କନକ ବ୍ୟୁରୋ : ପୁଣି କନ୍ଦାଇଲା ପିଆଜ । ପିଆଜ ଦର କେଜି ପ୍ରତି ୫୦ଟଙ୍କା ଛୁଇଁଲାଣି । କ୍ରମାଗତ ଭାବେ ପିଆଜ ଦର ବୃଦ୍ଧି ଯୋଗୁ ଖାଉଟି ହନ୍ତସନ୍ତ ହେଉଛନ୍ତି । ସେପେଟେ ପିଆଜ ଉପରୁ ସରକାର ହାତ ଟେକିଦେଇଛନ୍ତି । ପୁଣି ପିଆଜ ଦର ୫୦ ଛୁଇଁଲା। ମାତ୍ର ଗୋଟିଏ ସପ୍ତାହର ଆଶ୍ୱସ୍ତି ପରେ ପୁଣି ପିଆଜ ଦର କନ୍ଦାଇବା ଆରମ୍ଭ କରିଛି। ଆମଦାନି ଠିକ ରହିଥିବା ସତ୍ତ୍ୱେ ନାସିକରେ ଦର ବଢ଼ିଥିବା କାରଣରୁ ଓଡ଼ିଶା ପିଆଜ ବଜାରରେ ପୁଣି ତାତି ବଢ଼ିଥିବା କୁହାଯାଉଛି। ମହାରାଷ୍ଟ୍ରରେ ପିଆଜ ଦର ସ୍ଥିର ରହୁନଥିବା କାରଣ ପାଇଁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା ବ୍ୟବସାୟୀ ମହଲରୁ ସୂଚନା ମିଳିଛି। ତେବେ ଏଭଳି ସ୍ଥିତି ଆଉ ମାତ୍ର ଦିନେ ଦୁଇ ଦିନ ରହିବ ବୋଲି ବ୍ୟବସାୟୀମାନେ କହିଛନ୍ତି। ଦୁଇ ତିନି ଦିନ ପରେ ପୁଣି ୪୦ ଟଙ୍କାକୁ ଦର ଖସିପାରେ ବୋଲି ଆଶା କରାଯାଉଛି।
Kanak News is now on WhatsApp
Join and get latest news updates delivered to you via WhatsApp
ଆଜି ଆଇଗିଣିଆ କୁବେରପୁରୀରୁ ମିଳିଥିବା ସୂଚନାନୁସାରେ ପିଆଜର ପାଇକାରୀ ଦର ୩୮ ଟଙ୍କା ରହିଛି। ନିମ୍ନମାନର ପିଆଜ କ୍ୱିଣ୍ଟାଲ ପିଛା ୩୪ ଟଙ୍କା ବି ରହିଛି। ତେଣୁ ଖୁଚୁରା ବଜାରରେ କିଲୋ ପିଛା ଅତିବେଶିରେ ୪୫ ଟଙ୍କା ରହିବା କଥା। ଏମିତିକି କ୍ୟାପିଟାଲ ହାଟରେ ଆଜି ୪୨ ଟଙ୍କାରେ ବିକ୍ରି ହେଉଥିବା ସେମାନେ ସୂଚନା ଦେଇଛନ୍ତି। ତେବେ ଛୋଟ ଛୋଟ ମାର୍କେଟରେ ଖୁଚୁରା ବେପାରୀମାନେ ୫୦ ଟଙ୍କାରେ ବିକ୍ରି କରୁଥିବେ ବୋଲି ସେମାନେ କହିଛନ୍ତି। ତଥାପି ଯଦି କେଉଁଠି କେହି ୫୦ ଟଙ୍କାରେ ବିକୁଛି, ତାହା ଭୁଲ ଓ ଯୋଗାଣ ବିଭାଗ ତାହା ତଦାରଖ କରିବା ଉଚିତ ବୋଲି ପାଇକାରୀ ବ୍ୟବସାୟୀମାନେ କହିଛନ୍ତି। ସେମାନଙ୍କ କହିବା କଥା ନୂଆବର୍ଷ ପୂର୍ବରୁ ନାସିକରେ ପିଆଜ ଦର ୨୮ରୁ ୩୦ ଟଙ୍କା ଥିଲା। ତେଣୁ ଓଡ଼ିଶାରେ ଏହି ଦର ୪୦ ଟଙ୍କା ତଳକୁ ରହିଥିଲା। କିନ୍ତୁ ନୂଆବର୍ଷଠାରୁ ନାସିକରେ ପିଆଜ ଦର ହଠାତ ବଢ଼ିଗଲା। ୨୮ରୁ ୩୦ ଟଙ୍କା ମିଳୁଥିବା ପିଆଜ ୩୨ରୁ ୩୪ ଟଙ୍କା ପର୍ଯ୍ୟନ୍ତ ବଢ଼ିଲା। ତେଣୁ ଭୁବନେଶ୍ୱରରେ ପହଞ୍ଚିବାବେଳକୁ ଦର ୩୨ରୁ ୩୮ ଟଙ୍କା ପଡ଼ିଲା।
ଦର ବୃଦ୍ଧିର କାରଣ ଉପରେ ମତ ଦେଇ ବ୍ୟବସାୟୀମାନେ କହିଛନ୍ତି ଯେ ଚଳିତ ବର୍ଷ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ କର୍ଣ୍ଟାଟକରେ ପିଆଜ ଅମଳ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ତେଣୁ ନାସିକ ପିଆଜ ବଜାର ଉପରେ ଚାପ ବଢ଼ିଛି। ଏଥିପାଇଁ ମୁମ୍ବାଇ ଭଳି ସହରରେ ବି ପିଆଜ ଦର ୪୦ ଟଙ୍କାରୁ ଅଧିକ ରହିଛି ବୋଲି ବ୍ୟବସାୟୀମାନେ କହିଛନ୍ତି। ବ୍ୟବସାୟୀ ସଂଘର ସମ୍ପାଦକ ତଥା ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ ସୂଚନାନୁସାରେ ଦର ବଢ଼ିଥିଲେ ବି ଭୁବନେଶ୍ୱରକୁ ଆମଦାନି ଠିକଠାକ ରହିଛି। ବୁଧବାର ସନ୍ଧ୍ୟାରେ ନାସିକରେ ପିଆଜ ଦର ସାମାନ୍ୟ ହ୍ରାସ ପାଇଛି। ତେଣୁ ଗୁରୁବାରଠାରୁ ଭୁବନେଶ୍ୱରରେ ବି ପିଆଜ ଦର କମିପାରେ। କିନ୍ତୁ ଚଳିତ ବର୍ଷ ଏହା ୩୦ ଟଙ୍କା ତଳକୁ ଖସିବା ସମ୍ଭାବନା କମ। ଓଡ଼ିଶାରେ ଜାନୁଆରି ଶେଷ ଓ ଫେବ୍ରୁଆରି ମାସରେ ପିଆଜ ଅମଳ ଆରମ୍ଭ ହେବ। ସେତେବେଳକୁ ସ୍ଥିତିରେ ସାମାନ୍ୟ ସୁଧାର ଆସିପାରେ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଅଗଷ୍ଟ ମାସରୁ ପିଆଜ ଦର ବଢ଼ିବାରେ ଲାଗିଛି। ଅଗଷ୍ଟରୁ ଏହି ଦର ୪୦ ଟଙ୍କା ତଳକୁ ଦର ଖସିବା ନାଁ ଧରୁନାହିଁ। ନଭେମ୍ବର ଶେଷ ସପ୍ତାହରେ ପିଆଜ ୫୦ ଓ ୫୫ ଟଙ୍କାକୁ ଟପିଯାଇଥିଲା।