ଚାଲିଛି ରାହୁଲଙ୍କୁ ଉଦ୍ଧାର, ଭାରତୀୟ ସେନା, ଏନଡିଆରଏଫ ଓ ଛତିଶଗଡ ପୁଲିସର ସ୍ୱତନ୍ତ୍ର ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ

230

କନକ ବ୍ୟୁରୋ : ବୋରୱେଲ ଭିତରେ ୬୦ଫୁଟ ତଳେ, ଫସି ଥିବା ୧୦ବର୍ଷର ଭିନ୍ନକ୍ଷମ ନାବାଳକ ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି ଉଦ୍ଧାରକାରୀ ଟିମ୍ । ଭାରତୀୟ ସେନା, ଏନଡିଆରଏଫ ଓ ଛତିଶଗଡ ପୁଲିସର ସ୍ୱତନ୍ତ୍ର ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ଉଦ୍ଧାର ସମୟରେ ଯେମିତି ରାହୁଲଙ୍କୁ କୌଣସି ଆଘାତ ନପହଁଚେ ତା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ସ୍ୱତନ୍ତ୍ର ରଣନୀତି କରି ଯୋଜନା ବଦ୍ଧ ଭାବରେ ଉଦ୍ଧାରକାର୍ଯ୍ୟ ଚାଲିଛି ।

ରାହୁଲକୁ ସୁରକ୍ଷିତ ଉଦ୍ଧାର ପାଇଁ ସେ ଫସିଥିବା ସ୍ଥାନଠାରୁ ଅଳ୍ପ କିଛି ଦୂରରେ ସୁଡଂଗ କରି ତା ନିକଟରେ ପହଁଚିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଉଦ୍ଧାରକାରୀ ଟିମ୍ । ମାଟିକୁ କାଟି କାଟି ଉଦ୍ଧାର କାରୀ ଟିମ୍ ଆଗକୁ ବଢ଼ୁଥିବାବେଳେ. ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଛି ବିରାଟ ପଥର ଚଟାଣ । ସ୍ୱତନ୍ତ୍ର ମେସିନ ସହାୟତାରେ ପଥର କଟା ଯାଉଥିଲେ ବି ପଥର ଅତି ଶକ୍ତ ଥିବାରୁ କାଟିବା କଷ୍ଟକର ହେଉଛି । ପଥର ଚଟାଣଟି ଗ୍ରାନାଇଟ୍ ଓ ସେମି ଗ୍ରାନାଇଟ୍ ଜାତୀୟ ହୋଇଥିବା କୁହାଯାଉଛି । ଯାହାକୁ କାଟିବାରେ ସମସ୍ୟା ଉପୁଜୁଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ପଥର ଚଟାଣ କାଟିବା କଷ୍ଟକର ହେଉଛି, ସେହି ପଥର ଚଟାଣର ଏକ ଅଂଶରେ ରାହୁଲ ବସିଛି । ତେଣୁ ପଥରକୁ କାଟିବାବେଳେ ଯେମିତି ତାର ଯେମିତି କୌଣସି କ୍ଷତି ନହୁଏ ତା ଉଦ୍ଧାରକାରୀ ଟିମ୍ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଏଥିପାଇଁ ଚଟାଣକୁ ଧିରେ ଧିରେ କଟାଯାଉଛି । ସୁଡଙ୍ଗ ଭିତରୁ ମାଟି ଓ ପଥର ଖଣ୍ଡ ଗୁଡିକୁ ଅତି ସତର୍କତାର ସହିତ କଢ଼ା ଯାଉଛି । ପିଲାଟି ଅତି ଗଭୀରରେ ଥିବାରୁ ସେଠାରେ ଯେମିତି ପାଣିର ସ୍ତରକୁ ସ୍ଥିର ରଖିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ।

ସକାଳେ ଟିକେ ନିସ୍ତେଜ ହୋଇପଡିଥିବା ରାହୁଲ ଅପରାହ୍ଣରେ ପୁଣି ଥରେ ଇସାରା ଦେଇଛି ।ତାକୁ ଭୋକ ଲାଗୁଥିବାର ସଂକେତ ଦେଇଛିି । ଖାଇବା ପାଇଁ ସଂକେତ ଦେବା ପରେ ତା ନିକଟରେ ଖାଦ୍ୟ ପହଁଚାଇବା ପାଇଁ ଉଦ୍ଧାରକାରୀ ଟିମ୍ ପକ୍ଷରୁ ଉଦ୍ୟମ କରାଯାଉଛି । ସ୍ୱତନ୍ତ୍ର ଜ୍ଞାନ କୌଶଳ ରୋବେଟିକ୍ ଇନକ୍ୟୁବେଟର ସହାୟତାରେ ତାର ଗତିବିଧି ଉପରେ ନଜର ରଖାଯାଉଛି । ପିଲାଟିର ଶାରୀରିକ, ମାନସିକ ସ୍ଥିତି ଅନୁଧ୍ୟାନ କରାଯାଉଛି । ବୋରୱେଲର ଉପରମୁଣ୍ଡ ଦେଇ ରାହୁଲଙ୍କୁ ପାଇପ ଯୋଗେ ଖାଦ୍ୟ, ପାଣି ଓ ଅକ୍ସିଜେନ ଯୋଗାଇ ଦିଆଯାଉଛି ।

ଶୁକ୍ରବାର ଅପରାହ୍ନରେ ଖେଳୁଥିବା ବେଳେ ୧୧ ବର୍ଷ ବୟସ୍କ ରାହୁଲ ବୋରୱେଲ ଗାତରେ ଖସି ପଡିଥିଲେ । ପ୍ରାୟ ଶହେ ଘଂଟା ହେବ ନଳକୂପ ପାଇଁ ଖୋଲାଯାଇଥିବା ଗାତରେ ଜୀବନ ସହ ସଂଗ୍ରାମ କରୁଛନ୍ତି ରାହୁଲ ।