ଅନୁଦାନପ୍ରାପ୍ତ ଶିକ୍ଷକଙ୍କୁ ନୂଆବର୍ଷ ଭେଟି । କେଉଁଠି ଉତ୍ସାହ ତ କେଉଁଠି ନିରାଶା

12,917

କନକ ବ୍ୟୁରୋ: ରାଜ୍ୟରେ ୨୬ ହଜାର ୧୬୪ ଗ୍ରାଣ୍ଟ ଇନ ଏଡ ଶିକ୍ଷକ ଓ କର୍ମଚାରୀଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି କ୍ୟାବିନେଟ ବୈଠକରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଅନୁସାରେ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ପାଇଁ ଲାଗୁ ହୋଇଛି ସପ୍ତମ ବେତନ କମିଶନ୍ । ନିଷ୍ପତି ଅନୁସାରେ…

  • ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ, ୟୁପି ସ୍କୁଲ ଓ ମଦ୍ରାସା ଶିକ୍ଷକଙ୍କୁ ସପ୍ତମ ବେତନ କମିଶନ ହାରରେ ମିଳିବ ଦରମା
  • ଫଳରେ ଉପକୃତ ହେବେ ୨୬ ହଜାର ୧୬୪ ଶିକ୍ଷକ ଓ କର୍ମଚାରୀ
  • ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଶହେ ପ୍ରତିଶତ ଅନୁଦାନ ପାଉଥିବା ଶିକ୍ଷକ ଓ କର୍ମଚାରୀ ହେବେ ଯୋଗ୍ୟ
  • ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୮୦ କୋଟି ୪୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ

ସ୍କୁଲ, କଲେଜ ଗୁଡିକରେ ଶିକ୍ଷକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକାଧିକ କ୍ୟାଡର ତିଆରି କରିଛି ରାଜ୍ୟ ଶିକ୍ଷା ବିଭାଗ । ତେଣୁ ଗୋଟିଏ ଗୋଷ୍ଠୀକୁ ସରକାର ଖୁସି କରିଥିବାବେଳେ ଅନ୍ୟଗୋଷ୍ଠୀ ନିରାଶ ହୋଇଛନ୍ତି । ରାଜ୍ୟରେ ପ୍ରାୟ ୨୨ ହଜାର ଗଣ ଶିକ୍ଷକଙ୍କୁ ନିଯୁକ୍ତି କରିଯାଇଥିବାବେଳେ ୧୮ ହଜାରର ଗଣଶିକ୍ଷକଙ୍କୁ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ଭାବେ ନିୟମିତ କରାଯାଇଛି । କିନ୍ତୁ ବଳକା ଥିବା ୪ ହଜାର ଗଣଶିକ୍ଷକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ମାତ୍ର ୭ ହଜାର ଟଙ୍କାର ମାସିକ ଦରମାରେ ସେମାନେ କିଭଳି ପରିବାର ଚଳାଇବେ ବୋଲି ପ୍ରଶ୍ନ କରିଛନ୍ତି । ସେହିପରି କନିଷ୍ଠ ଶିକ୍ଷକମାନେ ମଧ୍ୟ ସରକାରଙ୍କ ବିରୋଧରେ ଆଣିଛନ୍ତି ପ୍ରତାରଣା ଅଭିଯୋଗ ।

ସେହିପରି ବିଭିନ୍ନ ଦାବି ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣରେ ବସିଛନ୍ତି ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ୟୁନିୟନ । ସରକାରୀ ମାନ୍ୟତା ସହ ମାସିକ ୧୮ ହଜାର ଟଙ୍କା ଦରମା ଓ ସହାୟିକାମାନଙ୍କୁ ୯ ହଜାର ଟଙ୍କା ପ୍ରଦାନ ପାଇଁ ସେମାନେ ଦାବି କରିଆସୁଛନ୍ତି । ନୂଆବର୍ଷରେ ସରକାର ସେମାନଙ୍କ ଦାବି ପୂରଣ କରିବେ ବୋଲି ଆଶା ବାନ୍ଧି ବସିଛନ୍ତି ଅଙ୍ଗନବାଡି କର୍ମୀ । ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି ଠିକାରେ ନିଯୁକ୍ତି । କେତେବେଳେ ନିୟମିତ କରିବାକୁ ତ କେତେବେଳେ ଦରମା ବୃଦ୍ଧି କରିବାକୁ ଭୁବନେଶ୍ୱରରେ ଚାଳାଇଛନ୍ତି ଆନ୍ଦୋଳନ । ଗୋଟିଏ ଗୋଷ୍ଠୀକୁ ଖୁସି କରିବା ପାଇଁ ଘୋଷଣା ହେଉଥିବାବେଳେ ଅନ୍ୟ ଗୋଷ୍ଠୀଙ୍କୁ ନିରାଶ ହେବାକୁ ପଡୁଛି ।