ବାରିପଦା ସହରର ଜାଗ୍ରତ ପ୍ରହରୀ ନଛି ଭାଇ : ଗୋଟିଏ ଫୋନକଲରେ ପାଖରେ ହାଜର ହୋଇଯାଆନ୍ତି, ନିଶାମୁକ୍ତ ସମାଜ ଗଠନ, ଅସହାୟଙ୍କୁ ସାହାଯ୍ୟ ଏବଂ ପରିବେଶ ସୁରକ୍ଷା ଦିଗରେ ସର୍ବଦା ଚେଷ୍ଟିତ ନିସ୍ୱାର୍ଥପର ମଣିଷଟିଏ

542

କନକ ବ୍ୟୁରୋ : ପରିବେଶ ଚିନ୍ତାରେ ପରିବେଶ ପ୍ରେମୀ ନଛି ଭାଇ । ମୟୁରଭଞ୍ଚ ଜିଲ୍ଲା ବାରିପଦାର ନିଆରା ମଣିଷଟିଏ । ପଲିଥିନ୍ ମୁକ୍ତ ସହର ତଥା ବାରିପଦାକୁ ସ୍ୱଚ୍ଛ ସୁନ୍ଦର କରିବା ପାଇଁ ୧୦ ବର୍ଷ ହେଲା ଲଗାତାର ସଂଘର୍ଷ ଜାରି ରଖିଛନ୍ତି । କେବଳ ପରିବେଶ ନୁହେଁ ଅସହାୟଙ୍କୁ ସାହାଯ୍ୟ କରିବା, ନିଶାମୁକ୍ତ ସମାଜ ଗଠନ କରିବା ଦିଗରେ ଏହି ନିସ୍ୱାର୍ଥପର ମଣିଷ ଜଣକ ସଦାସର୍ବଦା ପ୍ରସ୍ତୁତ । ନିଜେ ସହରର ଗଳିକନ୍ଦିରେ ମଇଳା ସଫା କରିବା ସହ ବୁଲି ବୁଲି ହାତ ଯୋଡି ଲୋକଙ୍କୁ ପଲିଥିନ୍ ବ୍ୟବହାର ନକରିବା ପାଇଁ ଅନୁରୋଧ କରି ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ।

ୱାନ୍ ମ୍ୟାନ୍ ଆର୍ମି ନଛି ଭାଇ । ବାରିପଦା ସହରର ଜାଗ୍ରତ ପ୍ରହରୀ । ବାରିପଦା ସହରର ଘରେ ଘରେ ପରିଚିତ ଜିତେନ୍ଦ୍ର ମହାନ୍ତି ଓରଫ୍ ନଛି ଭାଇ । ସମସ୍ତଙ୍କ ଅତି ପ୍ରିୟ ନଛି ଭାଇ । ବିନା ସ୍ୱାର୍ଥରେ ଦୀର୍ଘ ଦଶ ବର୍ଷ ଧରି ସହର ପାଇଁ କାମ କରିଚାଲିଛନ୍ତି । ବାରିପଦା ସହରକୁ ସ୍ୱଚ୍ଛ ସୁନ୍ଦର କରିବାର ନିଶା ତାଙ୍କୁ ପାଗଳ କରିଛି । ସକାଳ ହେବାମାତ୍ରେ ଘର ପରିବାର କଥା ଚିନ୍ତା ନକରି ବାହାରି ଯାଆନ୍ତି ମଇଳା ଦୁର୍ଗନ୍ଧମୟ ସ୍ଥାନକୁ । ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଥିବା ସ୍ଥାନ ଗୁଡ଼ିକୁ ଯାଇ ସହଯୋଗୀଙ୍କ ସାହାଯ୍ୟରେ ସଫେଇ ଆରମ୍ଭ କରିଦିଅନ୍ତି । କେତେବେଳେ ନାଳ ନର୍ଦ୍ଦମା ତ ଆଉ କେତେବେଳେ ରାସ୍ତାଘାଟ । ସବୁବେଳେ ପରିବେଶ ଚିନ୍ତାରେ ଥାଆନ୍ତି ଏହି ନିଆରା ମଣିଷ ଜଣକ ।

କେବଳ ଯେ ରାସ୍ତାଘାଟ ସଫେଇ ତା’ ନୁହେଁ ଦୁଃଖୀ ରଙ୍କୀଙ୍କ ଲୁହ ଦେଖି ପାରନ୍ତିନି ନଛି ଭାଇ । ଅସହାୟଙ୍କ ପାଇଁ ସେ ଦେବଦୂତ । କିଛି ବି ଅସୁବିଧା ହେଲେ ସମୟରେ ଗୋଟିଏ ଫୋନ୍ କଲରେ ହାଜର ହୋଇଯାଆନ୍ତି ସମସ୍ତଙ୍କର ନଛି ଭାଇ । ଯିଏ ଯେଉଁ କାମପାଇଁ ତାଙ୍କୁ ମନେପକାଇଛି କାହାକୁୁ କେବେ ନିରାସ କରିନାହାନ୍ତି । ଯେଉଁ ପୁଅବୋହୁମାନେ ଅଲୋଡ଼ା ଭାବି ବୁଢ଼ା ବାପାମା’ଙ୍କୁ ଘରୁ ତଡ଼ି ଦିଆନ୍ତି ସେମାନଙ୍କୁ ବୃଦ୍ଧାଶ୍ରମରେ ନେଇ ଥଇଥାନ୍ କରାନ୍ତି । ତାଙ୍କର ଏହି ନିସ୍ୱାର୍ଥପର ସେବା ପାଇଁ ସହରବାସୀ ତାଙ୍କର କାମକୁ ଖୁବ୍ ପ୍ରସଂସା କରନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କେନ୍ଦ୍ର ସରକାରଙ୍କର ସ୍ୱଚ୍ଛ ଭାରତ ମିସନର ବହୁ ପୂର୍ବରୁ ତାଙ୍କ ମନରେ ପଲିଥିନ୍ ମୁକ୍ତ ବାରିପଦା ସହର କରିବାର ଚିନ୍ତାଧାରା ମନରେ ଆସିଥିଲା । ଆଉ ସେବେଠାରୁ ସେ ବାରିପଦା ସହରକୁ ସରସ ସୁନ୍ଦର କରିବା ପାଇଁ ଲାଗିପଡ଼ିଛନ୍ତି । ଲୋକ ମାନଙ୍କୁ ଏ ଦିଗରେ ସଚେତନ କରାଇ ପଲିଥିନ୍ ମୁକ୍ତ ହେଲେ ସୁନ୍ଦର ପରିବେଶ ସହ ପଶୁପକ୍ଷୀ ଜୀବଜନ୍ତୁ ସୁରକ୍ଷିତ ରହିବେ ଆଶାରଖି ଏକ ନିଆରା ଅଭିଯାନରେ ନିଜକୁ ହଜେଇ ଦେଇଛନ୍ତି ।