କେବିସି ସେଟରେ ମୁଖ୍ୟମନ୍ତ୍ରୀ । ଅମିତାଭଙ୍କ ସହ କ’ଣ କଥା ହେଲେ ନବୀନ, ଯେଉଁଥିପାଇଁ କରତାଳିରେ ଫାଟି ପଡିଲା ପୂରା ଷ୍ଟୁଡିଓ

164

କନକ ବ୍ୟୁରୋ : ଓଡିଶା ସମେତ ଏବେ ପୂରା ଦେଶରେ ହକି ଫିଭର । ନଭେମ୍ବର ୨୮ରୁ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପକୁ ଚାହିଁ ବସିଛନ୍ତି ହକି ପ୍ରେମୀ । ଏପରିକି ଏହି ଟୁର୍ଣ୍ଣାମେଣ୍ଟକୁ ବିଶ୍ୱରେ ସମସ୍ତ ହକି ପ୍ରେମୀଙ୍କ ପାଖରେ ପହଞ୍ଚାଇବା ପାଇଁ ଜୋରଦାର କ୍ୟାମ୍ପେନ କରାଯାଉଛି । ଆଉ ଏସବୁ ଭିତରେ ହକି ବିଶ୍ୱକପକୁ ପ୍ରମୋଟ କରିବାକୁ ଅଣ୍ଟା ଭିଡିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ଜାତୀୟ ଟେଲିଭିଜନରେ ପ୍ରସାରିତ ହେଉଥିବା ଲୋକପ୍ରିୟ କେବିସି ସୋ’ରେ ହକି ବିଶ୍ୱକପକୁ ସଫଳ କରିବାକୁ କ୍ୟାମ୍ପେନ କରିଛନ୍ତି ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ।

ବିଶ୍ୱକପ ହକି ପୂର୍ବରୁ କେବିସି ମଞ୍ଚରେ ଏକାଠି ହେଲେ ଭାରତୀୟ ହକି ଟିମର ସଦସ୍ୟ । କେବଳ ଭାରତୀୟ ଟିମର ସଦସ୍ୟ ନୁହଁନ୍ତି ବରଂ ହକିକୁ ନୂଆ ପରିଚୟ ଦେଇଥିବା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିଡିଓ କନଫରେନ୍ସ ଜରିଆରେ ଏହି ସୋ’ରେ ସାମିଲ ହୋଇଥିଲେ । ଅମିତାଭଙ୍କ ସହ ଆଲୋଚନା ସମୟରେ କେବିସି ସେଟରେ ଉପସ୍ଥିତ ଥିବା ହକି ଖେଳାଳିଙ୍କୁ ପୋତ୍ସାହିତ କରିଥିଲେ ନବୀନ ।

ହକି କେବଳ ଓଡିଶାରେ ନୁହେଁ ବରଂ ପୂରା ଦେଶରେ ଲୋକପ୍ରିୟ । ଓଡିଶାର ଆଦିବାସୀ ଅଞ୍ଚଳରେ ଏହା ଅଧିକ ଲୋକପ୍ରିୟ । ଏଠାକାର ପିଲା ମାନେ ଚାଲିବା ଶିଖିବା ସମୟରୁ ହିଁ ହକି ଖେଳିଥାନ୍ତି ବୋଲି କହିଛନ୍ତି ନବୀନ । ଏହାଛଡା ଓଡିଶା ହକି ଖେଳ ଓ ଖେଳାଳିଙ୍କୁ ପୋତ୍ସାହିତ କରିବାକୁ କାହିଁକି ଆଗ୍ରହୀ ପ୍ରଶ୍ନରେ ନବୀନ କହିଛନ୍ତି, ଯେହେତୁ ଏହା ଓଡିଶାର ଏକ ଲୋକପ୍ରିୟ ଖେଳ ତେଣୁ ଏହାକୁ ଆଗକୁ ନେବା ସହ ଆହୁରି ଲୋକପ୍ରିୟ କରିବାକୁ ବିଶ୍ୱକପ ଭଳି ବଡ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛୁ ଏବଂ ଭାରତୀୟ ହକି ଟିମକୁ ମଧ୍ୟ ସମର୍ଥନ କରୁଛୁ ।

ଅମିତାଭଙ୍କ ସହ ଆଲୋଚନା ସମୟରେ ନବୀନ ଆଉ ଏକ କଥା ମଧ୍ୟ ପୂରା ଦେଶବାସୀଙ୍କୁ କହିଛନ୍ତି । କେଉଁ ଖେଳ ପ୍ରତି ଭଲପାଇବା ରହିଛି କି ନାହିଁ ଅମିତାଭଙ୍କ ପ୍ରଶ୍ନରେ ନବୀନ କହିଛନ୍ତି, ସେ ସ୍କୁଲ ଜୀବନରେ ସବୁ ପ୍ରକାର ଖେଳିଛନ୍ତି । ଏପରିକି ସେ ହକି ମଧ୍ୟ ଖେଳିଛନ୍ତି । ଆଉ ହକି ଖେଳରେ ସେ ଗୋଲକିପର ଭାବେ ଖେଳିଥିଲେ ବୋଲି କହିଛନ୍ତି । କାରଣ ସେ ଖେଳାଳି ଭିତରୁ ଡେଙ୍ଗା ଥିବାରୁ ତାଙ୍କୁ ଗୋଲକିପର କରାଯାଇଥିଲା ବୋଲି ନବୀନ ବିଗ୍ ବିଙ୍କ ଏହି ଲୋକପ୍ରିୟ ସୋ’ରେ କହିଛନ୍ତି । ନବୀନଙ୍କର ଏହି ଉତ୍ତର ଶୁଣିବା ପରେ ଭାରତୀୟ ଅଧିନାୟକ ତଥା ଗୋଲକପିର ଏସ୍ ଶ୍ରୀଜେଶ ନିଜର ଖୁସି ଜାହିର କରିଥିଲେ ।

ନବୀନ ସବୁଠାରୁ ଦୀର୍ଘ ସମୟ ଧରି କ୍ରମାଗତ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିବା ନେଇ ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ଲୋକଙ୍କ ପାଇଁ କରିଥିବା ବିକାଶମୂଳକ କାର୍ଯ୍ୟ ତାଙ୍କୁ ଏହି ସଫଳତା ଦେଇଛି । ୧୯୯୯ ମସିହା ମହାବାତ୍ୟା ପରେ ପରେ ସେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ଏହି ମହାବାତ୍ୟାରେ ପ୍ରାୟ ୧୦ ହଜାର ଲୋକଙ୍କର ଜୀବନ ହାନି ଘଟିଥିଲା ଓ ରାଜ୍ୟର ବିପୁଳ କ୍ଷତି ହୋଇଥିଲା । ତେଣୁ ନୂଆ କରି ଆସିଥିବା ତାଙ୍କ ସରକାର ବିପର୍ଯ୍ୟୟ ମୁକାବିଲା ନେଇ ସ୍ୱତନ୍ତ୍ର ନୀତି ପ୍ରଣୟନ କରିଥଲା । ଫଳରେ ପରବର୍ତ୍ତୀ ସମୟରେ ହୋଇଥିବା ବାତ୍ୟାରେ କୌଣସି ଜୀବନ ହାନି ଘଟିନାହିଁ ବୋଲି ନବୀନ କହିଥିଲେ ।

ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଆସନ୍ତା ନଭେମ୍ବରରେ ହେବାକୁ ଥିବା ବିଶ୍ୱକପରେ ସଫଳତା ପାଇଁ ଭାରତୀୟ ଟିମକୁ ଶୁଭକାମନା ଜଣାଇଥିଲେ । ହୋମଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆ ଚାମ୍ପିୟନ ହେଉ ବୋଲି ସେ ଆଶା ରଖିଛନ୍ତି । ଏହି ବିଶ୍ୱକପ ଅବସରରେ ଅମିତାଭ ବଚ୍ଚନଙ୍କ ସହ ଭେଟ ହେବ ବୋଲି ତାଙ୍କୁ ଓଡିଶାକୁ ନିମନ୍ତ୍ରଣ କରିଛନ୍ତି ନବୀନ । ଏହି ସୋ’ରେ ମୁଖ୍ୟମନ୍ତ୍ରୀଙ୍କ ହକି ପ୍ରତି ଭଲପାଇବାକୁ ଢେର ପ୍ରଂଶସା କରିଥିଲେ ଅମିତାଭ । ଭାରତୀୟ ହକି ଟିମକୁ ସମର୍ଥନ କରିବା ଓ ପ୍ରଥମ ରାଜ୍ୟ ଭାବେ ୫ ବର୍ଷ ଯାଏଁ ଉଭୟ ପୁରୁଷ ଓ ମହିଳା ହକି ଟିମର ପ୍ରଯୋଜକ ପାଇଁ ଆଗେଇ ଆସିଥିବାରୁ ପୂରା ଦେଶବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅମିତାଭ । ଏହାସହ ସମୟ ମିଳିଲେ ବିଶ୍ୱକପ ସମୟରେ ଭୁବନେଶ୍ୱର ଦେଖାହେବ ବୋଲି ଅମିତାଭ କହିଛନ୍ତି । ଅନ୍ୟପଟେ ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ଧନରାଜ ପିଲେ ମଧ୍ୟ ନବୀନଙ୍କୁ ଧନ୍ୟବାଦ ଦେବାକୁ ଭୁଲି ନାହାନ୍ତି । କୁଇଜ ଭିତ୍ତିକ ସୋ’ କେବିସିରେ ଭାରତୀୟ ଟିମ ଖେଳିବା ସହ ୧୨ ଲକ୍ଷ ୫୦ ହଜାର ଟଙ୍କା ଜିତିଥିଲେ ।

କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୁହନ୍ତି ବରଂ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ମଧ୍ୟ ହକି ବିଶ୍ୱକପ ପାଇଁ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ହକି ବିଶ୍ୱକପକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବା ନବୀନ ଯେଉଁ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛନ୍ତି ତାହା ବେଶ ପ୍ରଂଶସାଯୋଗ୍ୟ । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ହକି ବିଶ୍ୱକପକୁ ନେଇ ଜୋରଦାର କ୍ୟାମ୍ପେନ କରାଯାଉଛି । ଯାହାକୁ ବେଶ ପସନ୍ଦ କରିଛନ୍ତି ହକି ପ୍ରେମୀ । ଆଉ ଏସବୁ ଭିତରେ ହକି ବିଶ୍ୱକପ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଆଉ ହକି ପ୍ରେମୀ ନଭେମ୍ବର ୨୮କୁ ଅପେକ୍ଷା କରି ରହିଛନ୍ତି ।