କୃଷି ବିଭାଗ କର୍ମଚାରୀଙ୍କ ଉଦ୍ଭାବନ ନିଶା ! ଆଧୁନିକ ହାତତିଆରି ପଞ୍ଚକର୍ମ ମେସିନ ତିଆରି କରି ଉଦାହରଣ ସାଜିଲେ କୃଷିବିଭାଗ କର୍ମଚାରୀ  । 

752

ଦିନକୁ ଦିନ କୃଷକଙ୍କ ସମସ୍ୟା ବଢିବାରେ ଲାଗିଛି  । ଯାହାକୁ ଆଖି ଆଗରେ ରଖି ଜଣେ ଉଚ୍ଚଶୀକ୍ଷିତ ଯୁବକ ଏଭଳି ଏକ ମେସିନ୍ ତିଆରି କରିଛନ୍ତି ଯାହା କୃଷିକ୍ଷେତ୍ରରେ ଚାଷୀମାନଙ୍କ ସାହାଯ୍ୟ କରିବ । ସମ୍ବଲପୁର ଜିଲ୍ଲା ବାମରା କୃଷି କାର୍ଯ୍ୟାଳୟର ଜଣେ କର୍ମଚାରୀ ନିଜସ୍ୱ ଚେଷ୍ଟାରେ ଏଭଳି ଏକ ଯନ୍ତ୍ର ତିଆରି କରିଛନ୍ତି ଯାହାକି ଚାଷୀଙ୍କ ଧାନକିଆରିରୁ ପୋକ ମାରିବା ସଙ୍ଗେସଙ୍ଗେ ଅନ୍ୟ ୫ ଟି କାମରେ ଉପଯୋଗୀ ହୋଇପାରିବ । ଆଧୁନିକ ପ୍ରଣାଳୀରେ ଚାଷ କରିବା ପାଇଁ ଆଧୁନିକ ସରଞ୍ଜାମର ଆବଶ୍ୟକତା ପଡେ । ଫଳରେ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ହେଲେ ବଡ ବଡ ଚାଷୀ ଟଙ୍କା ଖର୍ଚ୍ଚ କରିପାରୁଥିବା ବେଳେ ଭାଗଚାଷୀ ଓ କ୍ଷୁଦ୍ର ଚାଷୀଙ୍କ ପାଇଁ ଏହା କାଠିକର ପାଠ ହୋଇପଡେ । ସେମାନଙ୍କ ଅସୁବିଧାକୁ ଆଖି ଆଗରେ ରଖି ବାମରା ବ୍ଲକରେ କାର୍ଯ୍ୟରତ ଥିବା ଜଣେ ସ୍ୱଳ୍ପ ବେତନ ଭୋଗୀ ବ୍ଲକ ଟେକ୍ନୋଲଜି ମ୍ୟାନେଜର କୃଷ୍ଣଚନ୍ଦ୍ର ନାୟକ ନିର୍ମାଣ କରିଛନ୍ତି ପଂଚକର୍ମ ଯନ୍ତ୍ର ।

ମାତ୍ର ଏକ ହଜାର ରୁ ୧୫୦୦ ଟଙ୍କା ଖର୍ଚ୍ଚରେ ନିର୍ମିତ ଏହି ମେସିନ ଚାଷୀଙ୍କ ପାଇଁ ଖୁବ୍ ଉପଯୋଗୀ ହୋଇପାରିଛି । ଜମିରୁ ପୋକ ,ଜୋକ , କିଟପତଙ୍ଗଙ୍କୁ ସମୁଳେ ମାରିବାରେ ସାହାଯ୍ୟ କରିବା ସହ ମକାରୁ ମଞ୍ଜି ଛଡାଇବା , ଧାନରୁ କୁଣ୍ଡା ଉଡାଇବା , ନଡିଆ କୋରିବା , ଯନ୍ତ୍ରପାତି ଧାର କରିବା ଭଳି ବିଭିନ୍ନ କାର୍ଯ୍ୟ କରୁଥିବାରୁ ଏହାର ନାଁ ଦିଆଯାଇଛି ପଞ୍ଚକର୍ମ । ତା ସହିତ ଏହାକୁ ଚଲାଇବା ପାଇଁ ବିଦ୍ୟୁତ କିମ୍ବା ପେଟ୍ରୋଲ,ଡିଜେଲର କୋଣସି ଆବଶ୍ୟକ ମଧ୍ୟ ପଡୁନାହିଁ ।

ଧାନ ଗଛରୁ ନଳୀ ପୋକ ନଷ୍ଟ କରିବା ପାଇଁ ଚାଷୀଙ୍କୁ ବହୁ ପରିଶ୍ରମ କରିବାକୁ ପଡୁଥିଲା । କିନ୍ତୁ ଏବେ କୃଷ୍ଣଚନ୍ଦ୍ରଙ୍କର ଏହି ମେସିନ ଦୁଇ ପଟରେ ଦୁଇଜଣ ରହି ଚଲାଇଲେ ଧାନ ଗଛରେ ଥବା ନଳୀ ପୋକ ତଳେ ପଡିଯାଇ ମରିଯିବା କଥା କୁହାଯାଉଛି । ଅନ୍ୟ ପକ୍ଷରେ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଏବଂ ଏହା କୃଷି କ୍ଷେତ୍ରରେ ଚାଷୀକୁ ବହୁ ସାହାଯ୍ୟ କରିବା ନେଇ କହିଛନ୍ତି ସହକାରୀ କୃଷି ଅଧିକାରୀ । ଉଚ୍ଚଶିକ୍ଷିତ ହୋଇ ମଧ୍ୟ ଜଣେ ସାଧାରଣ କର୍ମଚାରୀ ଭାବେ କାର୍ଯ୍ୟକରି ଚାଷୀଙ୍କ ପାଇଁ ଚିନ୍ତା କରିବା ନିଶ୍ଚୟ ଦେଶପାଇଁ ଗର୍ବ ଓ ଗୈାରବର ବିଷୟ ।