ପୁଂଛ ଆତଙ୍କୀ ଆକ୍ରମଣ ଘଟଣାରେ ଏନଆଇଏର ତଦନ୍ତ ଆରମ୍ଭ । ଘଟଣାସ୍ଥଳରୁ ଆମେରିକା ଅସ୍ତ୍ରଶସ୍ତ୍ର ଜବତ

111

କନକ ବ୍ୟୁରୋ : ଗୁରୁବାର ରୌଜରୀ ଜିଲ୍ଲା ପଂଛ୍ ସେକ୍ଟରରେ ଆତଙ୍କୀ ଆକ୍ରମଣ ପରେ ଆକ୍ସନ ମୋଡକୁ ଆସିଛି ଭାରତୀୟ ସେନା । ସ୍ଥଳ ସେନା ଓ ବାୟୁସେନା ପୁଂଛ ସେକ୍ଟରରେ ତନ୍ନ ତନ୍ନ କରି ସର୍ଚ୍ଚ ଅପରେସନ କରୁଛନ୍ତି । ଯେଉଁଠି ଆତଙ୍କୀ ଲୁଚି ରହିଥିବା ସହେନ୍ଦ ହେଉଛି ସେ ସ୍ଥାନକୁ ବୋମା ମାଡରେ ଉଡାଯାଉଛି । ଆକାଶଠୁ ନେଇ ସ୍ଥଳପଥ ସବୁଠି ପଇଁତରା ମାରୁଛି ସେନା । ଗୁରୁବାର ଜମ୍ମୁ-କାଶ୍ମୀର ରଜୌରି ଥାନାମଣ୍ଡି- ସୁରନକୋଟ୍ ରୋଡ୍, ଡେରା କି ଗଲି ଠାରେ ଆତଙ୍କବାଦୀ ମାନେ ଅତର୍କିତ ଆକ୍ରମଣ କରିଥିଲେ । ଯବାନ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଯବାନ ଓ ଆତଙ୍କବାଦୀଙ୍କ ଭିତରେ ମୁହାଁମୁହିଁ ଲଢେଇ ହୋଇଥିଲା । ଏପରିକି ଉଭୟ ପକ୍ଷ ଭିତରେ ହାତାହାତି ଲଢେଇ ହୋଇଥିବା ସୂଚନା ଆସୁଛି । ସହିଦ ୨ ଯବାନଙ୍କ କ୍ଷତ ବିକ୍ଷତ ଶରୀରରୁ ଏକଥା ଅନୁମାନ କରାଯାଉଛି । ଆତଙ୍କବାଦୀମାନେ ଯବାନଙ୍କୁ ଆକ୍ରମଣ କରିବା ପରେ ସେମାନଙ୍କ ଅସ୍ତ୍ରଶସ୍ତ୍ର ମଧ୍ୟ ଲୁଟି ନେଇଥିଲେ ।

ଗୋଟେପଟେ ଦେଶ ତାର ବୀର ଯବାନଙ୍କୁ ହରାଇଛି ଅନ୍ୟପଟେ ଆତଙ୍କୀ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେପି ସରକାରଙ୍କ ଶାସନରେ ସବୁଠୁ ଅଧିକ ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଥିବାକହିଛି ଶିବସେନା । ପୁଂଛ ଆକ୍ରମଣକୁ ପୁଲୱାମା ଆକ୍ରମଣ ସହ ଦଳ ତୁଳନା କରିଛି । ସେପଟେ ନ୍ୟାଶନାଲ କନଫେରେନ୍ସ ନେତା ଫାରୁକ ଅବଦୁଲ୍ଲା କହିଛନ୍ତି ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରରୁ କମିନି ଆତଙ୍କୀ କାର୍ଯ୍ୟକଳାପ । ସରକାର କେବଳ ପର୍ଯ୍ୟଟନ କଥା କହୁଛନ୍ତି ଅଥଚ ସେନା ଓ ଜନତାଙ୍କୁ ସୁରକ୍ଷା ଦେବାରେ ବିଫଳ ସାବ୍ୟସ୍ତ ହୋଇଛନ୍ତି ।

ଆତଙ୍କୀ ଆକ୍ରମଣ ଘଟଣାକୁ ବିରୋଧ କରି ଜମ୍ମୁରେ ଜୋରଦାର ବିକ୍ଷୋଭ କରିଛି ଡୋଗରା ଫ୍ରଂଟ । ପାକିସ୍ତାନ ସରକାର ଓ ସେନାର ଫଟୋ ଜାଳି ସ୍ଲୋଗାନ ଦେଇଛନ୍ତି ପ୍ରଦର୍ଶନକାରୀ । ଆତଙ୍କବାଦୀଙ୍କ ବିରୋଧରେ ଭାରତ ସରକାର ଓ ସେନା କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି ଡୋଗରା ଫ୍ରଣ୍ଟ ।