ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ କଟକରୁ ଯୁବକଙ୍କୁ ଉଠାଇନେଲା ଏନଆଇଏ ! ମାରାଥନ ଜେରା ପରେ ଗିରଫ

21

କନକ ବ୍ୟୁରୋ : ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ କଟକରୁ ଜଣେ ଯୁବକକୁ ଉଠାଇନେଲା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) । ସନ୍ଦିଗ୍ଧ ଯୁବକ ଅଖତାର ହୁସେନ ଖାନକୁ ପ୍ରାୟ ସାଢେ ୪ ଘଂଟାର ଜେରା ପରେ ଗିରଫ କରିଛି ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି । ବାରମ୍ବାର ସାଉଦି ଆରବ ଯାଉଥିବାରୁ ଏନଆଇଏର ସ୍କାନରରେ ଥିଲା ଅଖତାର । ଦେଶଦ୍ରୋହ ମାମଲାରେ ତାକୁ ମାରାଥନ ଜେରା କରିଥିଲା ଏନଆଇଏ । କଟକ କିଶନନଗରସ୍ଥିତ ସାମନ୍ତରାପୁରରେ ରହୁଥିଲା ଅଖତାର । ତେବେ ସାଲେପୁର ନେମାଳର ସେ ସ୍ଥାୟୀ ବାସିନ୍ଦା । ଆତଙ୍କବାଦୀ ଲିଙ୍କ ସନ୍ଦେହରେ ଅଖତାରକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୁଲିସ ଡିଜି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ।

ସୂଚନାଯୋଗ୍ୟ ସମାନ ଅଭିଯୋଗରେ କଟକରୁ ଅବଦୁର ରେହମାନକୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ । ୨୦୧୫ ଡିସେମ୍ବର ୧୬ ତାରିଖରେ ହଠାତ ଦିଲ୍ଲୀ ପୁଲିସର ଏକ ଟିମ ପହଂଚି ପଶ୍ଚିମକଚ୍ଛରେ ଥିବା ତା ଘରୁ ଉଠାଇ ନେଇଥିଲା । ଅଲକାଏଦା ଇନ ଇଣ୍ଡିଆନ ସବକଂଟିନେଟ- ଏକ୍ୟୁଆଇଏସର ଜଣେ ସକ୍ରିୟ ସଦସ୍ୟ ଅବଦୁର ରେହମାନ ଆତଙ୍କୀ ସଂଗଠନରେ ଯୁବକମାନଙ୍କୁ ନିୟୋଜିତ କରୁଥିଲା । ଗ୍ଲାସଗୋ ଅନ୍ତର୍ଜାତୀୟ ବିମାନବନ୍ଦର ବିସ୍ଫୋରଣ ଘଟଣାରେ ତାର ସଂପୃକ୍ତି ନେଇ ପୁଲିସକୁ ସୁରାଗ ମିଳିଥିଲା । ଟାଙ୍ଗି ଅଂଚଳରେ ଏକ ମଦ୍ରାସା ଖୋଲି ଛୋଟଛୋଟ ପିଲାଙ୍କୁ ଜିହାଦ ପାଇଁ ପ୍ରବର୍ତ୍ତାଉଥିଲା । ତା ବିରୋଧେରେ ଦେଶଦ୍ରୋହ, ବେଆଇନ ଅସ୍ତ୍ରଶସ୍ତ ରଖିବା ସହ ବେଆଇନ କାର୍ଯ୍ୟକଳାପରେ ସଂପୃକ୍ତି ଆଦି ଅଭିଯୋଗ ରହିଛି ।

୨୦୧୬ ଫେବ୍ରୁଆରୀ ୧୬ ତାରିଖ ରାତିରେ ରାଉରକେଲାରୁ ୪ଜଣ ସିମି ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା । ତେଲେଙ୍ଗାନା ପୁଲିସ ସହାୟତାରେ ସେମାନଙ୍କୁ ଗରିଫ କରିଥିଲା ସ୍ପେଶାଲ ଅପରେସନ ଗ୍ରୁପ- ଏସଓଜିର ସ୍ପେଶାଲ ଟାକ୍ଟିକାଲ ଫୋର୍ସ- ଏସଟିଏଫ । ନାଲାରୋଡସ୍ଥିତ କ୍ୟୁରେସି ମହଲାରେ ୪ସିମି ଆତଙ୍କବାଦୀ ପରିଚୟ ଗୋପନ ରଖି ଦୀର୍ଘଦିନ ହେଲା ଲୁଚି ରହିଥିଲେ । ଗୁଇନ୍ଦା ସୂଚନା ପାଇ ସେମାନଙ୍କୁ ଧରିବା ଲାଗି ଅପରେସନ ଆରମ୍ଭ ହୋଇଥିଲା । ୫ ଘଂଟାର ଛକାପଞ୍ଝା ପରେ ସମସ୍ତଙ୍କୁ କାବୁ କରିଥିଲା ପୁଲିସ । ସେମାନଙ୍କ ନିକଟରୁ ୫ଟି ଦେଶୀ ବନ୍ଧୁକ ଓ ବିପୁଳ ପରିମାଣରେ ବିସ୍ଫୋରକ ଜବତ ହୋଇଥିଲା । ପରେ ଭୋପାଳର ଏକ ଜେଲରୁ ଚମ୍ପଟ ମାରିବାବେଳେ ପୁଲିସ ଗୁଳିରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ତେବେ ବାରମ୍ବାର ଓଡିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପୁଲିସ ଓ ସରକାରଙ୍କ ଚିନ୍ତା ବଢାଇ ଦେଇଛି ।