ଶୁଖି ଗଲାଣି ଓଡିଶାର ଜୀବନ ରେଖା । ଉପର ମୁଣ୍ଡରେ ଛତିଶଗଡର ବ୍ୟାରେଜ ଯୋଗୁଁ ଗୋଟିଏ ଧାରରେ ବହୁଛି ମହାନଦୀ ।

203

କନକ ବ୍ୟୁରୋ: ଶୁଖି ଯାଉଛି ଓଡ଼ିଶାର ଜୀବନ ରେଖା । ଶୀତ ଦିନ ଆରମ୍ଭ ରୁ ଶୁଖିଲା ପଡିଛି ମହାନଦୀ । ପାନୀୟ ଜଳକୁ ନେଇ ଚିନ୍ତାରେ ବୌଦ୍ଧବାସୀ । ସ୍ଥିତି ଏଭଳି ହୋଇଛି ଯେ ବିସ୍ତୀର୍ଣ୍ଣ ବାଲୁକା ମରୁଭୂମି ପାଲଟିଛି ମହାନଦୀ ପଠା। ଏବେଠୁ ଚିନ୍ତା ନ କଲେ ଆଗକୁ ଉତ୍କଟ ରୂପନେବ ପିଇବା ପାଣି ।

ଛତିଶଗଡର ଚାଲାକି ଯୋଗୁଁ ଶୁଖି ଯାଉଛି ମହାନଦୀ । ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଠାରୁ ଜିଲ୍ଲାର ସୀମାନ୍ତ ମାରଡା ପର୍ୟ୍ୟନ୍ତ ପ୍ରାୟ ୧୧୦ କିମିର ମହାନଦୀ ପ୍ରବାହିତ ହେଉଛି। ବିଗତ ବନ୍ୟାରେ କୁଳ ଲଙ୍ଘୁଥିବା ମହାନଦୀ ଏବେ ଗୋଟିଏ ଧାରରେ ବହୁଛି । ଆଗରୁ ଅକାତକାତ ପାଣି ଥିବା ମହାନଦୀରେ ଏବେ ଆଣ୍ଠୁଏ ପାଣି । ଆଉ ଏ ସବୁ ହେଉଛି ସେଇ ଛତିଶଗଡ ପାଇଁ । ମହାନଦୀର ଉପମୁଣ୍ଡରେ ବ୍ୟାରେଜ କରି ଛତିଶଗଡ ପାଣି ଅଟକାଇ ଦେବାରୁ ବୌଦ୍ଧରେ ଶୁଖିଲା ପଡିଛି ମହାନଦୀ । ଆଉ ଶୀତ ସରୁ ସରୁ ମହାନଦୀ ଶୁଖି ଯିବାରୁ ଖରା ଦିନେ ଜଳ ସଂକଟକୁ ନେଇ ଚିନ୍ତାରେ ବୌଦ୍ଧ ବାସିନ୍ଦା । ଏବଂ ପେଟପାଟଣାକୁ ନେଇ ଆଶା ଆଶଙ୍କାରେ ଅଛନ୍ତି ମହାନଦୀରୁ ମାଛ ମାରି ପେଟ ପୋଶୁଥିବା ମତ୍ସ୍ୟଜୀବୀ ।

ବିସ୍ତିର୍ଣ୍ଣ ବାଲୁକା ମରୁଭୁମୀ ପାଲଟିଛି ମହାନଦୀ ପଠା । ଯେଉଁ ବାଲି ଦିନେ ମହାନଦୀ ପାଣିରେ ନିଜକୁ ଢାଙ୍କି ରଖିଥିଲା ସେ ଆଜି ପାଣିର ସ୍ପର୍ଶ ଖୋଜୁଛି । ଶୁଖିଲା ମହାନଦୀ ଯୋଗୁଁ ଜଳ ଯୋଗାଣ ପ୍ରକଳ୍ପକୁ ବି ପାଣି ଧାର କମି ଯାଉଛି । ଆଉ ଏହେଉଛି ବୌଦ୍ଧ ସହରାଂଚଳକୁ ଜଳ ଯୋଗାଇଥିବା ପ୍ରକଳ୍ପର ଦୃଶ୍ୟ । ମହାନଦୀରେ ପାଣି ନଥିବାରୁ ଏଭଳି ପାଣିକୁ ସହରବାସୀଙ୍କୁ ଯୋଗାଇ ଦେଉଛି ଜଳ ଯୋଗାଣ ବିଭାଗ । ସେପଟେ ଜିଲ୍ଲାପାଳ କହିଛନ୍ତି, ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପରବର୍ତି ପଦକ୍ଷେପ ନିଆଯିବ ।

ମହାନଦୀ ଶୁଖି ଯାଉଥିବା ବେଳେ ବୌଦ୍ଧ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ, ସହରାଞ୍ଚଳ ବାସୀ ପାନୀୟ ଜଳର ସମସ୍ୟା ଭୋଗିବା ପୂର୍ବରୁ ଏହା ସମାଧାନ କରିବା ଜରୁରୀ ହୋଇପଡିଛି।