ପିଲାଙ୍କ ରୋଗ ନେଇ ଆସୁଛି ନୂଆ ନୂଆ ତଥ୍ୟ: ୫ ବର୍ଷରୁ କମ୍ ବୟସର ପିଲାଙ୍କୁ ହେଉଥିଲା ହାତ, ପାଦ, ମୁହଁ ରୋଗ ବା ଏଚଏଫଏମଡି

191

କନକ ବ୍ୟୁରୋ: ଓଡିଶାର ବିଭିନ୍ନ ସ୍ଥାନରେ ଛୋଟ ପିଲାଙ୍କୁ ଏଭଳି ଏକ ଚର୍ମ ରୋଗ ଆକ୍ରାନ୍ତ କରୁଛି । ଏହା ଏକ ସଂକ୍ରାମକ ରୋଗ ବୋଲି କୁହାଯାଉଛି । କେହି କେହି ଏହାକୁ ଟମାଟୋ ଫ୍ଲୁ ବୋଲି କହୁଥିବାବେଳେ ଓଡିଶାରେ ଡାକ୍ତର କହୁଛନ୍ତି ଏହା ହ୍ୟାଣ୍ଡ ଫୁଟ୍ ମାଉଥ୍ ଡିଜିଜ୍ । ସାଧାରଣତଃ ହାତ, ପାଦ ଓ ମୁହଁରେ ଏଭଳି ରୋଗର ଲକ୍ଷଣ ଦେଖାଯାଉଥିବାରୁ ଏଭଳି ନାମକରଣ କରାଯାଇଛି । କିନ୍ତୁ ବିଶେଷଜ୍ଞମାନେ କହୁଛନ୍ତି, ପୂର୍ବରୁ ଏଚଏଫଏମସିରେ ୫ବର୍ଷର କମ୍ ବୟସର ପିଲା ସଂକ୍ରମିତ କରୁଥିଲା । କିନ୍ତୁ ଏବେ ଏହି ଭୂତାଣୁ ଲକ୍ଷଣ ବଦଳାଇବା ସହ ୧୪ବର୍ଷ ଯାଏ ପିଲାଙ୍କୁ ବି ଆକ୍ରାନ୍ତ କରୁଛି ।

ରାଜ୍ୟର ବିଭିନ୍ନ ସ୍ଥାନରୁ ଏଚଏଫଏମଡି ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ନିକଟରେ ଭୁବନେଶ୍ୱର ହଂସପାଳ ଅଂଚଳରୁ ଜଣେ ୧୨ବର୍ଷ ପିଲା ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଏ ହେଉଛନ୍ତି ସେହି ପିଲା । ଯାହାଙ୍କୁ ଆମେ ସମ୍ପୂର୍ଣ୍ଣ ଭାବେ ଦେଖାଇ ପାରୁନାହୁଁ । କିନ୍ତୁ ତାଙ୍କ ହାତ ଗୋଡକୁ ନଜର ପକାନ୍ତୁ । ନାଲି ନାଲି ହୋଇ ଫଳି ଯାଇଛି ତାଙ୍କ ହାତ ଆଉ ଗୋଡ । ଦେହରେ ଜ୍ୱର ବି ଥିବା ଜଣାପଡିଛି । ସବୁଠାରୁ ବଡ କଥା ହେଉଛି ଏହି ପିଲା ଜଣଙ୍କ ୨୦୧୪ରେ ସମାନ ରୋଗରେ ଆକ୍ରାନ୍ତ ହୋଇଥିଲେ । ଏବେ ୮ବର୍ଷ ପରେ ପୁଣି ଥରେ ସେହି ରୋଗରେ ଆକ୍ରାନ୍ତ ହୋଇଛନ୍ତି ।

ଦେଶର ବିଭିନ୍ନ ସ୍ଥାନରେ ହ୍ୟାଣ୍ଡ ଫୁଟ୍ ଆଣ୍ଡ ମାଉଥ୍ ଡିଜିଜ୍୍ ବା ଏଚଏଫଏମଡି ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ବଢ଼ିବା ସହ ଲକ୍ଷଣରେ କେତେକ ପରିବର୍ତନ ଦେଖାଯାଉଛି । ଏହି ପରିବର୍ତିତ ଲକ୍ଷଣ , କାରଣ ଓ ଚିକିତ୍ସା ସମ୍ପର୍କରେ ଜାଣିବା ପାଇଁ, ନମୁନା ସଂଗ୍ରହ କରାଯାଇ, ଭୁବନେଶ୍ୱର ସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର ବିଏସଏଲ-୩ ଲାବରୋଟୋରୀରେ ଅଧିକ ଅନୁଧ୍ୟାନ କରାଯାଉଛି ।

ଏହି ରୋଗରେ କେସଲୋଡ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଜିଲ୍ଲାରେ ଏହି ରୋଗୀ ଚିହ୍ନଟ ହେଉଛନ୍ତି । ତେଣୁ ଅଧିକ ଅନୁଧ୍ୟାନ ପାଇଁ ନମୁନା ସଂଗ୍ରହ କରି ଆରଏମଆରସିକୁ ପଠାଇବା ପାଇଁ ଜିଲ୍ଲା ଚିକିତ୍ସାଳୟଗୁଡିକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।