(ସୁବ୍ରତ ଦାସ) ଓଡ଼ିଶା ବନ୍ଦ ଲାଗି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଯେଉଁଭଳି ଜୋରଦାର ଘୋଷଣା ହୋଇଥିଲା ଓ ଏହାକୁ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ଯେଭଳି ସମର୍ଥନ ଜଣାଇଥିଲେ, ଆଶା କରାଯାଉଥିଲା ବନ୍ଦ ଜନଜୀବନ ଉପରେ ବ୍ୟାପକ ପ୍ରଭାବ ପକାଇବ । ମାତ୍ର ବନ୍ଦର ଆଶାନୂରୁପ ପ୍ରଭାବ ଦେଖିବାକୁ ମିଳିନାହିଁ । ଯଦିଓ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିକ୍ଷୋଭ ଓ ସତ୍ୟାଗ୍ରହ କରାଯାଇଛି କିନ୍ତୁ ତାହା ସାଧାରଣ ଜୀବନଯାତ୍ରାକୁ ଅଚଳ କରିଦେବା ଭଳି ସ୍ଥିତି କେଉଁଠି ବି ସୃଷ୍ଟି କରିନାହିଁ। ତେବେ ବିରୋଧୀ କଂଗ୍ରେସ ଓ ଭାଜପା ପକ୍ଷରୁ ବନ୍ଦକୁ ସମର୍ଥନ କରାଯାଇଥିଲେ ମଧ୍ୟ ଦଳୀୟ କର୍ମୀ ବିକ୍ଷୋଭ କିମ୍ବା ପ୍ରଦର୍ଶନ ଲାଗି ରାସ୍ତାକୁ ଓହ୍ଲାଇବା ପ୍ରାୟତଃ ନଜରକୁ ଆସିନାହିଁ । ମୋଟାମୋଟି ନବନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରା ଆଜି ଆଂଶିକ ସଫଳ ହୋଇଛି ବୋଲି କହିହେବ ।
Kanak News is now on WhatsApp
Join and get latest news updates delivered to you via WhatsApp
ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରାଇସ୍, ପ୍ରେଷ୍ଟିଜ, ପେନସନ୍ ଦାବିରେ ଆଜି ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା । ଜୀବନଯାତ୍ରାକୁ ସ୍ୱାଭାବିକ ରଖିବା ଲାଗି ରାଜ୍ୟ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଆଜି ରାଜ୍ୟର ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ ଦୋକାନ ବଜାର ଖୋଲା ରହିଥିବା ବେଳେ ଯାନବାହାନ ଚଳାଚଳ ବିଶେଷ ପ୍ରଭାବିତ ହୋଇ ନ ଥିଲା।
ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଛି ବୋଲି ଦାବି କରାଯାଇଥିବା ବେଳେ ଏହା ସଂପୂର୍ଣ୍ଣ ବିଫଳ ହୋଇଛି ବୋଲି ଶାସକ ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି । ନବନିର୍ମାଣ କୃଷକ ସଂଗଠନ ଆବାହକ ଅକ୍ଷୟ କୁମାର କହିଛନ୍ତି ଯେ ତାଙ୍କ ସଂଗଠନର ଦାବିକୁ ରାଜ୍ୟର ଜନସାଧାରଣ ସମର୍ଥନ ଜଣାଇଛନ୍ତି। ବନ୍ଦ ସଫଳ ହୋଇଛି ଓ ନୈତିକତାର ବିଜୟ ହୋଇଛି।
ଅନ୍ୟପକ୍ଷରେ ବିଜୁ ଜନତା ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ‘ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ରାଜ୍ୟବାସୀ କିମ୍ବା ଚାଷୀ ସମର୍ଥନ କରିନାହାନ୍ତି। ତେଣୁ ଚାଷୀମାନଙ୍କ ଲାଗି ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକୁ ଜନସାଧାରଣ ଓ କୃଷକ ସମାଜ ଗ୍ରହଣ କରିଛନ୍ତି, ଏହା ବନ୍ଦର ଫଳାଫଳରୁ ଜଣାପଡ଼ିଛି ।’ ଏଥିସହ ଆଜି ବରଗଡ଼ ଜିଲ୍ଲାରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ତାଙ୍କ ଭାଷଣରେ ନାପସନ୍ଦ କରିଥିବା ଦେଖିବାକୁ ମିଳିଛି । ରାଜ୍ୟର ଦୁଇ ଜଣ ପ୍ରମୁଖ ବିରୋଧୀ ଦଳ ଡାକରାକୁ ସମର୍ଥନ ଘୋଷଣା କରିଥିବାରୁ ଏହାର ସଫଳତା ନେଇ ଆଶା ସଞ୍ଚାର ହୋଇଥିଲା। ତେବେ ଏହି ସମର୍ଥନ କେବଳ ଘୋଷଣାରେ ସୀମିତ ରହିଗଲା ବୋଲି ସାଧାରଣରେ ଧାରଣା ସୃଷ୍ଟି ହୋଇଛି।
ପ୍ରଦେଶ କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ କହିଛନ୍ତି, ‘ବନ୍ଦ ସ୍ୱତଃସ୍ଫୂର୍ତ୍ତ ଥିଲା, କେଉଁଠି ଜୋର ଜବରଦସ୍ତ କରାଯାଇ ନାହିଁ। କିଏ ଦୋକାନ ବଜାର ବନ୍ଦ କଲା ବା ନ କଲା, କିଏ ଗାଡ଼ି ମଟର ଚଳାଚଳ ବନ୍ଦ ନ କଲା-ତାହା ବଡ଼ କଥା ନୁହେଁ, କିନ୍ତୁ ଆମର ନୈତିକ ବିଜୟ ହୋଇଛି। ରାଜ୍ୟବାସୀ ଏହି ବନ୍ଦ ଦ୍ୱାରା ଚାଷୀଙ୍କ ସମସ୍ୟା ସଂପର୍କରେ ଅବଗତ ହୋଇଛନ୍ତି।’
ଅନ୍ୟ ପକ୍ଷରେ ଭାରତୀୟ ଜନତା ପାର୍ଟି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ମତରେ ଓଡ଼ିଶା ବନ୍ଦର ପ୍ରଭାବ ବିଭିନ୍ନ ସ୍ଥାନରେ ଉଣା ଅଧିକେ ପଡିଛି। ସେ କହିଛନ୍ତି, ଆମେ କେବଳ ବନ୍ଦ ଡାକରାକୁ ନୈତିକ ସମର୍ଥନ ଦେଇଥିଲୁ। ଆନ୍ଦୋଳନ କରିବା ବା ବନ୍ଦ ଡାକରା ଦେବା କୌଣସି ଦଳ, ସଂଗଠନ ବା ବ୍ୟକ୍ତି ବିଶେଷଙ୍କ ଗଣତାନ୍ତ୍ରିକ ଅଧିକାର। ସେଥିରୁ ସେମାନଙ୍କୁ ନାଲି ଆଖି ଦେଖାଇ ପୋଲିସ ଲଗାଇ ରାସ୍ତାରୁ ଉଠାଇ ନେବା ଅଣଗଣତାନ୍ତ୍ରିକ। ଶାସକ ଦଳର ଏହି ଅଣଗଣତାନ୍ତ୍ରିକ ପଦକ୍ଷେପର ଦୃଢ ପ୍ରତିବାଦ କରିବା ସାଂଗକୁ କୃଷକ ସଂଗଠନର ଦାବିକୁ ସମର୍ଥନ ଯୋଗାଇଛୁ। ଚାଷୀଙ୍କ ସ୍ୱାର୍ଥକୁ ନରେନ୍ଦ୍ର ମୋଦୀ ସରକାର ଅଗ୍ରଧିକାର ଦେଇଛି ବୋଲି ସେ ପ୍ରକାଶ କରିଛନ୍ତି।