ବହିଷ୍କାର ଚେତାବନୀ ସତ୍ୱେ ଠିକା ନର୍ସଙ୍କ ଧାରଣା ଜାରି ! ୨୪ ଘଂଟାର ମହଲତ ପୂରଣ ପରେ ୩୦ରୁ ଅଧିକ ନର୍ସଙ୍କୁ ନୋଟିସ

29

କନକ ବ୍ୟୁରୋ : ଧାରଣାରେ ବସି ରହିଛନ୍ତି ନର୍ସ । ଠିକା ନର୍ସଙ୍କୁ ସରକାର ଦେଇଥିବା ୨୪ ଘଂଟିଆ ମହଲତ ପୂରଣ ହୋଇସାରିଥିବା ବେଳେ ରବିବାର ଚେତାବନୀର ଶେଷଦିନରେ ୩୦ରୁ ଅଧିକ ନର୍ସଙ୍କୁ ସରକାର ନୋଟିସ ଜାରି କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ ନେଇ ନର୍ସ ସଂଘ ଦୁଇଫାଳ ହୋଇଥିଲା । ଗୋଟିଏ ଗୋଷ୍ଠୀ ଆନ୍ଦୋଳନ ପ୍ରତ୍ୟାହାର କରିଥିବାବେଳେ ଆଉ ଏକ ଗୋଷ୍ଠୀ ଆନ୍ଦୋଳନ ଚଲାଇଛନ୍ତି ।

ଏପରିକି ଆନ୍ଦୋଳନ ଚଳାଇଥିବା ଗୋଷ୍ଠୀ ପୁରୁଣା ସଭାପତି ଓ ସମ୍ପାଦକଙ୍କୁ ବିତାଡିତ କରି ନୂଆ ସଭାପତି-ସମ୍ପାଦକ ଚୟନ କରିଛନ୍ତି । ବିଭାଗୀୟ ସଚିବ ଶାଳିନୀ ପଣ୍ଡିତଙ୍କ ବହିଷ୍କାର ଚେତାବନୀକୁ ମଧ୍ୟ ଖାତିର କରିନାହାନ୍ତି ନର୍ସ । ଲିଖିତ ପ୍ରତିଶୃତି ମିଳିବା ପରେ ଧାରଣା ପ୍ରତ୍ୟାହୃତ କରାଯିବ ବୋଲି ଭୁବନେଶ୍ୱର ଲୋୟର ପିଏଜିରେ ଧାରଣାରେ ବସିଥିବା ନର୍ସ କହିଛନ୍ତି । ଅନ୍ୟପଟେ ଏସସିବି ମେଡିକାଲର କାର୍ଯ୍ୟରତ ନର୍ସ କଳା ବ୍ୟାଜ୍ ଲଗାଇ ପ୍ରତିବାଦ କରିବା ପାଇଁ ନିଷ୍ପତି ନେଇଛନ୍ତି ।

ସେପଟେ ଏସସିବିରେ ନର୍ସମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପଂଚମ ଦିନରେ ପହଁଚିଛି । ଦାବି ପୂରଣ ନ ହେବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ରୋକଠୋକ କହିଛି । ଏଭଳି କାର୍ଯ୍ୟ ଏଭଳି କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଯଦି ରୋଗୀ ସେବା ପ୍ରଭାବିତ ହୁଏ ତେବେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ପ୍ରତିବାଦ ରେ ବସିଥିବା ନର୍ସମାନେ କହିଛନ୍ତି ।