ନୀତି ଆୟୋଗ ବୈଠକରେ ନବୀନଙ୍କ ଦାବି: ‘ଓଡି଼ଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ୍ ମାନ୍ୟତା ଦିଅ’

87

କନକ ବ୍ୟୁରୋ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ସପ୍ତମ ବୈଠକ । କରୋନା ଯୋଗୁଁ ୨ ବର୍ଷ ବନ୍ଦ ରହିବା ପରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଛନ୍ତି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଭବନର କଲଚରାଲ ସେଂଟରରେ ଆୟୋଜିତ ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଏଥିରେ ଯୋଗଦେଇ ପୁଣିଥରେ ଓଡିଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ୍ ମାନ୍ୟତା ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଦାବି
– ରେଳ, ଟେଲିକମ୍, ବ୍ୟାଙ୍କ ସେବା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଓଡିଶାକୁ ସ୍ୱତନ୍ତ୍ର ଫୋକସ୍ ଦେବାପାଇଁ ଦାବି
– ପ୍ରତିବର୍ଷ ଓଡିଶା ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଥିବାରୁ, ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦିଆଯାଉ
– କିଛି ପ୍ରକୃତ ଚାଷୀ ବାଦ୍ ପଡି ଯାଇଥିବାରୁ ଫସଲ ବୀମା ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ କଲେ ନବୀନ
– ଅଧିକାଂଶ ଆଦିବାସୀ ଓ କେବିକେ ଜିଲ୍ଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡୁଥିବା ପ୍ରସଙ୍ଗ ଉଠାଇଲେ ନବୀନ
– ଏଏସଆଇ ଏବଂ ଆମ୍ସାର ଆଇନ ବଦଳାଯାଉ ବୋଲି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସ୍ୱତନ୍ତ୍ର ରାଜ୍ୟପାହ୍ୟା ବ୍ୟବସ୍ଥା ଉଚ୍ଛେଦ ହୋଇଯିବା ପରେ ଲଗାତର ସ୍ୱତନ୍ତ୍ର ଫୋକସ ଷ୍ଟେଟ୍ ମାନ୍ୟତା ଦାବି କରିଆସୁଛି ଓଡିଶା । ୨ ଦଶନ୍ଧି ଧରି କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ଏହି ଦାବି କରିଆସୁଛି । ହେଲେ କେନ୍ଦ୍ର ଏହାକୁ ଅଣଦେଖା କରି ଆସୁଛି ।

ନୀତି ଆୟୋଗର ଏହି ବୈଠକରୁ ଦୂରେଇ ରହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ରାଜ୍ୟଗୁଡିକୁ ଅବହେଳା କରାଯାଉଥିବା ଅଭିଯୋଗ କରି ବୈଠକ ଯୋଗଦେବେ ନାହିଁ ବୋଲି ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେସିଆର । ହେଲେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନୀତି ଆୟୋଗ ବୈଠକରେ ଯୋଗ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶିକ୍ଷକ ଦୁର୍ନୀତି ମାମଲାରେ ଦଳର ତିନି ନମ୍ବର କୁହାଯାଉଥିବା ପାର୍ଥ ଚାଟାର୍ଜୀଙ୍କୁ ଇଡି ହେପାଜତକୁ ନେବା ପରେ ମମତାଙ୍କ ମନରେ ଛନକା ପଶିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ବୈଠକରେ ତୈଳବୀଜ, ଡାଲି, କୃଷିଜାତ ଦ୍ରବ୍ୟ ସହ ନୂଆ ଶିକ୍ଷା ଆଇନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି ।