ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ବଡ ଝଟକା । ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ବାଦ୍ ପଡିଲେ ନୀରଜ ଚୋପ୍ରା, ଜାଭେଲିନରେ ପଦକ ଆଶା ମଉଳିଲା ।

225

କନକ ବ୍ୟୁରୋ : ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ଆରମ୍ଭ ପୂର୍ବରୁ ଭାରତକୁ ବଡ ଝଟକା । ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା କମନୱେଲଥ ଗେମ୍ସରୁ ବାଦ୍ ପଡିଛନ୍ତି । ଦିନ କେଇଟା ପୂର୍ବରୁ ୱାର୍ଲ୍ଡ ଆଥେଲେଟିକ୍ସରେ ରୌପ୍ୟ ପଦକ ଜିତିଥିବା ନୀରଜ ଆହତ କାରଣରୁ ରାଜ୍ୟଗୋଷ୍ଠୀ କ୍ରୀଡାରୁ ନିଜକୁ ବାଦ୍ ଦେଇଛନ୍ତି ।

ଭାରତ ଲଗାତାର ରାଜ୍ୟଗୋଷ୍ଠୀ କ୍ରୀଡାରେ ଭଲ ପ୍ରଦର୍ଶନ କରି ଆସିଛି । ତେଣୁ ଏଥର ନୀରଜଙ୍କ ଉପରେ ସମସ୍ତଙ୍କର ନଜର ଥିଲା । ଜାଭେଲିନ୍ ଥ୍ରୋରେ ନୀରଜ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ସମସ୍ତଙ୍କର ଆଶା ଥିଲା । କିନ୍ତୁ ଆହତ କାରଣରୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେଉନଥିବା ନେଇ ସ୍ପଷ୍ଟ କରିଛନ୍ତି ନୀରଜ ।

୨୪ ବର୍ଷୀୟ ନୀରଜ ୨୦୧୯ରେ ଅପରେସନ କରିବା ପରେ ମୈଦାନକୁ ଫେରିଥିଲେ । ଆଉ ଏହାପରେ ପଛକୁ ଫେରି ଚାହିଁନଥିଲେ ନୀରଜ । ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଭାରତକୁ ଗର୍ବିତ କରିଥିଲେ । ଆଉ ଦ୍ୱିତୀୟ ଆଥଲେଟ ଭାବେ ନୀରଜ ବ୍ୟକ୍ତିଗତ ଭାବେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଥିଲେ । ତେଣୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ନୀରଜ ଜବରଦସ୍ତ ପ୍ରଦର୍ଶନ ସହ ପଦକ ଭେଟି ଦେବେ ବୋଲି ସମସ୍ତଙ୍କର ଆଶା ରହିଥିଲା । କିନ୍ତୁ ନୀରଜ ଆହତ ହେବା ଏହି ଆଶାକୁ ଧୂଳିିସାତ୍ କରିଛି ।