ଅଗଷ୍ଟରେ ଖୋଲାଯାଉ ରତ୍ନଭଣ୍ଡାର, ଲୋକଙ୍କ ଭିତରେ ଅବିଶ୍ୱାସର ବାତାବରଣ ସୃଷ୍ଟି ହେଲାଣି : ସମୀର ମହାନ୍ତି । 

200

କନକ ବ୍ୟୁରୋ : ଆସନ୍ତାବର୍ଷ ନୁହେଁ ଅଗଷ୍ଟ ମାସରେ ଖୋଲାଯାଉ ରତ୍ନଭଣ୍ଡାର । ଆସନ୍ତାବର୍ଷକୁ ଅପେକ୍ଷା ନ କରି ଚଳିତ ଅଗଷ୍ଟ ମାସରେ ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ସବୁ ଇନଭେଣ୍ଟରି କରିବା ପାଇଁ ଦାବି କରିଛନ୍ତି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସମୀର କହିଛନ୍ତି, ୧୯୭୮ ମସିହା ଇନଭେଣ୍ଟରିକୁ ନେଇ ଗେଜେଟ ନୋଟିଫିକେସନ ହୋଇଛି । ତାହାର ତଥ୍ୟ, ଆଇନ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିବା ଏବଂ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠରେ ଦେଇଥିବା ହିସାବରୁ ସନ୍ଦେହ ସୃଷ୍ଟି ହେଉଛି । ଲୋକଙ୍କ ଭିତରେ ଅବିଶ୍ବାସର ବାତାବରଣ ହୋଇଛି ଏବଂ ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିରୁ ରତ୍ନଭଣ୍ଡାର ଲୁଟ ହୋଇଛି ବୋଲି ପ୍ରମାଣିତ ହେଉଛି । ରତ୍ନଭଣ୍ଡାର ସୁରକ୍ଷା ପାଇଁ ଏଏସଆଇ ଉନ୍ନତମାନର ଯାନ୍ତ୍ରିକ ଜ୍ଞାନକୌଶଳ ବ୍ୟବହାର କରିବ ବୋଲି ହାଇକୋର୍ଟରେ ସତ୍ୟପାଠ କରିଛି । ଏହାକୁ ହାଇକୋର୍ଟ ତର୍ଜମା କରିବେ । ୨୦୧୮ରୁ ଏଏସଆଇ ବାରମ୍ବାର ଚିଠି ଦେଇଛି । କିନ୍ତୁ ସରକାର ନିଦାବିଷ୍ଣୁ ଭଳି ଅଛନ୍ତି ।

୨୦୧୮ରେ ବିଜେପି ସିଂହଦ୍ୱାର ଥାନା ଆଗରେ ଧାରଣାରେ ବସିଥିଲା । ସେହିଦିନ ସନ୍ଧ୍ୟାରେ ଡୁପ୍ଲିକେଟ ଚାବି ମିଳିଲା । ତାପରେ ବିଜେପି ଓ ଅନ୍ୟ ସାମାଜିକ ସଙ୍ଗଠନ ମାନେ ରତ୍ନଭଣ୍ଡାର ଖୋଲି ଇନଭେଣ୍ଟରି କରାଯାଉ ବୋଲି ଚାପ ସୃଷ୍ଟି କଲେ । ଯେଉଁଥିପାଇଁ ରଘୁବର ଦାସ କମିଶନ ବସିଲା । କିନ୍ତୁ କମିଶନଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେଲା ନାହିଁ । ତେଣୁ ଜାଣି ଶୋଇଥିବ ଯିଏ ତାକୁ ଉଠେଇବ କିଏ ? କାହିଁକି ସରକାର ଖୋଲୁନାହାନ୍ତି ଏ କଥା ସରକାର ହିଁ ଜାଣିଛନ୍ତି । ପ୍ରଭୁ ଜଗନ୍ନାଥ ମଧ୍ୟ ସେ କଥାକୁ ବିଚାର କରୁଛନ୍ତି । କୋର୍ଟକୁ ଏ ଘଟଣା ଯିବା କଥା ନୁହେଁ । ସରକାର ରତ୍ନଭଣ୍ଡାର ଖୋଲିଲେ ନାହିଁ ବୋଲି ମାମଲା ହାଇକୋର୍ଟକୁ ଯାଇଛି । ୨୦୧୮ ମସିହାରୁ କାହିଁକି ବିଳମ୍ବ ହେଉଛି । ସରକାର ଆର ବର୍ଷ ରଥଯାତ୍ରାକୁ ଅପେକ୍ଷା ନକରି ଚଳିତ ଅଗଷ୍ଟ ମାସରେ ହାଇକୋର୍ଟଙ୍କ ତାରିଖ ପୂର୍ବରୁ ତୁରନ୍ତ ରତ୍ନଭଣ୍ଡାର ଖୋଲନ୍ତୁ । ନିଜ ସ୍ୱଚ୍ଛତାର ପ୍ରମାଣ ଦେଇ କୋଟି କୋଟି ଭକ୍ତଙ୍କ ମନରେ ଆସ୍ଥା ସ୍ଥାପନ କରନ୍ତୁ ।

ସେଠି ଘୁ ଘୁ ଶବ୍ଦ ହେଉଛି । ଏ ସବୁ ଭ୍ରାନ୍ତ ଧାରଣା ସୃଷ୍ଟି କରି ଜଗନ୍ନାଥ ପ୍ରେମୀଙ୍କୁ ଆଉ ଦୁଃଖିତ କରନ୍ତୁ ନାହିଁ ସରକାର । କୋଟି କୋଟି ଜଗନ୍ନାଥପ୍ରେମୀ ମନରେ ଥିବା ପ୍ରଶ୍ନର ସମାଧାନ କରିବା ଦରକାର । ଏହା କୌଣସି ରାଜନୀତିର କଥା ନୁହେଁ  ବୋଲି କହିଛନ୍ତି ସମୀର ମହାନ୍ତି ।