ନିର୍ବାଚନ ଲଢ଼ିବେ ସୀମା ହାଇଦର ! ମିଳିଲା ଟିକେଟ ଅଫର, ଗ୍ରହଣ କଲେ ସୀମା

492

କନକ ବ୍ୟୁରୋ : ଭାରତ ହେଉକି ପାକିସ୍ତାନ , ସବୁଠି ଏବେ ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା । କେବେ ସୀମାଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚାକିରି କରିବାକୁ ପ୍ରସ୍ତାବ ମିଳୁଛି ତ କେବେ ମିଳୁଛି ସିନେମାରେ ଅଭିନୟ କରିବାର ଅଫର୍ । ଆଉ ଏବେ ତାଙ୍କୁ ନେଇ ଆସିଛି ନୂଆ ଖବର । ଏନଡ଼ିଏର ସହଯୋଗୀ ଦଳ ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେଙ୍କ ଦଳ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆରୁ ଏହି ପ୍ରସ୍ତାବ ମିଳିଛି । ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ ଏବେ ସୀମାକୁ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତାବ ଦେଇଛି । କେବଳ ସେତିକି ନୁହେଁ ଟିକେଟ ଯାଚିବା ପରେ ଏହାକୁ ସୀମା ସ୍ୱିକାର କରିଥିବା ଜଣାପଡିଛି । ଚର୍ଚ୍ଚା ହେଉଛି ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳ ତାଙ୍କୁ ମଇଦାନକୁ ଓହ୍ଲାଇବା ଚାହୁଁଛି । ‘ଆରପିଆଇ’ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କିଶୋର ମାସୁମ ସୀମାଙ୍କୁ ଦଳରେ ସାମିଲ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ । ଅଠାୱଲେ କହିଛନ୍ତି, ସୀମା ହାଇଦରଙ୍କ ସହ ଆମ ଦଳର କୈାଣସି ସମ୍ପର୍କ ନାହିଁ । ତାଙ୍କୁ ଦଳରେ ସାମିଲ କରିବାର କୈାଣସି ପ୍ରଶ୍ନ ଉଠୁ ନାହିଁ । ସୀମାକଙ୍କୁ ଟିକେଟ ଅଫର ନେଇ ଦଳରେ ଫାଟ ଦେଖାଦେଲାଣି ।

ସୀମାଙ୍କୁ ଆରପିଆଇ ଦଳ ପକ୍ଷରୁ ପ୍ରସ୍ତାବ ମିଳିଥିବା ଖବର ସାମ୍ନାକୁ ଆସିବା ସହ ମହିଳା ସଙ୍ଗଠନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇପାରେ ବୋଲି କୁହାଯାଇଛି । ଏହା ସହ ତାଙ୍କ କହିବା ଶୈଳୀକୁ ନେଇ ଦଳର ମୁଖପାତ୍ର କରାଯାଇପାରେ । ତେବେ ସୁରକ୍ଷା ଏଜେନ୍ସିଙ୍କ ନିକଟରୁ କ୍ଲିନ ଚିଟ୍ ମିଳିବା ପରେ ଦଳ ନିଷ୍ପତି ନେବ ବୋଲି କୁହାଯାଉଛି । ସୀମାଙ୍କୁ ଭାରତର ନାଗରିକତା ମିଳିଗଲା ପରେ ନିର୍ବାଚନ ଲଢ଼ିବାନେଇ ସବୁଜ ସଙ୍କେତ ମିଳିବ ବୋଲି ‘ଆରପିଆଇ’ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କିଶୋର ମାସୁମ କହିଛନ୍ତି ।

ସୀମାଙ୍କୁ ନେଇ ଏବେ ବି ଥମିନି ସନ୍ଦେହ । ପାକିସ୍ତାନର ଗୁଇନ୍ଦା ଭାବେ ଭାରତ ଆସିଥିବା ସୀମାଙ୍କୁ ସନ୍ଦେହ କରାଯାଉଛି ଏବଂ ତଦନ୍ତ ମଧ୍ୟ ଚାଲିଛି । ବିଭିନ୍ନ ଆଡ଼ୁ ସୀମାଙ୍କୁ ପ୍ରସ୍ତାବ ମିଳୁଥିବାବେଳେ ଏହାରି ମଧ୍ୟରେ ଗୋଟିଏ ରାଜନୈତିକ ଦଳରେ ସୀମାଙ୍କ ସାମିଲକୁ ନେଇ ବଢ଼ିଛି ଚର୍ଚ୍ଚା ।