ସାରା ରାଜ୍ୟରେ ପାଳନ ହେଲା ଓଡ଼ିଆ ନବବର୍ଷ । ମହାବିଷୁବ ସଂକ୍ରାନ୍ତି ପାଇଁ ବିଭିନ୍ନ ଦେବୀ ପୀଠ ଉତ୍ସବ ମୁଖର

142

କନକ ବ୍ୟୁରୋ: ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ । ଦୁଇ ବର୍ଷ ପରେ କଟକଣା ହଟିଥିବାରୁ ଓଡିଆ ନୂଆ ବର୍ଷରେ ବିଭିନ୍ନ ମନ୍ଦିରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଘଟଗାଁ ତାରିଣୀ ପୀଠରେ ମାଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ସେପଟେ ରାଜ୍ୟର ବିଭିନ୍ନ ହନୁମାନ ମନ୍ଦିରରେ ପାଳିତ ହୋଇଛି ମହାବୀର ଜୟନ୍ତୀ । ଏହି ଅବସରରେ ବିଭିନ୍ନ ସ୍ଥାନରେ ଆଖଡା, କୁସ୍ତିର ଆସର ମଧ୍ୟ ଦେଖିବାକୁ ମିଳିଛି ।

ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ପାଳନ ପାଇଁ ଉତ୍ସବ ମୁଖର ଗାଁଠୁ ସହର । ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁଁ ଏହା ପାଳନ ହୋଇପାରିନଥିଲା । ହେଲେ, ଏବର୍ଷ କଟକଣା ହଟିଥିବାରୁ ସବୁଠି ବେଶ୍ ଧୁମଧାମରେ ପାଳନ ହୋଇଛି । ସଂକ୍ରାନ୍ତି ପାଇଁ ରାଜ୍ୟର ପ୍ରାୟ ସବୁ ମନ୍ଦିରରେ ଦେଖିବାକୁ ମିଳିଥିଲା ଭିଡ । ବିଶେଷ କରି ଦେବୀ ପୀଠମାନଙ୍କରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି ।

ଘଟଗାଁ ତାରିଣୀ ପୀଠରେ ମାଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ଦିନ ସାରା ପହୁଡ ନପଡି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମା । ଆଜି ଦିନରେ ମାଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଦୂରଦୂରାନ୍ତରୁ ଆସି ଦର୍ଶନ କରିଛନ୍ତି । ଶ୍ରଦ୍ଧାଳୁମାନେ କିଭଳି ସୁରଖୁରରେ ମାଙ୍କ ଦର୍ଶନ କରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ରାଜ୍ୟର ଅନ୍ୟତମ ପ୍ରମୁଖ ଶକ୍ତିପୀଠ ଶାରଳା ପୀଠ । ଦୁଇ ବର୍ଷ ପରେ କଟକଣା ହଟିଥିବାରୁ ଚଳିତ ବର୍ଷ ବେଶ ଧୁମଧାମରେ ଏହି ପୀଠରେ ପାଳିତ ହୋଇଯାଇଛି ମହାବିଷୁବ ସଂକ୍ରାନ୍ତି । ପଣା ସଂକ୍ରାନ୍ତିରେ ମାଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି । ଏଥିସହ ପୀଠରେ ଦଣ୍ଡନାଚ ଅନୁଷ୍ଠିତ ହୋଇଛି ।

ସେହିପରି ମହାବିଷୁବ ସଂକ୍ରାନ୍ତି ଅବସରରେ ରାଜ୍ୟର ବିଭିନ୍ନ ହନୁମାନ ମନ୍ଦିରରେ ପାଳିତ ହୋଇଛି ମହାବୀର ଜୟନ୍ତୀ । ଏହି ଅବସରରେ ହଜାର ହଜାର ଭକ୍ତ ଧାଡିରେ ରହି ହନୁମାନଙ୍କ ଦର୍ଶନ କରିଛନ୍ତି । ପୁରୀ ଚନ୍ଦନପୁରସ୍ଥିତ ଶିରୁଳି ମହାବୀରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଧାଡିରେ ଯାଇ ହନୁମାନଙ୍କ ଦର୍ଶନ କରିଛନ୍ତି । ତେବେ ହନୁମାନ ଜୟନ୍ତୀ ଅବସରରେ ପୁରୀର ବିଭିନ୍ନ ଜାଗା ଆଖାଡରେ ବିଭିନ୍ନ ପ୍ରକାର କୁସ୍ତି କସରତ ପ୍ରଦର୍ଶନ କରାଯାଇଛି । ପୁରୀରେ ଥିବା ୫୦ରୁ ଅଧିକ ଜାଗା ଆଖଡାରେ ଏହା ପାଳନ ହୋଇଛି । ମଲ୍ଲଯୋଦ୍ଧା ଓ ଯୁବକମାନେ ନୂତନ ଲୁଗା ପିନ୍ଧି ମାଟି କୁସ୍ତି ସହ ମଲ୍ଲବିଦ୍ୟା ଓ ବ୍ୟାୟାମ କରି ନିଜର ପାରଦର୍ଶିତା ଦେଖାଇଛନ୍ତି ।