ବିଜେପି ଓ ବିଜେଡି ବିରୋଧରେ ଆଜିଠୁ କଂଗ୍ରେସର ପଦଯାତ୍ରା : ୬ ଦିନ ଧରି ସବୁ ଜିଲ୍ଲା ଏବଂ ବିଧାନସଭା କ୍ଷେତ୍ରରେ ପଦଯାତ୍ରା କରିବେ ନେତା ଓ କର୍ମୀ

59

କନକ ବ୍ୟୁରୋ : ଅଗଷ୍ଟ ୯ କ୍ରାନ୍ତି ଦିବସ ତଥା ଆଜି ଠାରୁ ରାଜ୍ୟବ୍ୟାପୀ ପଦଯାତ୍ରା ଆରମ୍ଭ କରିବ କଂଗ୍ରେସ । ଜାତୀୟ କଂଗ୍ରେସର ନିଷ୍ପତ୍ତି କ୍ରମେ ୬ ଦିନ ଧରି ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ସମସ୍ତ ବିଧାନସଭା କ୍ଷେତ୍ରରେ ୭୫ କିଲୋମିଟର ପଦଯାତ୍ରା ଅନୁଷ୍ଠିତ ହେବ । କଂଗ୍ରେସ ନେତା ଓ କର୍ମୀ ଏହି ପଦଯାତ୍ରାକୁ ସଫଳ କରିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି । ଏଥିପାଇଁ ପୂର୍ବ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ସ୍ୱାଧୀନତାର ୭୫ ବର୍ଷ ପରେ ବି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବାରେ ବିଫଳ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ଗତ ୮ ବର୍ଷ ମଧ୍ୟରେ ମୋଦୀ ସରକାର କଂଗ୍ରେସ ଅମଳରେ ତିଆରି ହୋଇଥିବା ଜାତୀୟ ସମ୍ପତିକୁ ବିକିବାରେ ଲାଗିଛନ୍ତି ହେଲେ ଗୋଟିଏ ବି ନୂଆ ଜାତୀୟ ସମ୍ପତି ସୃଷ୍ଟି କରାଯାଇ ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି । ଜାତି, ଧର୍ମ ନାରେ ବିଜେପି ଦେଶକୁ ବିଭାଜନ କରିବାକୁ ଚେଷ୍ଟା କରୁଥିବା କଂଗ୍ରେସ ଅଭିଯୋଗ ଆଣିଛି ।

ସେହିପରି ଓଡ଼ିଶାରେ ବିଜେଡିର ୨୨ ବର୍ଷର ଶାସନ କାଳରେ ରାଜ୍ୟରେ ଶିକ୍ଷା, କୃଷି, ସ୍ୱାସ୍ଥ୍ୟ ଭଳି ଅନେକ କ୍ଷେତ୍ରରେ ରାଜ୍ୟ ପଛରେ ପଡିଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ତେଣୁ ଏସବୁର ବିରୋଧ କରି କଂଗ୍ରେସ ଏହି ପଦଯାତ୍ରା କରି ଲୋକଙ୍କୁ ସଚେତନ କରିବାକୁ ଲକ୍ଷ ରଖିଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି । ବିଜେପି ଓ ବିଜେଡି ମିଶିକି କାର୍ଯ୍ୟ କରୁଥିବା କଂଗ୍ରେସ ଅଭିଯୋଗ କରିଛି ।