ବେପାରୀ ଚାହିଁଛି ଶୀତ ବାଟକୁ… ରାଜଧାନୀକୁ ଶୀତ ଆସୁନି, ଦୋକାନରେ ଭିଡ ଜମୁନି । ଉଭାନ ଶୀତ ପାଇଁ ଉଦାସରେ ଶୀତବସ୍ତ୍ର ବେପାରୀ

253

କନକ ବ୍ୟୁରୋ: ଶୀତ ଆସୁନି, ବେପାର ହେଉନି । ଉଭାନ ଥିବା ଶୀତ ପାଇଁ ଉଦାସରେ ବସିଛି ବେପାରୀ । ଡିସେମ୍ବର ସରିସରି ଆସିଲାଣି ହେଲେ ଏବେବି ଶୀତର ଦେଖା ଦର୍ଶନ ମିଳୁନି । ଏମିତି ଲାଗୁଛି ୨୦୧୯ରେ ଶୀତ ଯେମିତି ନିରୁଦ୍ଦିଷ୍ଟ ହୋଇଛି । ଯଦିଓ ବଲାଙ୍ଗିର, ଫୁଲବାଣୀ, ଆଉ ଦାରିଙ୍ଗିବାଡି ଭଳି ସ୍ଥାନରେ ଶୀତ ଥିରିଥିରି ଆସିଲାଣି ହେଲେ ରାଜଧାନୀ ଭୁବନେଶ୍ୱରରେ ଶୀତର ନାଁ ଗନ୍ଧ ନାହିଁ । କହିବାକୁ ଗଲେ ଶୀତ ସ୍ମାର୍ଟସିଟି ପାଇଁ ସ୍ୱପ୍ନ ପାଲଟି ଯାଇଛି ।

ସେପଟେ ଶୀତ ନଥିବାରୁ ଏହାର ସିଧାସଳଖ ପ୍ରଭାବ ପଡିଛି ଶୀତବସ୍ତ୍ର ବେପାର ଉପରେ । ସଂଧ୍ୟା କିମ୍ବା ରାତିରେ ଶୀତ ପୋଷାକ ଆବଶ୍ୟକତା ହେଉନଥିବାରୁ ଲୋକେ ସେସବୁ କିଣୁ ନାହାନ୍ତି । ତେଣୁ ଦୋକାନୀମାନେ ଦିନ ତମାମ ହାତବାନ୍ଧି ବସୁଛନ୍ତି । ବେପାର ମାନ୍ଦା ରହୁଥିବାରୁ ଗ୍ରାହକଙ୍କ ବାଟକୁ ଚାହିଁ ରହି ରାତିରେ ଘରକୁ ଫେରୁଛନ୍ତି ।

ଭୁବନେଶ୍ୱର ଏକ ନମ୍ବର ମାର୍କେଟ ଏବଂ ସହିଦ ନଗର ଦୁର୍ଗାମଣ୍ଡପ ପାଖରେ ଖୋଲିଥିବା ଶୀତବସ୍ତ୍ର ଦୋକାନ ଖାଁ ଖାଁ ଦିଶୁଛି । ସକାଳରୁ ରାତି ଯାଏଁ ଦୋକାନ ଖୋଲା ରହୁଥିଲେ ବି କୌଣସି ଦୋକାନରେ ଗହଳି ଲାଗୁନି କି ଭିଡ ଜମୁନି । କାଁ ଭାଁ ଲୋକେ ସ୍ୱେଟର, ସାଲ କିଣୁଥିଲେ ହେଁ କମ୍ବଳ କିମ୍ବା ଜ୍ୟାକେଟ କେହି କିଣୁନାହାନ୍ତି ।

ସେପଟେ ବେପାର ହେଉନଥିବାରୁ ଦୋକାନୀ ବି କିଛି ନୂଆ ଡିଜାଇନ ଆଣି ନାହାନ୍ତି । ଗତ ବର୍ଷ ଗୋଦାମରେ ରହିଥିବା ଜିନିଷକୁ ଏଥର ବାଧ୍ୟ ହୋଇ ଆଣିଛନ୍ତି । ଆଉ ଗ୍ରାହକ ବି ଏଥର କିଛି ନୂଆ ନପାଇ ଦୋକାନରୁ ମୁହଁ ଫେରାଇ ଚାଲି ଯାଉଛନ୍ତି ।