ନବୀନଙ୍କ ମାଟିରେ ଦିଦିଙ୍କ ରାସ୍ତା ! ଦୀଘାରୁ ଉଦୟପୁର ବେଳାଭୂମୀରେ ୪ କିଲୋମିଟର କଂକ୍ରିଟ ରାସ୍ତା କଲେ ମମତା ସରକାର

64

କନକ ବ୍ୟୁରୋ : ଓଡ଼ିଶାର ମାଟି ହେଲେ ଚାଲିଛି ପଶ୍ଚିମବଙ୍ଗର ରାଜ୍ । ଓଡିଶା ସୀମାରେ ଥିବା ସୌନ୍ଦର୍ଯ୍ୟମୟ ବେଳାଭୂମୀକୁ ହଡପ କରିଦେବାକୁ ଯୋଜନା କରୁଛି ମମତାଙ୍କ ସରକାର । ହେଲେ ଏପଟେ ନୀରବଦ୍ରଷ୍ଟ୍ରା ପାଲଟିଛନ୍ତି ନବୀନଙ୍କ ସରକାର । ଦୀଘାରୁ ଉଦୟପୁର ବେଳାଭୂମୀରେ ୪ କିଲୋମିଟର କଂକ୍ରିଟ ରାସ୍ତା କରିଛି ପଶ୍ଚିମବଙ୍ଗ । ସେପଟେ ଉଦୟପୁରକୁ ଆସୁଛନ୍ତି ପର୍ଯ୍ୟଟକ, ହେଲେ ହୋଟେଲ ଓ ଅନ୍ୟାନ୍ୟ ସୁବିଧା ଅଭାବରୁ ରହୁଛନ୍ତି ପଶ୍ଚିମବଙ୍ଗରେ । ଓଡ଼ିଶାର ପର୍ଯ୍ୟଟକଙ୍କ ଠାରୁ ଭଲ ରୋଜଗାର କରୁଛି ପଶ୍ଚିମବଙ୍ଗ ।

ବାଲେଶ୍ୱର-ବଙ୍ଗଳା ସୀମାର ରହିଛି, ସୁଦୀର୍ଘ ବେଳାଭୂମି । ଗୋଟିଏ ହେଉଛି ବାଲେଶ୍ୱରର ତାଳସାରୀ ଓ ଉଦୟପୁର ବେଳାଭୂମି । ଅନ୍ୟଟି ପଶ୍ଚିମବଙ୍ଗ ସୀମାକୁ ଲାଗି ରହିଥିବା ଦୀଘା । ଓଡ଼ିଶାର ବେଳାଭୂମୀ ପର୍ଯ୍ୟଟକଙ୍କ ପାଇଁ ଯେତିକି ଆକର୍ଷଣ ସୃଷ୍ଟି ନକରୁଛି ତାଠାରୁ ଅଧିକ ଆକର୍ଷିତ କରୁଛି ବଙ୍ଗଳା ସୀମାନ୍ତ ଦିଘା । ପ୍ରକୃତ କଥା ହେଉଛି ଓଡିଶା ଅବହେଳାର ଫାଇଦା ଉଠାଉଛି ପଶ୍ଚିମବଙ୍ଗ । ତାଳସାରୀ ଓ ଉଦୟପୁର ବେଳାଭୂମୀର ପ୍ରାକୃତିକ ସୌନ୍ଦର୍ଯ୍ୟ, ଉଦୟପୁରର ବିରଳ ନାଲି କଙ୍କଡା ଓ ସମୁଦ୍ର ମଝିରେ ଥିବା ଛୋଟ ଛୋଟ ଟାପୁ ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ଟାଣିଆଣିଥାଏ ।

ହେଲେ ବିଡମ୍ବନା ଏଠାକୁ ଆସୁଥିବା ଲୋକେ ଓଡିଶାରେ ରହିବା ପରିବର୍ତ୍ତେ ପଶ୍ଚିମବଙ୍ଗର ଦୀଘାରେ ରହିବାକୁ ପସନ୍ଦ କରନ୍ତି । ତାର କାରଣ ହେଉଛି ଏସବୁ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ କୌଣସି ଉଦ୍ୟମ କରି ନାହାନ୍ତି ନବୀନ ସରକାର । ନା ଅଛି ହୋଟେଲ ନା ଅଛି ଅନ୍ୟାନ୍ୟ ସୁବିଧା । ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ରହଣୀ ପାଇଁ ଭଲ ବନ୍ଦୋବସ୍ତ ନଥିବାରୁ ସେମାନେ ପଶ୍ଚମବଙ୍ଗରେ ରହୁଛନ୍ତି । ଫଳରେ ଭଲ ରାଜସ୍ୱ କମାଉଛନ୍ତି ମମତା ସରକାର ।

କେବଳ ଏତିକି ନୁହେଁ, ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଓଡିଶା ସୀମାରେ ୪ କିଲୋମିଟରର କଂକ୍ରିଟ ରାସ୍ତା ମଧ୍ୟ କରିଛି ପଶ୍ଚିମବଙ୍ଗ ସରକାର । ଗୋଟିଏ ପଟେ ଓଡିଶା ସୀମାକୁ ଦଖଲ କରିବା ଲାଗି ଦିଦିଙ୍କ ଚାଲ, ଅନ୍ୟ ପଟେ ନବୀନ ସରକାରଙ୍କ ନିଷ୍କ୍ରିୟତା । ଆଉ ଏସବୁ ଭିତରେ ବଳିପଡୁଛି ଓଡ଼ିଶାର ସ୍ୱାର୍ଥ । ଏସବୁ ଅଂଚଳରେ ବସବାସ କରୁଥିବା ଲୋକଙ୍କୁ ପଶ୍ଚିମବଙ୍ଗରେ ସାମିଲ ହେବା ପାଇଁ ପ୍ରଲୋଭିତ କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି । ତେଣୁ ବେଳ ଥାଉ ଥାଉ ଓଡିଶା ସରକାର ଏଦିଗରେ ପଦକ୍ଷେପ ନନେଲେ ଏକ ସୁନ୍ଦର ପର୍ଯ୍ୟଟନ କ୍ଷେତ୍ର ଓଡିଶା ମାନଚିତ୍ରରୁ ହଜିଯିବାର ଆଶଙ୍କା ଉପୁଜିଛି ।