ଉଭୟ ବିରୋଧୀ ଓ ଶାସକଙ୍କ ହୋ ହାଲ୍ଲା ଯୋଗୁଁ ସଂସଦରେ ହୋଇପାରୁ ନାହିଁ ଆଲୋଚନା, ଜାଣନ୍ତୁ କେବେ ପର୍ଯ୍ୟନ୍ତ ବନ୍ଦ ରହିଲା ଉଭୟ ସଦନର କାର୍ଯ୍ୟ ଦିବସ

90

କନକ ବ୍ୟୁରୋ : ସଂସଦର ମୌସୁମୀ ଅଧିବେଶନରେ ଉଭୟ ଶାସକ ଓ ବିରୋଧୀଙ୍କ ହୋ ହାଲ୍ଲା କାରଣରୁ ଉଭୟ ସଦନର କାର୍ଯ୍ୟଦିବସକୁ ସ୍ଥଗିତ ରଖାଯାଇଛି । ସୋମବାର ପର୍ଯ୍ୟନ୍ତ ଉଭୟ ସଦନରୁ ସ୍ଥଗିତ ରଖାଯାଇଛି ।

କହିରଖୁ କି ପ୍ରଥମେ ବିରୋଧୀଦଳମାନେ ଦରବୃଦ୍ଧି ଭଳି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ । ଏହାକୁ ନେଇ ଉଭୟ ସଦନରେ ବିରୋଧୀମାନେ ହୋ ହାଲ୍ଲା କରିବାରୁ ଉଭୟ ସଦନରୁ ୨୭ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଏହାପରେ କଂଗ୍ରେସର ବରିଷ୍ଠ ନେତା ଅଧିର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହିବା ପ୍ରସଙ୍ଗକୁ ନେଇ ଶାସକଦଳର ସାଂସଦମାନେ କଂଗ୍ରେସକୁ ଘେରିବା ସହ ଗୃହ ମଧ୍ୟରେ ହୋ ହାଲ୍ଲା ଆରମ୍ଭ କରିଦେଇଥିଲେ । ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଅଧିର ରଂଜନ ଚୌଧୁରୀଙ୍କ ସହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗୃହରେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । ହେଲେ ଅଧିର ରଂଜନ ଚୌଧୁରୀ କହିଥିଲେ କି, ସେ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବେ କିନ୍ତୁ ବିଜେପି ପାଖରେ କ୍ଷମା ମାଗିବେ ନାହିଁ ।

ଏସବୁ ଭିତରେ ଆଜିର କାର୍ଯ୍ୟ ଦିବସରେ ଅଧିର ରଂଜନ ଚୌଧୁରୀ କହିଥିଲେ କି ସେ କ୍ଷମା ପ୍ରାର୍ଥନା କରିବାକୁ ରାଷ୍ଟ୍ରପତିଙ୍କୁ ସମୟ ମାଗିଥିଲେ ବି ରାଷ୍ଟ୍ରପତି ଏନେଇ ତାଙ୍କୁ ସମୟ ଦେଇ ନାହାଁନ୍ତି । ଏସବୁ ଭିତରେ ଶାସକ ଦଳର ସାଂସଦମାନେ ତାଙ୍କ ଜିଦରେ ଅଡି ବସିଥିଲେ । ଏନେଇ ଶାସକ ଦଳର ସାଂସଦମାନେ ହୋ ହାଲ୍ଲା କରିବାରୁ ଲୋକସଭାର ବାଚସ୍ପତି ଓମ୍ ବିର୍ଲା ପ୍ରଥମେ ଗୃହକୁ ଦିନ ୧୨ ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ । ଏହାପରେ ପୁଣି ସମାନ ସମସ୍ୟା ଦେଖା ଦେବାରୁ ସଂସଦର ଉଭୟ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବି ରଖାଯାଇଛି ।