ଆଜି ବି ଅଭୁଲା ଅଭିନନ୍ଦନଙ୍କ ବୀରତ୍ୱର କାହାଣୀ: ଆକାଶ ଉପରେ ପାକ୍ ବିମାନକୁ ତଡି ଶତ୍ରୁ ମାଟିରେ ସାହସ ଦେଖାଇଥିଲେ ବାୟୁସେନାର ସିଂହ

47

କନକ ବ୍ୟ୍ୟୁରୋ: ଭାରତ ମାତାର ଛାତିରେ ତା ସାହସୀ ପୁଅର ନାଁ ଯେମିତି ଅଲିଭା ହୋଇ ରହିଛି ଠିକ ସେମିତି ବର୍ଷ ୨୦୧୯ ଆଖିରେ ମଧ୍ୟ ଅଭିନନ୍ଦନ ଅଭୁଲା ହୋଇ ରହିଛନ୍ତି । ୱିଙ୍କ କମାଣ୍ଡର ଅଭିନନ୍ଦନଙ୍କ ପାକିସ୍ତାନରୁ ପ୍ରତ୍ୟାବର୍ତ୍ତନ ଆଉ ଶତ୍ରୁ ଦେଶରେ ଅସୀମ ସାହସପୂର୍ଣ୍ଣ କିର୍ତ୍ତୀର କାହାଣୀ ୨୦୧୯ କ୍ୟାଲେଣ୍ଡରରେ ସେମିତି ସବୁଦିନ ପାଇଁ ତାଜା ହୋଇ ଝୁଲୁଥିବ । ତେବେ ୨୦୧୯ରେ ଦେଶର ସବୁଠାରୁ ଚର୍ଚ୍ଚିତ ଖବର ପାଲଟିଥିଲେ ପାଇଲଟ ଅଭିନନ୍ଦନ ।

ସୀମାରେ ପାକିସ୍ତାନୀ ଅନୁପ୍ରବେଶକୁ ପଣ୍ଡ କରିଥିଲା ବାୟୁସେନା । ଆଉ ପାକିସ୍ତାନୀ ଯୁଦ୍ଧ ବିମାନକୁ ଗୋଡାଇ ପାକିସ୍ତାନ ସୀମା ଭିତରକୁ ପଶିଯାଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ଦୁର୍ଭାଗ୍ୟରୁ ଅଭିନନ୍ଦନ ଥିବା ମିଗ-୨୧ ବିମାନଟି ପାକିସ୍ତାନ ମାଟିରେ ଖସିପଡିଥିଲା । ଆଉ ପାରାଚ୍ୟୁଟରେ ତଳକୁ ଖସିଥିଲେ ଅଭିନନ୍ଦନ । ପାକିସ୍ତାନ ମାଟିରେ କେମିତି ଥିଲା ଭାରତୀୟ ବୀର ଯବାନଙ୍କ ଦୁଃସାହସ ତାକୁ ପ୍ରକାଶ କରିଥିଲା ପାକିସ୍ତାନର ଏକ ପ୍ରମୁଖ ଗଣମାଧ୍ୟମ ଡନ୍ ନ୍ୟୁଜ । ପ୍ରକାଶିତ ତଥ୍ୟ ଅନୁସାରେ ପାରାଚ୍ୟୁଟରେ ତଳକୁ ଖସିବା ପରେ ଦକ୍ଷିଣ ପିଓକେର ହୋରା ଗାଁର ଏକ ମରୁଭୂମି ଭଳି ଅଂଚଳରେ ପହଂଚିଥିଲେ ଭାରତୀୟ ପାଇଲଟ୍ । ତାଙ୍କୁ ଦେଖି ଘେରିଯାଇଥିଲେ କିଛି ଯୁବକଙ୍କ ସହ ସ୍ଥାନୀୟ ଅଧିବାସୀ ।

ତେବେ ସେମାନଙ୍କୁ ଦେଖି ପାଖରେ ରଖିଥିବା ପିସ୍ତଲ ବାହାର କରି ଏହା କେଉଁ ଜାଗା ବୋଲି ପ୍ରଶ୍ନ କରିଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ହେଲେ ଚାଲାକି କରି ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଅଧିବାସୀ ତାହା ଭାରତ ବୋଲି କହିଥିଲେ । ପରୀକ୍ଷା କରିବାକୁ ହିନ୍ଦୁସ୍ତାନ ଜିନ୍ଦାବାଦ୍ ଭଳି ସ୍ଲୋଗାନ୍ ଦେଇଥିଲେ ଅଭିନନ୍ଦନ । ଏବଂ ପୁଣି ବନ୍ଧୁକ ଦେଖାଇ ପ୍ରଶ୍ନ କରିଥିଲେ ଏହା ଭାରତର କେଉଁ ଜାଗା? ଏହାପରେ ସ୍ଥାନୀୟ ଲୋକେ ତାହା ପାକିସ୍ତାନ ବୋଲି ସ୍ପଷ୍ଟ କରିଥିଲେ । ପାକିସ୍ତାନ ବୋଲି ଜାଣିବା ପରେ ସେହି ସ୍ଥାନୀୟ ଲୋକଙ୍କୁ ଅଭିନନ୍ଦନ କହିଥିଲେ ମୋ ପିଠିରେ ଆଘାତ ଲାଗିଛି । ମୋତେ ଟିକେ ପାଣି ମିଳିବ?

ଡନ ନ୍ୟୁଜ ଲେଖିଥିଲା ଯେ, ପାକିସ୍ତାନ ମାଟିରେ ଅଭିନନ୍ଦନ ହିନ୍ଦୁସ୍ତାନ ଜିନ୍ଦାବାଦ ସ୍ଲୋଗାନ୍ ଦେବା ପରେ ଏହାକୁ ହଜମ କରିପାରିନଥିଲେ ସ୍ଥାନୀୟ ବାସିନ୍ଦା । ତାଙ୍କୁ ଆକ୍ରମଣ କରିବାକୁ ପଥର ଉଠାଇବାରୁ ନିଜ ସର୍ଭିସ ରିଭଲଭରରୁ କେବଳ ଫାଙ୍କା ଗୁଳିଚାଳନା କରିଥିଲେ ଅଭିନନ୍ଦନ ।
ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ସ୍ଥାନୀୟ ଲୋକଙ୍କ ଆଡକୁ ବନ୍ଧୁକ ଦେଖାଇ ପଛୁଆ ପଛୁଆ ପ୍ରାୟ ଅଧ କିଲୋମିଟର ଯାଏଁ ଯାଇଥିଲେ ଅଭିନନ୍ଦନ । ଶତ୍ରୁ ରାଷ୍ଟ୍ରର ମାଟିରେ ଭୟଭୀତ ନହୋଇ ନିଜକୁ ରକ୍ଷା କରିବାକୁ ଉଦ୍ୟମ କରିବା ସହ ସ୍ଥାନୀୟ ଲୋକଙ୍କୁ କେବଳ ଭୟଭୀତ କରିଥିଲେ । ସାଧାରଣ ନାଗରିକଙ୍କୁ କୌଣସି କ୍ଷତି ନପହଂଚାଇବା ଉଦ୍ଦେଶ୍ୟରେ କେବଳ ବାରମ୍ବାର ଫାଙ୍କା ଗୁଳି ଚାଳନା କରିଥିଲେ ଅଭିନନ୍ଦନ । ଆଉ ଶେଷରେ ପାଖରେ ଥିବା ଏକ ଛୋଟିଆ ପୋଖରୀକୁ ଡେଇଁ ପଡିଥିଲେ ଓ ପାଖରେ ଥିବା ନକ୍ସା ଏବଂ କିଛି ଦସ୍ତାବିଜକୁ ଚୋବାଇ ନଷ୍ଟ କରିଦେଇଥିଲେ ।

ଦେଶମାତୃକାର ପ୍ରତି ସମର୍ପିତ ଜଣେ ଭାରତୀୟ ଯୋଦ୍ଧା ପ୍ରଥମ କର୍ତ୍ତବ୍ୟ ଥିଲା ଦେଶର ସୁରକ୍ଷା ପାଇଁ ପାଖରେ ଥିବା ପ୍ରମାଣ ନଷ୍ଟ କରିଦେବାର । କୌଣସି ପ୍ରମାଣ ଯେମିତି ଶତ୍ରୁଙ୍କ ହାତରେ ନଲାଗୁ ସେଥିପାଇଁ ଅତି ସାହସର ସହିତ ଅଭିନନ୍ଦନ ନେଇଥିଲେ ପଦକ୍ଷେପ ।

ତେବେ ଅଭିନନ୍ଦନଙ୍କୁ ଘେରି ରହିଥିବା ସ୍ଥାନୀୟ ଯୁବକମାନେ ତାଙ୍କୁ ବନ୍ଧୁକ ତଳେ ପକାଇଦେବାକୁ ବାରମ୍ବାର କହିଥିଲେ । ଏହାରି ଭିତରେ ଜଣେ ଯୁବକ ତାଙ୍କ ଗୋଡକୁ ଲକ୍ଷ କରି ଗୁଳି କରିଥିଲେ ଓ ସମସ୍ତେ ମିଶି ତାଙ୍କୁ କାବୁ କରିନେଲେ । ଡନ୍ ନ୍ୟୁଜର ସୂଚନା ଅନୁସାରେ ଉତ୍ତେଜିତ ଯୁବକମାନ ତାଙ୍କୁ ଧରି ପକାଇବା ପରେ ପ୍ରବଳ ମାଡ ମାରି ଲହୁଲୁହାଣ କରିପକାଇଥିଲେ । ତଥାପି ପାଖରେ ଥିବା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ପାଣିରେ ଓଦା କରି ନଷ୍ଟ କରିବାକୁ ଚେଷ୍ଟା କରିଥିଲେ । ଏହାରି ଭିତରେ ପହଂଚି ଯାଇଥିଲେ ପାକିସ୍ତାନ ସେନା ଯବାନ । ଭିଡ ଭିତରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ସେନା ଶିବିରକୁ ନେଇ ଆସିଥିଲେ ।

ସବୁଠାରୁ ବଡକଥା ହେଉଛି ପାକିସ୍ତାନ ମାଟିରେ ଥାଇ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ସତ୍ୱେ ଡରିଯାଇ ନଥିଲେ ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । କାହାରିକୁ ଆକ୍ରମଣ ନକରି କେବଳ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । ଯାହା ଜଣେ ସଚ୍ଚା ସୈନିକର ଲକ୍ଷ୍ୟଣ । ଆଉ ଏଇଥି ପାଇଁ ସାରା ଦେଶ ତାଙ୍କୁ ସଲାମ ଜଣାଇଥିଲା ।