେ ରାଜାଙ୍କୁ ଭିତରେ ବନ୍ଦୀ କରିଦିଆଯାଇଛି ଏବଂ ତାଙ୍କୁ ମୁକ୍ତ କରିବା ଏକାନ୍ତ ଆବଶ୍ୟକ । କିନ୍ତୁ ଏହି ପ୍ରଚାର ପଛରେ ଏକ ଷଡଯନ୍ତ୍ର ଥିଲା କି ନାହିଁ ତାହା ଜାଣିବାକୁ କେହି ଚେଷ୍ଟା କରିନାହାନ୍ତି । ପାରଳା ରାଜାଙ୍କର ପ୍ରାୟ ୫ଶହ କୋଟିର ସମ୍ପତି ରହିଛି । ଏହି ସମ୍ପତିକୁ ନେଇ ରାଜ ପରିବାର ଭିତରେ ବିବାଦ ଥିବା ନେଇ ଗଜପତି ଜିଲ୍ଲାପାଳ ମଧ୍ୟ ସୂଚନା ଦେଇଥିଲେ । ବର୍ତମାନ ଏହି ଫଟୋ ଏକ ବଡ ପ୍ରଶ୍ନ ଛିଡା କରୁଛି । ରାଜା ନଜରବନ୍ଦୀ ଅଛନ୍ତି ବୋଲି ପ୍ରଚାର କରିବା ପଛରେ ଏକ ବଡ ଷଡଯନ୍ତ୍ର ଥାଇପାରେ ବୋଲି ଚର୍ଚ୍ଚା ହେଉଛି ।