ଅମିତ ଶାହାଙ୍କ ଦମ୍ଭୋକ୍ତି । କହିଲେ, ଆଗକୁ ବିଜେପି ଓଡିଶା ଦଖଲ କରିବାକୁ ଯାଉଛି

231

କନକ ବ୍ୟୁରୋ: ଦୁଇ ଦିନିଆ ଓଡିଶା ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତେବେ ଅପରାହ୍ନରେ ହୋଟେଲ ମେ ଫେୟାରରେ ଆୟୋଜିତ ମୋଦି ଆଟ୍ ୨୦ ବୁକ ରିଡିଂ କାର୍ଯ୍ୟକ୍ରମରେ ଯୋଗଦେଇ, ଓଡିଶାରେ ବିଜେପି ସରକାର ଗଢିବ ବୋଲି ଦମ୍ଭ ଦେଖାଇଛନ୍ତି ଅମିତ ଶାହ ।

ମୋଦି ଆଟ ୨୦ ଡ୍ରିମ୍ସ ମିଟ୍ ଡେଲିଭରି ଓଡିଶା ଚାପ୍ଟରର ଲୋକାର୍ପଣ କରି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ସାରାଦେଶରେ ଧାରଣା ରହିଥିଲା ଯେ, ବିଜେପି କେବଳ ହିନ୍ଦୀ ଭାଷାଭାଷି ଅଞ୍ଚଳରେ ନିର୍ବାଚନ ଜିତିବାକୁ ସମର୍ଥ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହାକୁ ଭୁଲ ପ୍ରମାଣିତ କରି ଦେଖାଇଛି ବିଜେପି । ଉତ୍ତର ପୂର୍ବ ଭାରତରେ ଏବେ ବିଜେପିର ସରକାର ରହିଛି । ମହାରାଷ୍ଟ୍ର ଓ ଗୁଜରାଟ ମଧ୍ୟ ହିନ୍ଦୀ ଭାଷାଭାଷି କ୍ଷେତ୍ର ନୁହେଁ । ଏମିତିକି ଅଭେଦ୍ୟ ଗଡ କୁହାଯାଉଥିବା ଦକ୍ଷିଣ ଭାରତର କର୍ଣ୍ଣାଟକ ମଧ୍ୟ ଭାରତୀୟ ଜନତା ପାର୍ଟି ଦଖଲକୁ ଆସିଛି । ତେଣୁ ଆଗକୁ ବିଜେପି ଓଡିଶା ଦଖଲ କରିବାକୁ ଯାଉଛି ବୋଲି କହିଛନ୍ତି ଅମିତ ଶାହା ।

ବିଜେପି ଚାଣକ୍ୟଙ୍କ ଏହି ଦମ୍ଭୋକ୍ତି ରାଜ୍ୟ ରାଜନୀତିରେ ବଡ କମ୍ପନ ସୃଷ୍ଟି କରିଛି । କାରଣ ଦିନ ତମାମ ବିଭିିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲାବେଳେ ବେଶ ଶାନ୍ତି ଓ ନରମ ଆଭିମୁଖ୍ୟ ରଖିଥିଲେ କେନ୍ଦ୍ର ଗୃହମନ୍ତ୍ରୀ । ସ୍ୱାଭାବିକ ଭାବେ ବେଶ ଆକ୍ରମଣାତ୍ମକ ରାଜନେତା ଭାବେ ଜଣାଶୁଣା ବିଜେପିର ଦ୍ୱିତୀୟ କ୍ଷମତାଶାଳୀ ନେତା ରାଜ୍ୟ ସରକାରଙ୍କ ବିରୋଧରେ ସେଭଳି କୌଣସି ଶାଣିତ ଟପ୍ପଣୀ କରିନଥିଲେ । ହେଲେ ଦଳୀୟ ନେତାଙ୍କ ସହ ବୈଠକ ପରେ ମେ ଫେୟାର କାର୍ଯ୍ୟକ୍ରମରେ ସରକାର ଗଢିବାର ଶାଣିତ ବାଣ ମାରିଥିଲେ । ଏଥିରେ ଉତ୍ସାହିତ ହୋଇ ଦଳୀୟ ନେତା ମଧ୍ୟ ରାଜ୍ୟରେ ଆଗୁଆ ନିର୍ବାଚନ ହେବ ବୋଲି ମତ ରଖିଛନ୍ତି ।