ଓଡିଶା ଡିଜିପି ଶହୀଦ! ତାମିଲ ଚଳଚିତ୍ରରେ ‘ଶହୀଦ’ଙ୍କ ସ୍ଥାନରେ ଲାଗିଛି ଡିଜିପିଙ୍କ ଫଟୋ

86

କନକ ବ୍ୟୁରୋ : ଓଡିଶା ଡିଜିପି କେ. ବି. ସିଂ ଶହୀଦ । ଏଭଳି ଆଶ୍ଚର୍ଯ୍ୟଜନକ ତଥା ଚକିତ କଲାଭଳି ତଥ୍ୟ ଦେଖାଯାଇଛି ତାମିଲ ଚଳଚିତ୍ରରେ । ଗତ ସପ୍ତାହରେ ତାମିଲ ଚଳଚିତ୍ର ଏସିପି ଶିବା, ହିନ୍ଦୀ ଭଷାରେ ଟିଭିରେ ଦେଖାଯାଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିରେ ଏକ ସିନରେ ଓଡିଶା ଡିଜିପି କେ. ବି. ସିଂଙ୍କୁ ଶହୀଦ ହୋଇଥିବା ପୋଲିସ କର୍ମଚାରୀ ଭାବେ ଦେଖାଯାଇଛି । ଡିଜିପିଙ୍କ ଫଟୋ ମଧ୍ୟ କାନ୍ଥରେ ଝୁଲିଛି । ପୋଲିସ ଡିଜି ଏହି ଘଟଣାକୁ ହାଲକା ଭାବେ ନେଇଥିଲା ବେଳେ ଓଡିଶା ପୋଲିସ ଆସୋସିଏସନ ଘଟଣାକୁ ଗମ୍ଭୀରତାର ସହ ନେଇଛି । ଫିଲ୍ମର ପ୍ରଯୋଜକ ଓ ନିର୍ଦ୍ଦେଶକ କ୍ଷମା ମାଗନ୍ତୁ ବୋଲି ସଂଘ ଦାବି କରିଛି ।

ଚଳଚିତ୍ର ସିନରେ ସତ୍ୟରାଜ୍ ଯିଏ ବାହୁବଳୀ ଚଳଚିତ୍ରରେ କଟପ୍ପା ଭୁମିକାରେ ଅଭିନୟ କରିଥିଲେ, ସେ କାନ୍ଥରେ ଲାଗିଥିବା ଫଟୋ ଗୁଡିକୁ ଦେଖାଇ ସମାଜ ପ୍ରତି ସେମାନଙ୍କର ଅବଦାନକୁ ଦର୍ଶାଇଥିଲେ । କାନ୍ଥରେ ଲାଗିଥିବା ଫଟୋ ଗୁଡିକ ଶହୀଦ ପୋଲିସ କର୍ମଚାରୀ ମାନଙ୍କର ଥିବା କୁହାଯାଉଛି । ହେଲେ ସ୍ପଷ୍ଟ ଭାବେ ଏଥିରେ ଜଣାପଡୁଛି, କାନ୍ଥରେ ଝୁଲୁଛି ଡିଜିପି କେ. ବି. ସିଂଙ୍କ ଫଟୋ । ଚଳଚିତ୍ରରେ ଜଣେ ସଚ୍ଚୋଟ ପୋଲିସ କର୍ମଚାରୀ ଭୁମିକାରେ ଅଛନ୍ତି ସତ୍ୟରାଜ୍ ।

ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଓଡିଶା ଡିଜିପି । ଟାଇମ୍ସ ଅଫ ଇଣ୍ଡିଆକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରଥମେ ମୁଁ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେଲି, ହେଲେ ପରେ ହସିଦେଲି । ମୁଁ କଣ କରିପାରିବି? ବୋଧହୁଏ ଭୁଲବଶତଃ କେହି ଇଂଟରନେଟରେ ଶହୀଦ ପୋଲିସ କର୍ମଚାରୀଙ୍କ ଫଟୋ ଖୋଜୁଥିଲେ । ଆଉ ଭୁଲରେ ମୋ ଫଟୋକୁ ଡାଉନଲୋଡ କରି ବ୍ୟବହାର କରିନେଇଛନ୍ତି । ଯଦି ସମ୍ଭବ ହୁଏ, ମୁଁ ଏନେଇ ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ସହ କଥା ହେବି ।

ତେବେ ଓଡିଶା ପୋଲିସ୍ ଆସୋସିଏସନ ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ପ୍ରତିକ୍ରିୟାରେ କହିଛି, ଏହା ଏକ ସାଂଘାତିକ ଘଟଣା । ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକ ରାଜ୍ୟର ପୋଲିସ ମୁଖ୍ୟଙ୍କ ମଜାକ ଉଡାଇଛନ୍ତି । ଯେହେତୁ ଫିଲ୍ମ ହିନ୍ଦୀ ଭାଷାରେ ଡବିଂ ହୋଇଛି, ତେଣୁ ଓଡିଶାରେ ମଧ୍ୟ ବହୁତ ଲୋକ ଏହାକୁ ଦେଖିବାକୁ ଆଶଙ୍କା ରହିଛି । ଫିଲ୍ମ ନିର୍ମାତା ଏନେଇ ଭୁଲ ମାଗିବାକୁ ଆମେ ଦାବି କରିବୁ ବୋଲି କହିଛନ୍ତି ସଂଘ ସଭାପତି ସତ୍ୟଜିତ୍ ମିଶ୍ର ।