୭ ବର୍ଷ ପରେ ଓଡ଼ିଆ ପୁଅଙ୍କୁ ମିଳିଲା ଆଇପିଏଲ୍ ଏଣ୍ଟ୍ରି । ଶୁଭାଂଶୁ ସେନାପତିଙ୍କୁ ୨୦ ଲକ୍ଷରେ କିଣିଲା ଚେନ୍ନାଇ ସୁପର କିଙ୍ଗସ୍

247

କନକ ବ୍ୟୁରୋ: ଦୀର୍ଘ ୭ବର୍ଷ ପରେ ଚଳିତ ବର୍ଷ ଓଡିଶାରୁ ପୁଣି ଜଣେ ଖେଳାଳି କ୍ରିକେଟର ଫଟାଫଟ ଫର୍ମାଟ ଆଇପିଏଲରେ ସୁଯୋଗ ପାଇଛନ୍ତି । ରଣଜୀ ପ୍ଲେୟାର ବ୍ୟାଟସମ୍ୟାନ ଶୁଭ୍ରାଂଶୁ ସେନାପତିଙ୍କୁ କିଣିଛି ଚେନ୍ନାଇ ସୁପରକିଙ୍ଗ୍ସ । ଆଇପିଏଲରେ ଶୁଭ୍ରାଂଶୁ ସ୍ଥାନ ପାଇବା ପରେ ତାଙ୍କ ସାଥୀ ଖେଳାଳି ନାଚି ଉଠିଛନ୍ତି ।

୭ ବର୍ଷ ପରେ ଆଉ ଜଣେ ଓଡ଼ିଆ ଖେଳାଳି ଆଇପିଏଲରେ ସୁଯୋଗ ପାଇଛନ୍ତି । ଓଡ଼ିଶା ରଣଜୀ ଟିମର ସଦସ୍ୟ ଶୁଭ୍ରାଂଶୁଙ୍କୁ ଏଥର ଆଇପିଏଲ ନିଲାମରେ କିଣିଛି ଚେନ୍ନାଇ ସୁପର କିଙ୍ଗସ୍ । ୨୦ ଲକ୍ଷ ଟଙ୍କାରେ ଶୁଭ୍ରାଂଶୁଙ୍କୁ ନିଜ ଟିମରେ ସାମିଲ କରିଛି ଧୋନୀଙ୍କ ଦଳ । ତେବେ ବେସ୍ ପ୍ରାଇସରେ ନିଲାମ ହୋଇଛନ୍ତି ଶୁଭ୍ରାଂଶୁ । ସିଏସକେ ପକ୍ଷରୁ ଏନେଇ ଏକ ଟୁଇଟ୍ ମଧ୍ୟ କରାଯାଇଛି । ଗତବର୍ଷ ମଧ୍ୟରେ ଚେନ୍ନାଇ ଟିମ୍ ପାଇଁ ଟ୍ରାଏଲ ଦେଇଥିଲେ ଶୁଭ୍ରାଂଶୁ । ଧୋନୀ ମଧ୍ୟ ତାଙ୍କୁ ପ୍ରଶଂସା କରିଥିଲେ । ହେଲେ ଦଳରେ ସାମିଲ ହେବାର ସୁଯୋଗ ମିଳିନଥିଲା, ହେଲେ ଏଥର ଭାଗ୍ୟ ତାଙ୍କ ସପକ୍ଷରେ ଯାଇଛି । ତେବେ ନଜର ପକାନ୍ତୁ ଶୁଭ୍ରାଂଶୁ କ୍ୟାରିୟର ଉପରେ..

  • ୧୯୯୬ ୩୦ ଡିସେମ୍ବରରେ ଜନ୍ମ
  • ୨୦୧୬-୧୭ରେ ପ୍ରଥମ ଥର ରଣଜୀ ଟିମରେ ସାମିଲ ହୋଇଥିଲେ
  • ଜଣେ ଭଲ ବ୍ୟାଟସମ୍ୟାନ ଭାବେ ଖ୍ୟାତି ରହିଛି
  • ୨୦୧୭-୧୮ ରଣଜୀ ସିଜିନରେ ସେ ବେଶ୍ ଭଲ ରନ୍ କରିଥିଲେ
  • ୬ଟି ମ୍ୟାଚରେ ୪୨୭ ରନ୍ କରି ସେ ଜାତୀୟ ସ୍ତରରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ

ପୂର୍ବରୁ ୨୦୧୨ରୁ ୧୫ ଯାଏଁ ସନରାଇଜର୍ସ ହାଇଦ୍ରାବାଦ ଦଳରେ ସାମିଲ ହୋଇଥିଲେ ଓଡ଼ିଆ ଖେଳାଳି ବିପ୍ଳବ ସାମନ୍ତରାୟ । ସେହିପରି ହଳଧର ଦାସ ୨୦୦୮ରୁ ୨୦୧୦ ଯାଏଁ ଡେକାନ ଚାର୍ଜସ ଓ ୨୦୧୧ରେ କେକେଆର ଟିମରେ ସାମିଲ ହୋଇଥିଲେ । ତେବେ ଆଇପିଏଲ ନିଲାମ ଯେତେବେଳେ ଚାଲେ, ଓଡ଼ିଆ କ୍ରିକେଟପ୍ରେମୀଙ୍କ ମନ ଟିକେ ଉଣା ହୋଇଯାଏ କାରଣ ଓଡ଼ିଆ ଖେଳାଳି ଏଥିରେ ସୁଯୋଗ ପାଇବା ଖୁବ୍ କମ୍ ଦେଖାଯାଏ । ହେଲେ ଏଥର ଆଇପିଏଲ ନିଲାମ ଓଡ଼ିଆ କ୍ରୀଡ଼ା ପ୍ରେମୀଙ୍କ ପାଇଁ ଖୁସି ଖବର ଆଣିଛି ।