ଜନ୍ତରମନ୍ତରରେ ପହଁଚିଲା ବିରୋଧୀଙ୍କ ଆନ୍ଦୋଳନ । ସାଂସଦଙ୍କୁ ନିଲମ୍ବନକୁ ବିରୋଧ କରି ସାରା ଦେଶରେ ଇଣ୍ଡିଆ ମେଣ୍ଟର ପ୍ରତିବାଦ

44

କନକ ବ୍ୟୁରୋ : ମିିଳିତ ମଂଚରେ ବିରୋଧୀ ମେଂଟଙ୍କ ଶକ୍ତିପ୍ରଦର୍ଶନ । ସଂସଦରୁ ୧୪୬ଜଣ ସାଂସଦଙ୍କୁ ନିଲମ୍ବନ ଘଟଣାରେ ଶୁକ୍ରବାର ଜନ୍ତରମନ୍ତରରେ ବିରୋଧୀ ଗଣତନ୍ତ୍ର ବଂଚାଅ ଅଭିଯାନ ସହ ଧାରଣା ଦେଇଛନ୍ତି । କଂଗ୍ରେସ ନେତୃତ୍ୱରେ ସବୁ ବିରୋଧୀ ଦଳ ଏକାଠି ମିଶି ସରକାରଙ୍କ ବିରୋଧରେ ଧାରଣା ଦେଇ ସରକାରଙ୍କୁ ସଂସଦ ସୁରକ୍ଷା ତ୍ରୁଟି ଓ ସାଂସଦଙ୍କ ନିଲମ୍ବନ ପ୍ରସଙ୍ଗରେ ପ୍ରଶ୍ନ ପଚାରିଛନ୍ତି । ସଂସଦ ସୁରକ୍ଷା ତ୍ରୁଟି କାହିଁକି ହେଲା ଓ ଏହା ଉପରେ ସରକାର ସଂସଦରେ କ’ଣ ପାଇଁ ବିବୃତ୍ତି ରଖୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏଥିସହ ରାହୁଲ କହିଛନ୍ତି ଗଣତନ୍ତ୍ରକୁ ଶ୍ୱାସରୁଦ୍ଧ କରାଯାଉଛି । ଦେଶରେ ବିଚାରଧାରାର ଲଢେଇ ଚାଲିଛି । ଘୃଣା ଓ ପ୍ରେମର ଲଢେଇ ଆଗକୁ ମଧ୍ୟ ଜାରି ରହିବ ।

ବିଜେପି କହିଛି ୪ବିଧାନସଭା ନିର୍ବାଚନରେ ହାରିବା ପରେ କଂଗ୍ରେସ ହତାଶ ହୋଇପଡିଛି । ତେଣୁ ଜାଣିଶୁଣି ସଂସଦ କାମରେ ବାଧା ଆଣୁଛି । ଗଣତନ୍ତ୍ର ମନ୍ଦିରରେ ବିରୋଧୀ ମେଂଟର ଏଭଳି ଆଚରଣ ସେମାନଙ୍କ ଅଂହକାରକୁ ଦର୍ଶାଉଛି । ଆଗାମୀ ନିର୍ବାଚନରେ ମେଂଟକୁ ଏହାର ପରିଣାମକୁ ସାମ୍ନା କରିବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକରୁ ।

ସଂସଦ ସୁରକ୍ଷା ତ୍ରୁଟି ଘଟଣା ପରେ ସଂସଦରେ ବାରମ୍ବାର ହଟ୍ଟଗୋଳ କରୁଛନ୍ତି ବିରୋଧୀ । ଗୃହକାମରେ ବାଧା ଆଣିବାରୁ ଏବେ ସୁଦ୍ଧା ୧୪୬ଜଣ ସାଂସଦଙ୍କୁ ନିଲମ୍ନ କରାଯାଇଛି । ଯାହା ବିରୋଧରେ ଗୋଟେପଟେ ଜନ୍ତରମନ୍ତରରେ ବିରୋଧୀ ଧାରଣା ଦେଇଥିବାବେଳେ ସେପଟେ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଛନ୍ତି ଯୁବ କଂଗ୍ରେସକର୍ମୀ ।