ପାଇଖାନା ପାଇଁ ୫ ଜଣଙ୍କୁ ହତ୍ୟା । ମାହାଙ୍ଗା ଗଣହତ୍ୟା ମାମଲାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ ।

247

କନକ ବ୍ୟୁରୋ : ମାହାଙ୍ଗା ଗଣହତ୍ୟା ମାମଲା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ଜଣେ ସାନ ଭାଇ କାହିଁକି ଏତେ ବଡ ଜଘନ୍ୟ କାଣ୍ଡ ଘଟାଇଲା ? ଏମିତି କଣ ହେଲା ଯେ ଜଣେ ଭାଇ ଆଉ ଜଣେ ଭାଇ ଓ ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ଶେଷ କରିଦେଲା ? ଗଣହତ୍ୟା ପଛର କାରଣ କଣ ? ସମସ୍ତଙ୍କ ମନରେ ଏମିତି ଏକାଧିକ ଅସମାହିତ ପ୍ରଶ୍ନ ଉଙ୍କି ମାରୁଥିଲାବେଳେ ସାମ୍ନାକୁ ଆସିଛି ହତ୍ୟାକାଣ୍ଡ ପଛର ରୋମାଞ୍ଚକର ତଥ୍ୟ ।

ମୁଣ୍ଡରେ ଗାମୁଛା ପକାଇ କିଛି ନଜାଣିଲା ଭଳି, ନିରୀହ ଦେଖାଯାଉଥିବା ଏହି ବ୍ୟକ୍ତି ଜଣଙ୍କ ନିଜ ବଡ ଭାଇ ସମେତ ପାଂଚ ପାଂଚ ଜଣଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିବା ପରେ ଏବେ ପୋଲିସର କବଜାରେ । କୋର୍ଟରେ ହାଜର କରିବା ପରେ ତିନି ଦିନିଆ ରିମାଣ୍ଡରେ ଆଣି ନିଜ ଭାଇ ଓ ଭାଇର ପରିବାରକୁ କାହିଁକି ହତ୍ୟା କଲା ତାର କାରଣ ଖୋଜୁଛି ପୁଲିସ । ପ୍ରାଥମିକ ପର୍ଯ୍ୟାୟରେ ପଚରାଉଚୁରା ସମୟରେ ଅଭିଯୁକ୍ତ ଶିବ ହତ୍ୟାକାଣ୍ଡ କରିଥିବା କଥାକୁ ସ୍ୱୀକାର କରିଥିବା ଜଣାପଡିଛି । ଆଉ କହିଛି କେମିତି ଓ କାହିଁକି ଘଟାଇଥିଲା ଜଘନ୍ୟ କାଣ୍ଡ ।

ପାଇଖାନା କଳିରୁ ପାଂଚ ଜଣଙ୍କୁ ହତ୍ୟା । ତାଲା ପକାଇ ଦେବାରୁ ହତ୍ୟା କରିଥିବା ସୂଚନା । କୁସୁପୁର ଗାଁର ଲୋକଙ୍କ କହିବା ଅନୁସାରେ ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ଜମିବାଡିକୁ ନେଇ ବିବାଦ ରହିଥିଲା । ବିଶେଷ କରି ପାଇଖାନାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ରହିଥିଲା । ଗୋଟିଏ ଘର ଭିତରେ ଦୁଇ ପରିବାର ରହୁଥିଲେ । ଘର ଭିତରେ ଦୁଇଟି ପରିବାର ରହୁଥିଲେ ବି ଗୋଟିଏ ପାଇଖାନା ଥିଲା । କିନ୍ତୁ ଏହାକୁ ସାନ ଭାଇ ଶିବ ଓ ତାଙ୍କ ପରିବାରକୁ କୁଆଡେ ବଡଭାଇ ଓ ଭାଉଜ ବ୍ୟବହାର କରିବାକୁ ଦେଉନଥିଲେ । ଅନେକ ସମୟରେ ତାଲା ପକାଇ ଦେଉଥିଲେ ଯାହାକୁ ନେଇ ବିବାଦ ରହିଥିଲା । ସୋମବାର ରାତିରେ ଏହି ବିବାଦ ଚରମ ସୀମାରେ ପହଞ୍ଚିଥିଲା ।

ରାତି ପ୍ରାୟ ସାଢ଼େ ଗୋଟାଏ । ଶିବଙ୍କ ପତ୍ନୀ ରାତିରେ ଟଏଲେଟ ଯିବାକୁ ବାହାରିଥିଲେ । ହେଲେ ପାରଖାନାରେ ତାଲା ପଡିଥିବାରୁ ବଡ ଭାଇଙ୍କୁ ଡାକିଥିଲେ ଶିବ । କିନ୍ତୁ ଏତେ ରାତିରେ ଡାକିବାରୁ ବିରକ୍ତ ହେବା ସହ କୁଆଡେ ଶିବଙ୍କୁ ଗାଳି ଦେଇଥିଲେ ତାଙ୍କ ଭାଉଜ । ଏତିକିରେ ଶିବଙ୍କ ମୁଣ୍ଡକୁ ପିତ ଚଢ଼ି ଯାଇଥିଲା । ନିଜ ରୁମ ଭିତରକୁ ଆସି କିଛି ସମୟ ବସିବା ପରେ ହାତରେ କଟୁରୀ ଧରି ବାହାରି ଯାଇଥିଲା । ଆଉ ବଡ ଭାଇ ଶୋଇଥିବା ଘର ଭିତରକୁ ପଶିଥିଲା । ତାପରେ ଜଣଙ୍କ ପରେ ଜଣେ ପାଂଚ ଜଣଙ୍କୁ ହାଣି ହତ୍ୟା କରିଥିଲା ।