ବିଜେଡିରେ ସାମିଲ ହେଲେ ଓଲିଉଡ ଅଭିନେତ୍ରୀ ଜିନା ସାମଲ । ଆଜି ସକାଳେ ବିଜେପିରୁ ଦେଇଥିଲେ ଇସ୍ତଫା ।

1,154

କନକ ବ୍ୟୁରୋ : ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି ଓଲିଉଡ ଅଭିନେତ୍ରୀ ତଥା ନାରୀନେତ୍ରୀ ଜିନା ସାମଲ । ଗତ ବର୍ଷ ଜିନା ସାମଲ ଓ ତାଙ୍କ ସ୍ୱାମୀ ବିଜେପିରେ ମିଶିଥିଲେ । ଦଳ ପାଇଁ ବର୍ଷାଧିକ କାମ କରିବା ସହ ଟିକେଟ ପାଇଁ ଆଶାୟୀ ଥିଲେ ଜିନା । କିନ୍ତୁ ଗତକାଲି ଭୋଗରାଇ ଆସନରୁ ଆଶିଷ ପାତ୍ରଙ୍କୁ ପ୍ରାର୍ଥୀ କରିବା ପରେ ଜିନାଙ୍କ ଟିକେଟ ଆଶା ମଉଳିଥିଲା । ଆଜି ଦଳରୁ ଇସ୍ତଫା ଦେବା ସହ ଅଣଦେଖା କରାଯାଉଥିବା କହିଥିଲେ ଜିନା ।

ଅନ୍ୟପଟେ ବିଜେପି ଛାଡିବା ପରେ ଆଜି ବିଜେଡିରେ ସାମିଲ ହୋଇଛନ୍ତି ଜିନା । ଶଙ୍ଖଭବନରେ ପହଞ୍ଚି ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଜିନା । ବିଜେପିରେ ଯୋଗ ଦେବା ପୂର୍ବରୁ ଜିନା ବିଜେଡି ପାଇଁ ଅନେକ ସମୟରେ ପ୍ରଚାର ମଧ୍ୟ କରିଛନ୍ତି । ଏବେ ପୁଣିଥରେ ବିଜେଡିକୁ ଫେରି ଆସିଥିବାରୁ ଗର୍ବିତ ବୋଲି କହିଛନ୍ତି ଜିନା । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଜିନା ଦଳରେ ସାମିଲ ହୋଇଥିବା ବେଳେ କହିଛନ୍ତି ବିଜେଡିରେ ହିଁ ନାରୀଙ୍କୁ ସମ୍ମାନ ମିଳୁଛି ।