ଆମିଷମୟ ପୁରୀ ବଡ଼ଦାଣ୍ଡ ! ମନ୍ଦିରଠାରୁ ମାତ୍ର ୫୦୦ ମିଟର ଦୂରରେ ବିକ୍ରି ହେଉଛି ଅଣ୍ଡା, ମିଳୁଛି ଫାଷ୍ଟଫୁଡ୍

96

କନକ ବ୍ୟୁରୋ: ପୁରୀ ଧାମର ପବିତ୍ରତା ରକ୍ଷା ପ୍ରତି ଧ୍ୟାନ ଦିଆଯାଉନାହିଁ । ମନରେ ଭକ୍ତି ଭାବ ନେଇ ଶ୍ରୀକ୍ଷେତ୍ର ଆସୁଥିବା ଭକ୍ତ ପ୍ରଥମେ ବଡ଼ଦାଣ୍ଡରେ ଆମିଷ ବିକ୍ରି ହେଉଥିବା ଦେଖୁଛନ୍ତି । ମନ୍ଦିରଠାରୁ ମାତ୍ର ୫୦୦ ମିଟର ଦୂରରେ ଏବେ ଆମିଷ ପ୍ରସ୍ତୁତ ଖାଦ୍ୟ ମିଳୁଛି । ଅଣ୍ଡା ବିକ୍ରି ହେଉଛି, ଫାଷ୍ଟଫୁଡ୍ ମିଳୁଛି । ସୂଚନା ମୁତାବକ, ବଡ଼ଦାଣ୍ଡରେ ଆମିଷ ବିକ୍ରି ପ୍ରସ୍ତୁତ ଖାଦ୍ୟ ଉପରେ କଟକଣା ଲାଗୁ କରିବାକୁ ବହୁବାର ଆଲୋଚନା ହୋଇଛି । ମାତ୍ର ତାହା କାର୍ଯ୍ୟକାରୀ ହୋଇପାରୁନାହିଁ ।

ଚମିନ୍, ପାଷ୍ଟଫୁଡ୍ ଦୋକାନରେ ଆମିଷ ଦ୍ରବ୍ୟ ବିକ୍ରି କରାଯାଉଛି । ପୂର୍ବରୁ ମାର୍କେଟ ଛକଠାରୁ ଆମିଷ ବିକ୍ରି ଉପରେ କଟକଣା ଲାଗୁ କରାଯାଇଥିଲା । ସୂଚନା ମୁତାବକ, ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏକାଧିକ ବାର ବୈଠକ କରି ବଡ଼ଦାଣ୍ଡରୁ ଆମିଷ ବିକ୍ରି ନିଷେଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଆଇକନିକ୍ ସିଟି ଯୋଜନାରେ ବଡ଼ଦାଣ୍ଡକୁ ଆମିଷ ମୁକ୍ତ କରିବାକୁ ଯୋଜନା ରହିଛି । ମାତ୍ର ପୁରୀ ପୌର ପ୍ରଶାସନ ଏହାକୁ ଗୁରୁତ୍ଵ ଦେଉନଥିବା ଅଭିଯୋଗ ହୋଇଛି ।