୫୧ ହଜାର କୋଟି ଟଙ୍କାର ନିବେଶ ପାଇଁ ୩ଟି ବୁଝାମଣାପତ୍ର ସ୍ୱାକ୍ଷରିତ, ଓଡିଶା ଅକ୍ଷୟଶକ୍ତି ନୀତି -୨୦୨୨ ଘୋଷିତ

119

କନକ ବ୍ୟୁରୋ : ଓଡିଶା ସରକାରଙ୍କ ମେକ୍ ଇନ୍ ଓଡିଶା କନକ୍ଲେଭର ତୃତୀୟ ସଂସ୍କରଣ -୨୦୨୨ ପ୍ରଥମ ଦିନରେ ଓଡିଶା ଅକ୍ଷୟଶକ୍ତି ନୀତି -୨୦୨୨ ଘୋଷିତ ହୋଇଛି । ଅକ୍ଷୟଶକ୍ତି ସଂପର୍କିତ ଏକ ବିଜନେସ ଲିଡର ଅଧିବେଶନରେ ଯୋଗଦେଇ ଶକ୍ତି, ଶିଳ୍ପ, ଏମଏସଏଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ବକ୍ତବ୍ୟ ରଖିବା ସହ ଅକ୍ଷୟଶକ୍ତି ନୀତି ଘୋଷଣା କରିଛନ୍ତି ।

‘ସବୁଜ ଶକ୍ତି ଅଭିମୁଖେ’ ଶୀର୍ଷକ ଏହି ବକ୍ତୃତାମାଳାରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଥିଲେ କି ରାଜ୍ୟର ଅକ୍ଷୟଶକ୍ତି ଉତ୍ପାଦନ କ୍ଷମତାର ୧୦ ହଜାର ମେଗାୱାଟ ବୃଦ୍ଧି ପାଇଁ ନୀତିରେ ବ୍ୟବସ୍ଥା ରହିଛି । ଏହା ସହିତ ରାଜ୍ୟରେ ବିିଭିନ୍ନ ଅକ୍ଷୟଶକ୍ତିର ପ୍ରକଳ୍ପ ବିକାଶ ନିମନ୍ତେ ବହୁମୁଖୀ ରିହାତି ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଇଛି ।

ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସ୍ୱାଗତ ବକ୍ତବ୍ୟ ରଖିଥିଲେ । ପରେ ଏନଟିପିସିର ସିଏମଡି, ଏସଜେଭିଏନଏଲର ସିଏମଡି, ଟାଟା ପାୱାରର ସିଇଓ, ହିଣ୍ଡାଲକୋର ଏମଡିଙ୍କ ସମେତ ଇଣ୍ଟରନ୍ୟାସନାଲ ସୋଲାର ଆଲିୟାନ୍ସର ପୂର୍ବତନ ମହାନିର୍ଦ୍ଦେଶକ ଉପେନ୍ଦ୍ର ତ୍ରିପାଠୀ ତାଙ୍କର ଅଭିଭାଷଣରେ ଅକ୍ଷୟଶକ୍ତି ବିକାଶ ଉପରେ ମତ ରଖିଥିଲେ ।

ଶକ୍ତି ବିଭାଗ ତରଫରୁ ୩ ଟି କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ ସହ ବୁଝାମଣା ହୋଇଛି । ଏନଟିପିସି, ଏସଜେଭିଏନଏଲ ଓ ଏନଏଲସି ସହିତ ଗ୍ରୀଡକୋ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ବୁଝାମଣାପତ୍ର ଗୁଡିକରେ ମୋଟ ୫୧ ହଜାର କୋଟି ଟଙ୍କା ପୁଞ୍ଜିନିବେଶର ବ୍ୟବସ୍ଥା ରହିଛି । ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରତ୍ୟକ୍ଷ ଭାବେ ୧୨ ଶହ ଓ ପରୋକ୍ଷ ଭାବେ ୨୬ ଶହ ଲୋକ ନିଯୁକ୍ତି ପାଇବେ ବୋଲି କୁହାଯାଇଛି ।