କନକ ବ୍ୟୁରୋ: କନ୍ଧମାଳ ଜିଲା ବାଲିଗୁଡା ଥାନା ବାରଖମା ଜଂଗଲରେ ମାଓବାଦୀ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଏସଓଜି ଯବାନମାନେ କମ୍ବିଂ କରୁଥିବାବେଳେ ମାଓବାଦୀମାନେ ଯବାନଙ୍କ ଉପରକୁ ଆକ୍ରମଣ କରିଥିଲେ । ତେବେ ଜବାବ ଦେବାକୁ ଯାଇ ଯବାନମାନେ ଗୁଳି ଚଳାଇଥିଲେ । ଏଥିରେ ଜଣେ ମହିଳା କ୍ୟାଡର ମାଓବାଦୀର ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ କିଛି ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ଜବତ କରାଯାଇଛି । ୨ ଜଣ ଯବାନ ମଧ୍ୟ ଏହି ଗୁଳି ବିନିମୟ ବେଳେ ଆହତ ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତ ଡାକା ଘାଟି ଜଙ୍ଗଲରେ ଏକ ମାଓ ଶିବିର ଉପରେ ରବିବାର ଅପରାହ୍ନରେ ପୁଲିସ ଚଢ଼ଉ କରିଥିଲା । ଏହା ପରେ ମାଓବାଦୀ-ପୁଲିସ ମଧ୍ୟରେ ଦୀର୍ଘ ୩ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ମହିଳା ମାଓ କ୍ୟାଡରଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଏସଓଜି ଯବାନ ବୋନଜୁନ୍ ତମାଙ୍ଗ ଓ ବିଦ୍ୟାଧର ସେଠ୍ ମଧ୍ୟ ଆହତ ହୋଇଥିଲେ । ତେବେ ବୋନଜୁନଙ୍କ ଡାହାଣ ଗୋଡ଼ ଏବଂ ବିଦ୍ୟାଧରଙ୍କ କାନ୍ଧରେ ଗୁଳି ବାଜିଛି ।
ଅପରପକ୍ଷେ, ମୃତ ମହିଳା ମାଓ କ୍ୟାଡରଙ୍କ ପରିଚୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ସେ କଳାହାଣ୍ଡି- କନ୍ଧମାଳ-ବୌଦ୍ଧ-ନୟାଗଡ଼ (କେକେବିଏନ୍) ଡିଭିଜନର ବୋଲି ସନ୍ଦେହ କରାଯାଉଛି । ଖବର ମିଳିବା ସୁଦ୍ଧା ଘଟଣାସ୍ଥଳରେ କମ୍ବିଂ ଜାରି ରହିଥିବା ବେଳେ କନ୍ଧମାଳ ଏସପି ମିତ୍ରଭାନୁ ମହାପାତ୍ର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥି ସହିତ ଘଟଣାସ୍ଥଳରୁ ଏକ ୩୦୩ ବନ୍ଧୁକ ସମେତ ବିପୁଳ ମାରଣାସ୍ତ୍ର ଓ ବିସ୍ଫୋରକ ମିଳିଥିବା କୁହାଯାଇଛି ।