ହିରୋଇନ ହାରିଗଲେ, ହିରୋ ବାଜି ମାରିନେଲେ । ୨୦୧୯ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିଥିଲେ ୩ ଓଲିଉଡ ଷ୍ଟାର, କେନ୍ଦ୍ରାପଡା କୁରୁକ୍ଷେତ୍ରରେ କେବଳ ବାଜି ମାରିଥିଲେ ଅନୁଭବ

48

 କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନରେ ବାଜି ମାରିଥିଲା ବିଜେଡି । ଲଗାତାର ୫ମ ଥର ପାଇଁ କ୍ଷମତାକୁ ଫେରିଥିଲେ ବିଜେଡି ସୁପ୍ରିମୋ । ମୋଦି ଲହରକୁ ପଛରେ ପକାଇ ଏକାକୀ ସରକାର ଗଢିବାକୁ ସଂଖ୍ୟା ହାତେଇଥିଲା ବିଜୁ ଜନତା ଦଳ । ବିଜେପି ମଧ୍ୟ ଗତ ନିର୍ବାଚନ ଅପେକ୍ଷା କିଛିଟା ଭଲ ପ୍ରଦର୍ଶନ କରିଥିଲା । କେବଳ ଯେ ନେତା ନିର୍ବାଚନ ଲଢିଥିଲେ ତାହା ନୁହେଁ ବରଂ କିଛି ଅଭିନେତା ମଧ୍ୟ ଚଳିତ ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ଏହି ଲଢେଇରେ କିଏ ବିଜୟ ଟୀକା ପିନ୍ଧିଥିବା ବେଳେ କାହାକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଚଳିତ ନିର୍ବାଚନ ପୂର୍ବରୁ ଅନେକ ଓଲିଉଡ ଅଭିନେତା ଓ ଅଭିନେତ୍ରୀ ବିଭିନ୍ନ ରାଜନୈତିକ ଦଳରେ ଏଣ୍ଟ୍ରିି କରି ରାଜନୈତିକ ମୈଦାନରେ ଭାଗ୍ୟ ପରୀକ୍ଷା କରିବାକୁ ଅଣ୍ଟା ଭିଡିଥିଲେ ମଧ୍ୟ ଟିକେଟ ହାତେଇଥିଲେ ମାତ୍ର ୩ ଜଣ ଓଲିଉଡ କଳାକାର ।

ଏହି ମର୍ମରେ ବିଜେଡିରୁ ଅନୁଭବ ମହାନ୍ତି କେନ୍ଦ୍ରାପଡ଼ା ଲୋକସଭା ଟିକେଟ୍ ପାଇଥିଲା ବେଳେ ବିଜେପିରୁ ଅପରାଜିତା ମହାନ୍ତି ଭୁବନେଶ୍ବର ଉତ୍ତର ଓ ପିଙ୍କି ପ୍ରଧାନ ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । କିନ୍ତୁ କେନ୍ଦ୍ରାପଡ଼ା ଲୋକସଭା ଆସନ ଉପରେ ଯେତେବେଳେ ସମସ୍ତେ ନଜର ରଖିଥିଲେ ସେତେବେଳେ ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ଲକ୍ଷାଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଆଉ କେବଳ ଅଭିନୟ ଜଗତରେ ରାଜନୀତି ମୈଦାନରେ ମଧ୍ୟ ସେ ଜଣେ ସଫଳ ରାଜନେତା ହୋଇପାରିଛନ୍ତି ।

ଅନ୍ୟପଟେ ଓଲିଉଡ୍ ଦୁନିଆର ପ୍ରତିଷ୍ଠିତ ଅଭିନେତ୍ରୀ ଅପରାଜିତା ମହାନ୍ତି ଭୁବନେଶ୍ୱର ଉତ୍ତରରୁ ବିଜେପି ପାଇଁ ପ୍ରତିଦ୍ୱନ୍ଦୀତା କରିଥିଲେ ମଧ୍ୟ ପରାଜୟର ସ୍ୱାଦ ଚାଖିଛନ୍ତି । ସେହିଭଳି ଅନ୍ୟଜଣେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଦିଗପହଣ୍ଡି ବିଧାନସଭା କ୍ଷେତ୍ରରୁ ବିଜେପି ପାଇଁ ପ୍ରତିଦ୍ୱନ୍ଦୀତା କରିଥିଲେ ମଧ୍ୟ ବିଜେଡି ହେଭିୱେଟ୍ ସୂର୍ୟ୍ୟପାତ୍ରଙ୍କ ଠାରୁ ପରାଜିତ ହୋଇଛନ୍ତି । ତେବେ ଉଭୟ ନିଜର ଅଭିନୟୟ ଜରିଆରେ ଲୋକଙ୍କ ହୃଦୟ ଜିଣିଥିଲେ ମଧ୍ୟ ରାଜନୀତି ରଙ୍ଗମଞ୍ଚରେ ଜନତା ଜନାର୍ଦ୍ଦନଙ୍କ ହୃଦୟ ଜିଣିପାରି ନାହାନ୍ତି ।