ଷ୍ଟକ୍ ବଜାରରେ ସେୟାରର ମୂଲ୍ୟ ଛୁଇଁଲା ୫୦ ହଜାର, ପଢନ୍ତୁ କେଉଁ କମ୍ପାନୀର ସେୟାର ପିଛା ମୂଲ୍ୟ ବୃଦ୍ଧି …

113

କନକ ବ୍ୟୁରୋ: ଷ୍ଟକ୍ ବଜାରରେ ଦରଦାମ ବୃଦ୍ଧିର ପ୍ରଭାବ ଅନେକ ସମୟରେ ଦେଖିବାକୁ ମିଳୁଛି । ତେବେ ଏହାରି ମଧ୍ୟରେ ବିଭିନ୍ନ କମ୍ପାନୀରେ ସେୟାର ମୂଲ୍ୟ ବୃଦ୍ଧି ପାଇଛି । ଶୁକ୍ରବାର ପେଜ୍ ଇଣ୍ଡଷ୍ଟ୍ରିର ସେୟାରର ମୂଲ୍ୟ ବୃଦ୍ଧି ପାଇଛି । ଗୋଟିଏ ସେୟାରର ମୂଲ୍ୟ ୫୦ ହଜାର ଟପିଛି । ଶୁକ୍ରବାର ଷ୍ଟକ୍ ବଜାର ଖୋଲିବା ପରେ କମ୍ପାନୀର ସେୟାରରେ ବୃଦ୍ଧି ହୋଇଛି । ଗତ ଏପ୍ରିଲ–ଜୁନ ମାସ ତୁଳନାରେ କମ୍ପାନୀର ଆୟରେ ବୃଦ୍ଧି ହୋଇଥିଲା ଯାହା ଫଳରେ ଷ୍ଟକ୍ ମାର୍କେଟ କମ୍ପାନୀର ସେୟାରର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଦିନ ୧.୨୫ ମିନିଟ ସମୟରେ କମ୍ପାନୀର ସେୟାର ମୂଲ୍ୟ ୪୯.୧୦୩ରେ କାରବାର କରୁଥିଲା, କିନ୍ତୁ ଏହା ପରେ ୯୧.୦୦ ବା ୦.୧୯ ପ୍ରତିଶତ ବୃଦ୍ଧି ପରେ ୫୦ ହଜାର ଛୁଇଁଛି ।

କମ୍ପାନୀର ଆୟ ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାଟରରେ ଅନେକ ସଫଳତା ପାଇଛି । ଏହି ସମୟ ଭିତରେ କମ୍ପାନୀର ଲାଭ ୨୦୭.୦୩ କୋଟି ଟଙ୍କା ହୋଇଛି । ଗତ ବର୍ଷ ଏହି ସମାନ ସମୟରେ ଲାଭ ମାତ୍ର ୧୦.୯୪ କୋଟି ଥିବା ବେଳେ ଚଳିତ ବର୍ଷ ରେକର୍ଡ ଲାଭ ହୋଇଛି । କମ୍ପାନୀର ପରିଚାଳନାରୁ ମୋଟ ୧ ହଜାର ୩୪୧.୨୬ କୋଟି ଆୟ ହୋଇଛି ।

କମ୍ପାନୀର ସେଲସ ଏବଂ ଫାଇନାନସିଆଲ ପ୍ଲାନିଂ ଯୋଗୁ କମ୍ପାନୀ ଏହି ସଫଳତା ହାସଲ କରିପାରିଛି । ପେଜ ଇଣ୍ଡଷ୍ଟ୍ରିର ଏମଡି ଭିଏସ ଗଣେଶ କହିଛନ୍ତି ଆମେ ଆମ ପରିଶ୍ରମର ଫଳ ପାଇଛୁ । ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାଟରରେ କମ୍ପାନୀର ଖର୍ଚ୍ଚ ୫୦୧.୫୩ କୋଟି ରହିଥିଲା । କମ୍ପାନୀର ଇବିଆଇଟିଡି ଜୁନ ମାସରେ ୩୦୧.୧୦ କୋଟି ଟଙ୍କା ଥିବା ବେଳେ ଗତ ବର୍ଷ ତୁଳନାରେ ଏହା ୬୯୭.୪ ପ୍ରତିଶତ ଅଧିକ ରହିଛି ।