ଭାଙ୍ଗିପାରେ ବିଜେପି-ଜେଡିୟୁ ୨୦ ବର୍ଷର ସମ୍ପର୍କ : ଆଜି ଦଳର ବୈଠକ ପରେ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

71

କନକ ବ୍ୟୁରୋ : ବିଜେପି ସହ ମାସଟି ଧରି ବିବାଦ ପରେ ଏହାର ଅନ୍ତ ଘଟିବାକୁ ଯାଉଛି । କାରଣ ବିଜେପି ସହ ମେଣ୍ଟ ରହିବ କି ନାହିଁ ସେନେଇ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଷ୍ପତ୍ତି ନେଇପାରନ୍ତି । ଆଜି ନିତିଶ ଦଳର ସମସ୍ତ ବିଧାୟକ ଏବଂ ସାଂସଦମାନଙ୍କର ବୈଠକ ଡକାଇଛନ୍ତି । ଏପଟେ ବିହାରରେ ବିରୋଧୀ ଆସନରେ ଥିବା ମହାଗଠବନ୍ଧନ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଏବଂ କଂଗ୍ରେସ ପୃଥକ ପୃଥମ ଦଳୀୟ ବୈଠକ ଡକାଯାଇଛନ୍ତି ।

ଯଦି ଆରଜେଡି ଏବଂ କଂଗ୍ରେସ ତରଫରୁ ସମର୍ଥନ ନେଇ ଗ୍ରୀନ୍ ସିଗନାଲ ମିଳେ ତେବେ ନିତିଶ କୁମାର ବିଜେପି ସହ ସମ୍ପର୍କ ତୁଟାଇବାକୁ ପଛାଇବେ ନାହିଁ ବୋଲି କୁହାଯାଉଛି । ଏହାରି ଭିତରେ ଗୃହମନ୍ତ୍ରୀ ତଥା ବିଜେପିର ରାଜନୀତି ରଣନିତିକାର ଅମିତ ଶାହ ନିତିଶ କୁମାରଙ୍କ ସହ କଥା ହୋଇଛନ୍ତି । ବିଜେପି ସହ ମେଣ୍ଟ ଭାଙ୍ଗିବା ନେଇ ନିତିଶ କୁମାର କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବିହାରର ବିଜେପି ନେତାମାନଙ୍କୁ ଏହା ଉପରେ ମନ୍ତବ୍ୟ ଦେବାକୁ ବାରଣ କରାଯାଇଛି । ଏପଟେ ଜେଡିୟୁ ତଥା ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ କହିଛନ୍ତି, ଯଦି ଜେଡିୟୁ ବିଜେପି ସହ ମେଣ୍ଟ ଭାଙ୍ଗେ, ତେବେ ସେମାନେ ସମର୍ଥନ ଦେବାକୁ ରାଜି ଅଛନ୍ତି । ବହୁ ବାଦ ବିବାଦ ସତ୍ୱେ ବିଗତ ୨୦ ଧରି ବିଜେପି ଏବଂ ଜେଡିୟୁ ମେଣ୍ଟ ସରକାରରେ ରହିଛି ।

ତେବେ ନୀତିଶ ବିଜେପି ଛାଡିବା ପଛରେ ତିନିଟି ପ୍ରମୁଖ କାରଣ ରହିଛି । ଲାଲୁଙ୍କ ପୁଅ ତେଜସ୍ୱୀ ନୀତିଶ କୁମାରଙ୍କ ସହ ମିଶିବାକୁ ସମର୍ଥନ ଜଣାଇଛନ୍ତି । ଯିଏ ବିହାରରେ ସର୍ବାଧିକ ଆସନରେ ଅଛି । ମହାରାଷ୍ଟ ଭଳି ଅବସ୍ଥା ହେବାକୁ ନେଇ ନୀତିଶ ଭୟଭୀତ ଅଛନ୍ତି । କାରଣ ଏକନାଥ ସିନ୍ଦେଙ୍କ ପରି ଆରସିପି ସିଂ ଦଳରେ ବିଦ୍ରୋହ କରିବାର ଆଶଙ୍କା ରହିଛି । ୨୦୨୪ ନିର୍ବାଚନରେ ମିଳିତ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଇଛା ଅଛି । ଯାହା ବିଜେପି ସହ ରହିଲେ ସମ୍ଭବ ନୁହେଁ ବୋଲି ନୀତିଶ ଜାଣିସାରିଛନ୍ତି । ବିହାରରେ ମୋଟ ୨୪୪ ଆସନ ମଧ୍ୟରୁ ବିଜେପି ୭୭ ଟି ଆସନ ପାଇଥିବା ବେଳେ ଆରଜେଡି-୭୯, ଜେଡିୟୁ-୪୫ ଆସନ ପାଇଛି ।