କ୍ୟାବିନେଟ ନିଷ୍ପତ୍ତି, ୧୮ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ଜାଣନ୍ତୁ କେଉଁ ପ୍ରସ୍ତାବରେ ସରକାର ମାରିଛନ୍ତି ମୋହର?

39,277

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବରେ ବାଜିଛି ମୋହର । ଗତକାଲି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବକୁ ସବୁଜ ସଂକେତ ଦେଇଛନ୍ତି ସରକାର ।
୧. ପ୍ରଚଳିତ ଓଡିଶା ସମବାୟ ସେବା ନିୟମ ୧୯୭୪ ଅନୁଯାୟୀ ସ୍ତର ୧୨ରେ କୌଣସି ପଦବୀ ନଥିବାରୁ ଏକ ନୂତନ ପଦ ଯଥା ବରିଷ୍ଠ ସହକାରୀ ସମବାୟ ନିବନ୍ଧକ ପଦ ସୃଷ୍ଟି କରାଯିବା ସହିତ ଓଡିଶା ସମବାୟ ସେବା ନିୟମ ୧୯୭୪ ର ସଂଶୋଧନ ପୂର୍ବକ ସଂଶୋଧ ଓଡିଶା ସମବାୟ ସେବା, ୨୦୨୩ କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି ।
୨. ସାଧାରଣ ଭବିଷ୍ୟନିଧି ପାଣ୍ଠି ନିୟମାବଳୀ ଥିବା ବିଧି ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଇ ଜମାରାଶି ବେତନର ଛଅ ପ୍ରତିଶତରୁ କମ୍ ଏବଂ ପ୍ରାପ୍ୟ ପୂର୍ଣ ବେତନ ଠାରୁ ଅଧିକ ହୋଇପାରିବ ନାହିଁ ବୋଲି ନିର୍ଦ୍ଧାରିତ ହେବା ସହିତ ସାଧାରଣ ଭବିଷ୍ୟନିଧ ପାଣ୍ଠି ସମ୍ପୃକ୍ତ ବିଧି ବ୍ୟବସ୍ଥାରେ ଆବଶ୍ୟକୀୟ ସଂଯୋଜନ ଦ୍ବାରା ଏକ ଆର୍ଥିକ ବର୍ଷରେ ଜମାରାଶି ( ବକେୟା ଦେୟ ସହ ) ନିର୍ଦ୍ଧାରିତ ସୀମା ଅର୍ଥାତ୍ ପାଞ୍ଚଲକ୍ଷ ଟଙ୍କାରୁ ଅଧିକ ହେବ ନାହିଁ ବୋଲି ଆଗତ କରାଯାଇଥିବା ସଂଶୋଧନ ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଛି ।
୩. କାର୍ଯ୍ୟ କ୍ଷେତ୍ରରେ ସରକାରଙ୍କର ବିଭିନ୍ନ ନୀତି ଓ ଯୋଜନାଗୁଡିକର ବାସ୍ତବ କାର୍ଯ୍ୟକାରିତା ଓ ତତ୍‌ସଂକ୍ରାନ୍ତୀୟ ତଦାରଖ ପାଇଁ ଉପଯୁକ୍ତ ଅଧିକାରୀ ନିୟୋଜିତ କରାଯିବା ଲକ୍ଷ୍ୟରେ ସ୍ଵଳ୍ପ ସଞ୍ଚୟ କ୍ୟାଡର୍‌ର ସୀମିତ ପୁନର୍ଗଠନ କରାଯାଇଛି । ଏହି କ୍ୟାଡର୍ ପୁନର୍ଗଠନ ପକ୍ରିୟା ସମ୍ପାଦନରେ କ୍ୟାଡରରେ ଥିବା ମୋଟ ମଞ୍ଜୁରୀ ପ୍ରାପ୍ତ ପଦବୀ ସଂଖ୍ୟାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଗତ ପ୍ରସ୍ତାବ ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଛି ଜ୍ଝ
୪. ୧୩ , ୪୨୮ ସୁଲଭ ମୂଲ୍ୟ ଦୋକାନ ମାନଙ୍କର ଲାଇସେନ୍ସର ସମୟ ସୀମା ୩୧.୩.୨୦୨୩ ତାରିଖରେ ସମାପ୍ତ ହେଉଅଛି । ନିୟମାନୁଯାୟୀ ଯୋଗ୍ୟ ଡିଲର ମାନଙ୍କର ଲାଇସେନ୍ସ ଗୁଡିକର ପୁନଃ ଏକ ବର୍ଷ ପର୍ଯ୍ୟନ୍ତ ନବୀକରଣ କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି ।
୫. ଶ୍ୟାମଭକ୍ତ ମିଶ୍ର , ପରିଚାଳନା ନିର୍ଦ୍ଦେଶକ , ବୟନିକା ଏବଂ ନିର୍ଦ୍ଦେଶକ , ହସ୍ତଶିଳ୍ପ ( ଅତିରିକ୍ତ ଦାୟିତ୍ୱ )ଙ୍କୁ ଓଡିଶା ଲୋକସେବା ଆୟୋଗ ସଦସ୍ୟ ପଦବୀରେ ଦିଆଯାଇଥିବା ନିଯୁକ୍ତିକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି ।
୬. ଓଡିଶା ମୁଖ୍ୟ ବିଭାଗୀୟ ଦପ୍ତର ନିୟମାବଳୀ , ୨୦୧୯ ରେ ପ୍ରସ୍ତାବିତ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
୭. ଚୁକ୍ତିଭିତିକ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ଅଧୀନରେ ସୃଷ୍ଟି ହୋଇଥିବା ପ୍ରମୁଖ ଶାସନ ସଚିବ ପାହ୍ୟାରେ ଅନୁମୋଦିତ ପଦବୀର ଅବଧି ଉକ୍ତ ପଦବୀରେ ନିଯୁକ୍ତ ଅଧିକାରୀଙ୍କ ୬୦ ବର୍ଷ ବୟସରେ ପଦାର୍ପଣ କରିବା କିମ୍ବା ସେ ଉକ୍ତ ପଦବୀ ତ୍ୟାଗ କରିବା କିମ୍ବା ତାଙ୍କର ନିୟୋଜନ ବାତିଲ ହେବା ମଧ୍ୟରୁ ଯେଉଟି ସର୍ବପ୍ରଥମ ସେ ପର୍ଯ୍ୟନ୍ତ ସୀମିତ ରହିବ ।
୮. ପୂର୍ବରୁ ପ୍ରଣୟନ କରାଯାଇଥିବା ଓଡିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ , ୧୯୮୨ ଏବଂ ଓଡିଶା ଆପାର୍ଟମେଣ୍ଟ ମାଲିକାନା ନିୟମ , ୧୯୯୨ ପରିବର୍ତ୍ତେ ଏକ ନୂତନ ନିୟମ ପ୍ରଣୟନ ପାଇଁ ଆଗତ କରାଯାଇଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

୯. ସରକାର ବାସଗୃହ ପ୍ରକଳ୍ପ ପାଇଁ ଲିଜ ସୂତ୍ରରେ ଆବଣ୍ଟିତ ଜମି ଏବଂ ପିପିପି ମୋଡରେ ବିକଶିତ ପ୍ରକଳ୍ପଗୁଡିକ ପାଇଁ ଓଡିଶା ରାଜ୍ୟ ହାଉସିଂ ବୋର୍ଡ ଏବଂ ଉନ୍ନୟନ କର୍ତ୍ତୃପକ୍ଷ ସପକ୍ଷରେ ଲିଜ୍ ଦିଆଯାଇଥିବା ଜମିର ରୂପାନ୍ତରଣ ପାଇଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଦ୍ବାରା ଗ୍ରହଣ କରାଯାଇଥିବା ନୀତିଗୁଡିକୁ ଗ୍ରହଣ କରି ଫ୍ରିହୋଲ୍ଡ ସ୍ଥିତିକୁ ରୂପାନ୍ତର କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
୧୦. ଆଇଓସିଏଲ୍ ଓଡିଶାର ପାରାଦୀପ ଠାରେ ୫୮ , ୦୪୨ କୋଟି ଟଙ୍କା ବିନିଯୋଗ ଦ୍ଵାରା ଏକ ମେଗା ଡୁଆଲ୍ ଫିଡ୍ କ୍ରାକର ପ୍ରତିଷ୍ଠା ପ୍ରସ୍ତାବ ସହିତ ଏହି ପ୍ରକଳ୍ପ ପାଇଁ ପ୍ରୋତ୍ସାହନ ରାଶିର ସ୍ୱତନ୍ତ୍ର ପ୍ୟାକେଜକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
୧୧. ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗର ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ଓଡିଶା ପଞ୍ଚାୟତି ରାଜ ସେବା ବର୍ଗରେ ପୁନ ବିନ୍ୟାସ ତଥା ପରିପୁଷ୍ଟ କରିବାର ଆବଶ୍ୟକତାକୁ ଅନୁଭବ କରି ସରକାର ୩୧୪ ଟି ଦ୍ବିତୀୟ ଶ୍ରେଣୀର ପଦବୀକୁ ଉଚ୍ଛେଦ କରି ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦବୀରୁ ଯୁଗ୍ମ ନିର୍ଦ୍ଦେଶକ ପଦବୀ ପର୍ଯ୍ୟନ୍ତ ୧୦୩ଟି ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀର ପଦବୀ ସୃଷ୍ଟି କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
୧୨. ଓଡିଶା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିୟମାବଳୀ ୨୦୨୧ ନିୟମ ୨ ( h ) ଅନୁଯାୟୀ ପ୍ରଦାନ କରାଯାଉଥିବା ଭିନ୍ନକ୍ଷମ ପ୍ରମାଣପତ୍ରର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଦ୍ବାରା କାର୍ଯ୍ୟକାରୀ କରାଯାଇଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାରର ଅଧିନିୟମ ୨୦୧୬ ର ବ୍ୟବସ୍ଥା ମୁତାବକ ସଂଶୋଧନ କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
୧୩. ଓଡିଶା ପଞ୍ଚାୟତିରାଜ ଯାନ୍ତ୍ରିକ ସେବା ନିୟମାବଳୀ – ୨୦୧୭ ସଂଶୋଧନ କରାଯାଇ ପଞ୍ଚାୟତି ରାଜ କ୍ୟାଡରର ସହକାରୀ ଯନ୍ତ୍ରୀ ମାନଙ୍କୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଗ୍ରେଡକୁ ପଦୋନ୍ନତି ଦିଆଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି ।
୧୪. ନୟାଗଡର ‘ ‘ ବଲାଙ୍ଗିବନ୍ଧ ପାର୍କ ଓ ପୁଷ୍କରିଣୀ ‘ ନିର୍ମାଣ ନିମନ୍ତେ ନୟାଗଡର ସୁଜତା ମହାପାତ୍ରଙ୍କ ବେସରକାରୀ ଜମିକୁ ସରକାରୀ ଖାତା ଭୁକ୍ତ କରାଯାଇ ସମପରିମାଣର ସରକାରୀ ଜମିକୁ ତାଙ୍କ ସପକ୍ଷରେ ବଦଳର ନିବନ୍ଧକରଣ ନିମନ୍ତେ ସରକାରୀ ଷ୍ଟାମ୍ପ ଦେୟ ଓ ପଞ୍ଜିକରଣ ଫି ଛାଡ କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
୧୫. ଓଡିଶା ସରକାରଙ୍କ ଅଧୀନରେ ବନ୍ଦୋବସ୍ତ ଓ ଚକବନ୍ଦୀ ସଂସ୍ଥାର ୧୦୫ ଜଣ ଠିକା କର୍ମଚାରୀ ଯେଉଁମାନେ ୧୨ ଏପ୍ରିଲ ୧୯୯୩ ପୂର୍ବରୁ କାର୍ଯ୍ୟରେ ନିୟୋଜିତ ହୋଇଥିବେ ଓ ୧୫ ମାର୍ଚ୍ଚ ୨୦୦୫ ପରେ ଅବସରଣ ଗ୍ରହଣ / ମୃତ୍ୟୁ ବରଣ କରିଥିବେ , ସେମାନଙ୍କୁ / ସେମାନଙ୍କ ପରିବାରକୁ ଆଇନ ଅନୁଯାୟୀ ସର୍ବନିମ୍ନ ଅବସରକାଳୀନ ପ୍ରାପ୍ୟ / ପାରିବାରିକ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଂଜୁରୀ ପ୍ରଦାନ କରିଛନ୍ତି ।
୧୬.  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ଅଁଳାଡୋଭା ମୌଜାରେ ରାଇରଙ୍ଗପୁର ଗୋଶାଳା କମିଟିର ଦଖଲରେ ଥିବା ଏ . ୫.୦୦ ଡି . ସରକାରୀ ଜମିକୁ, ରାଇରଙ୍ଗପୁର ଗୋଶାଳା କମିଟିଙ୍କ ସପକ୍ଷରେ ବିନା ପ୍ରିମିୟମ ଓ ବିନା ଆନୁସଂଗିକ ଦେୟରେ ଲିଜ ପ୍ରଦାନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଂଜୁରୀ ପ୍ରଦାନ କରିଛନ୍ତି ।
୧୭. ଓଡିଶା ଭୂ – ସଂସ୍କାର ଆଇନ୍ , ୧୯୬୦ର ଧାରା ୭୩ ( ଗ ) ଅନୁଯାୟୀ ଓଡିଶା ସରକାର ଟାଉନ୍ ପ୍ଲାନିଂ ସ୍କିମଗୁଡିକ ନିମନ୍ତେ ଏହା ଅଧୀନରେ ଆସୁଥିବା ଅଞ୍ଚଳରେ ବିଶେଷତଃ ସହରୀକରଣ ଓ ସହରାଞ୍ଚଳ ବିକାଶ ନିମନ୍ତେ ଚାଷ ଜମିକୁ ଅଣଚାଷ ଉଦ୍ଦେଶ୍ୟରେ ଗୃହ ନିର୍ମାଣ ଓ ନଗରଉନ୍ନୟନ ବିଭାଗର ପ୍ରସ୍ତାବକ୍ରମେ କିସମ ପରିବର୍ତନ ଦେୟ ମୁକ୍ତ କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
୧୮. ଜନଜାତିଙ୍କ ଜୀବିକା ଏବଂ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ପ୍ରସ୍ତାବିତ “ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ‘ ଦ୍ବାରା ପର୍ଯ୍ୟାୟ କ୍ରମେ ୧୪.୫ ଲକ୍ଷ ଜନଜାତି ପରିବାରଙ୍କୁ କୃଷି ଏବଂ ଆନୁସଂଗିକ କୃଷି କାର୍ଯ୍ୟରେ ଅନ୍ତର୍ଭୁକ୍ତ କରାଯିବାର ପ୍ରସ୍ତାବ ସହିତ ପ୍ରଥମ ପର୍ଯ୍ୟାୟରେ ୨୦୨୨ ୨୩ ରୁ ୨୦୨୫ – ୨୬ ଆର୍ଥିକ ବର୍ଷରେ ୫୦୦ କୋଟି ଟଙ୍କା ବିନିଯୋଗ କରି , ମୋଟ ୧.୫ ଲକ୍ଷ ରୁ ଉର୍ଦ୍ଧ୍ବ ଜନଜାତି ହିତାଧିକାରୀଙ୍କୁ ୨୨ଟି ସମନ୍ବିତ ଜନଜାତି ବିକାଶ ସଂସ୍ଥା ମାଧ୍ୟମରେ ସହାୟତା ପ୍ରଦାନ କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।